ରେଙ୍ଗାଲି ମଣ୍ଡିରୁ ଧାନ ନ ଉଠିବାକୁ ନେଇ ଉତ୍ତେଜନା

ଚାଷୀଙ୍କ ରାଜପଥ ଅବରୋଧ, ସାଢ଼େ ୪ ଘଣ୍ଟା ଯାତାୟାତ ଠପ୍

ରେଙ୍ଗାଲି: ଆଲଟ୍‌ମେଣ୍ଟ ନଥିବା ଦର୍ଶାଇ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ମାର୍କେଟ୍‌ ୟାର୍ଡରୁ ଧାନ ଉଠାଣ ହେଉ ନଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ସୋମବାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ସହ ଚାଷୀମାନେ ରେଙ୍ଗାଲି ତହସିଲ୍‌ ଛକରେ ବିଜୁ ଏକ୍ସପ୍ରେସ୍ ୱେ ଅବରୋଧ କରିଥିଲେ। ଫଳରେ ପ୍ରାୟ ସାଢ଼େ ୪ ଘଣ୍ଟା ଧରି ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଥିଲା। ଖବର ପାଇ ଅତିରିକ୍ତ ଏସ୍‌ପି ଅମରେଶ ପଣ୍ଡା, ଏସ୍‌ଡିପିଓ ତପନ ମହାନ୍ତି, ରେଙ୍ଗାଲି ତହସିଲ୍‌ଦାର ସୁନୀଲ ମେହେରଙ୍କ ସହ ରେଙ୍ଗାଲି, କତରବଗା ଓ ଶାସନ ଥାନାଧିକାରୀ ଯଥାକ୍ରମେ ଧବଳେଶ୍ବର ସାହୁ, ଅଜୟ ଜେନା ଓ ଜୟରଶ୍ମି ସେଠୀ ପ୍ରମୁଖ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିଥିଲେ। ତେବେ ଖୁବ୍ ଶୀଘ୍ର ୩ ହଜାର କ୍ବିଣ୍ଟାଲ୍‌ ଧାନ ଉଠାଣ ହେବ ବୋଲି ତହସିଲ୍‌ଦାର ଶ୍ରୀ ମେହେର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା।

ଚାଷୀଙ୍କ ଅଭିଯୋଗ ଅନୁସାରେ ରେଙ୍ଗାଲି ମଣ୍ଡିରେ ୩ଟି ଅଞ୍ଚଳର ଚାଷୀଙ୍କୁ ମୋଟ ୭ ହଜାର କ୍ବିଣ୍ଟାଲ୍‌ ଧାନ ବିକ୍ରିବାକୁ ଟୋକନ୍‌ ମିଳିଛି। ସେଥି ମଧ୍ୟରେ ଲପଙ୍ଗାର ୫ ହଜାର କ୍ବିଣ୍ଟାଲ, ବାବୁଖିଣ୍ଡାର ୮ ଶହ କ୍ବିଣ୍ଟାଲ ଓ ରେଙ୍ଗାଲିର ୨ ହଜାର କ୍ବିଣ୍ଟାଲ୍‌ ଧାନ ରହିଛି। ମାତ୍ର ଟୋକନ୍‌ ପାଇଥିବା ଚାଷୀ ଧାନ ଧରି ମଣ୍ଡିକୁ ପହଞ୍ଚିବା ପରେ ମାର୍କେଟ ୟାର୍ଡ ଅଧିକାରୀ ଆଲଟ୍‌ମେଣ୍ଟ ନଥିବାରୁ ଧାନ କ୍ରୟ ହୋଇପାରିବ ନାହିଁ ବୋଲି କହି ସେମାନଙ୍କୁ ଫେରାଇ ଦେଇଥିଲେ। ଫଳରେ କିଛି ଦିନ ହେଲା ଚାଷୀମାନେ ଧାନ ବୋଝେଇ ଟ୍ରାକ୍ଟର ସହ ମଣ୍ଡିରେ ଓ ମଣ୍ଡି ନିକଟରେ ଶୀତ କାକରରେ ଦିନ ରାତି ପଡ଼ି ରହିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ସୋମବାର ଉତ୍ତ୍ୟକ୍ତ ଚାଷୀମାନେ ରେଙ୍ଗାଲି ତହସିଲ୍‌ ଅଫିସ୍‌ ଛକରେ ଧାନ ବୋଝେଇ ଟ୍ରାକ୍ଟର ରଖି ବିଜୁ ଏକ୍ସପ୍ରେସ ୱେ ଅବରୋଧ କରିଥିଲେ। ସାଢ଼େ ୪ ଘଣ୍ଟା ଅବରୋଧ ଫଳରେ ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିବା ସହ ଗୁରୁତର ଟ୍ରାଫିକ୍ ସମସ୍ୟା ଦେଖା ଦେଇଥିଲା। ଖବର ପାଇ ଉପରୋକ୍ତ ଅଧିକାରୀମାନ‌େ ପହଞ୍ଚି ବୁଝାସୁଝା ଓ ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା। ଗିରୀଶ ସାହୁ, ଅଶ୍ବିନୀ ବେରିହା, ଶିବନାଥ ସାହୁ, ସୁବାସ ସାହୁ, ନିଖିଳ ସାହୁ, ପ୍ରେମାନନ୍ଦ ବ୍ରିନେଟ, ପରମାନନ୍ଦ କିଷାନଙ୍କ ସହ ଶହେରୁ ଅଧିକ ଚାଷୀ ତଥା ଜିଲ୍ଲା ପରିଷଦ ସଭ୍ୟ ତିରୋଜ ହେଡ଼େଞ୍ଜା ଓ ଜୋନ୍‌- ଜିଲ୍ଲା ପରିଷଦ ସଭ୍ୟା ଉତ୍ପଳା ଧରୁଆ ପ୍ରମୁଖ ରାସ୍ତାରୋକରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର