ତରବୋଡ଼ରେ ଧାନବସ୍ତା ରଖି ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ତରବୋଡ଼ : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ତରବୋଡ଼ ମଣ୍ଡିରୁ ଧାନ ନଉଠିବାରୁ ଚାଷୀମାନେ ସକାଳ ୮ଟାରୁ ୩୫୩ ନମ୍ବର ଜାତୀୟ ରାଜପଥରେ ଧାନବସ୍ତା ରଖି ଅବରୋଧ କରିବା ସହ ଧାରଣାରେ ବସିଥିଲେ। ସୂଚନାନୁସାରେ ୧୫ ଦିନ ହେବ ଟୋକନ୍‌ ଆସିଥିବା ୧୬୦ ଜଣ ଚାଷୀଙ୍କ ୨୫ ହଜାରରୁ ଊର୍ଦ୍ଧ୍ବ ଧାନବସ୍ତା ତରବୋଡ଼ ମଣ୍ଡିରେ ପଡ଼ିରହିଛି। ସେମାନଙ୍କ ମଧ୍ୟରୁ କିଛି ଚାଷୀଙ୍କ ଟୋକନ୍‌ ସମୟସୀମା ସରିଯାଇଛି। ଯାହାଫଳରେ ଚାଷୀମାନେ ବାଧ୍ୟ ହୋଇ ଧାନକୁ ଦଲାଲ ପାଖରେ ବିକ୍ରି କରିବେ।  ଶୁକ୍ରବାର ୨ ହଜାର କୁଇଣ୍ଟାଲ୍‌ ଧାନ କିଣିବା ପାଇଁ ତରବୋଡ଼ ପେକ୍ସକୁ ଟାର୍ଗେଟ୍‌ ଆସିଥିବା ବେଳେ ଚାଷୀମାନେ ସେଥିରେ ରାଜି ନହୋଇ ପେକ୍ସରେ ତାଲା ଠୁଙ୍କିଥିଲେ। ହେଲେ ସଂଧ୍ୟାରେ ଜିଲ୍ଲା ପ୍ରଶାସନ ଆମ ହାତରେ କିଛି ନାହିଁ ଯଦି ସରକାର ଆମକୁ ଅଧିକ ଟାର୍ଗେଟ୍‌ ଦିଅନ୍ତି ତା’ହେଲେ ଆମେ କିଣିପାରିବୁ ନହେଲେ ନାହିଁ ବୋଲି ପ୍ରକାଶ କରିଥିଲେ। ଫଳରେ ଚାଷୀମାନେ ବାଧ୍ୟ ହୋଇ ଶନିବାର ସକାଳ ୮ଟାରୁ ଜାତୀୟ ରାଜପଥ ଉପରେ ଧାନବସ୍ତା ରଖି ଅବରୋଧ କରିଥିଲେ।

ଦିନ ଗୋଟାଏରେ କୋମନା ତହସିଲଦାର ପୂର୍ଣ୍ଣଚନ୍ଦ୍ର ପଟେଲ, ନୂଆପଡ଼ା ଜିଲ୍ଲା ସହ ନିବନ୍ଧକ ଭିକାରିଚରଣ ସେଠ୍‌, କୋମନା ଥାନା ଅଧିକାରୀ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ, ତରବୋଡ଼ ଫାଣ୍ଡି ଅଧିକାରୀ ଲଛିନ୍ଦ୍ର ଚଲାନ ଚାଷୀମାନଙ୍କୁ ବୁଝାସୁଝା କରିଥିବା ବେଳେ ନୂଆପଡ଼ା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଥଣ୍ଡୁ ନାଏକ ପହଞ୍ଚି ବର୍ତ୍ତମାନ ୫ ହଜାର କୁଇଣ୍ଟାଲ ଧାନ କିଣାଯିବ ଓ ପରେ ସବୁ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଧାରଣାରୁ ହଟିଥିଲେ। ଚାଷୀନେତା ଯୋଗେନ୍ଦ୍ର ବାଗ, ଦୟାସାଗର ପ୍ରଧାନ, ଗଦାଧର ଗହୀର, ସୁବାସ ଚନ୍ଦ୍ର ପ୍ରଧାନ, ଅଶ୍ବନ ଅହୀର, ଯୋଗେନ୍ଦ୍ର ନାଏକ, କୃଷ୍ଣଚନ୍ଦ୍ର ବେମାଲ, କାର୍ତ୍ତିକ ଖର୍ସେଲ, ମୋହନ ମାଝୀ, ଚନ୍ଦ୍ର ଅହୀର, କୋମଲ ରଣା, ନରସିଂହ ରଣା, ଚନ୍ଦ୍ରମଣି ଶବର, ମୋହନ ମାଝୀଙ୍କ ସମେତ ବହୁ ଚାଷୀ ଧାରଣାରେ ବସିବା ସହ ଆନ୍ଦୋଳନରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର