ଧଣ୍ଡାମୁଣ୍ଡା: ରାଜ୍ୟର ସବୁ ଅଞ୍ଚଳରେ ୟୁରିଆ ସାର ମିଳୁ ନଥିବାରୁ ଚାଷୀଙ୍କ ଆକ୍ରୋଶ ଦେଖିବାକୁ ମିଳିଛି। ଲୋକେ ରାତି ସାରା ଉଜାଗର ରହି ୟୁରିଆ ପାଇଁ ଆଧାର କାର୍ଡକୁ ଧାଡ଼ିରେ ଲଗାଇ ନିଜ ପାଳିକୁ ଅପେକ୍ଷା କରି ରହୁଛନ୍ତି । ଏପରି କି ସାରର ନିଅଣ୍ଟ ଯୋଗୁ ଚାଷୀ ଠିକ୍ ସମୟରେ ସାର ପାଇ ପାରୁ ନାହାନ୍ତି। ଫଳରେ ଏବେ ଚାଷୀ ନିଜ ହକ ପାଇଁ ଆନ୍ଦୋଳନ ମୁହାଁ ହୋଇଛନ୍ତି।
ବଲାଙ୍ଗୀରଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ସେବା ସମବାୟ ସମିତିରେ ମଧ୍ୟ ୟୁରିଆ ମିଳୁନ ଥିବାରୁ ଚାଷୀ ତାତିଛନ୍ତି। ଗୁରୁବାର ଦିନ ଚାଷୀମାନେ ରାସ୍ତା ଅବରୋଧ କରିବା ସହ ଦାବି ପୂରଣ ନହେଲେ ଗମନା ଗମନ ଠପ୍ କରିବାକୁ ଚେତାବନୀ ଦେଇଛନ୍ତି। ଚାଷୀମାନେ ଧାରଣା ଦେବା ସହିତ ରାସ୍ତା ରୋକ କରିଛନ୍ତି। ପଦ୍ମପୁରରୁ ଖପ୍ରାଖୋଲ,ନୂଆପଡାକୁ ଯୋଗାଯୋଗ କରୁଥିବା ରାସ୍ତା ରୋକ କରାଯାଇଛି। ଫଳରେ ଗମନା ଗମନ ଠପ୍ ହୋଇ ପଡିଛି।
ସୂଚନାଯୋଗ୍ୟ, ଧଣ୍ଡାମୁଣ୍ଡା ପେକ୍ସ ଉପରେ ଧଣ୍ଡାମୁଣ୍ଡା ପଂଚାୟତ ସମେତ ଆଖ ପାଖ ଦୁଇ ତିନି ପଂଚାୟତ ନିର୍ଭର କରୁଥିବା ବେଳେ ସାରର ଅଭାବ ଯୋଗୁ ଚାଷ କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି। ଅନେକ ଥର ଚାଷୀ ଅଭିଯୋଗ କଲା ପରେ ମଧ୍ୟ ପର୍ଯ୍ୟପ୍ତ ପରିମାଣରେ ୟୁରିଆ ସାର ମିଳୁନ ଥିବାରୁ ଏବେ ସାର ପାଇଁ ଚାଷୀ ରାସ୍ତା ରୋକ କରିଛନ୍ତି। ଚାଷୀଙ୍କୁ ସାର ପର୍ଯ୍ୟପ୍ତ ପରିମାଣ ଯୋଗାଇ ଦିଆ ଯାଉ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।