ସାର ଅଭାବ ନେଇ ରାଜ୍ୟ ରାଜପଥ ଅବରୋଧ କଲେ ଚାଷୀ, ଯାନବାହନ ଚଳାଚଳ ଠପ୍‌

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ସାରର କୁତ୍ରିମ ଅଭାବ ଦେଖାଯିବା ପରେ ଶତାଧିକ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଚାଷୀମାନେ ଆଜି ପୂର୍ବାହ୍‌ଣ ସାଢ଼େ ୧୦ଟାରୁ ଡାବୁଗାଁ ମୁଖ୍ୟ ତାରିଣୀ ମନ୍ଦିର ଚାରି ଛକକୁ ଅବରୋଧ କରିଥିଲେ। ସାର ଚାଷୀଙ୍କୁ ଦେଲେ ରାସ୍ତା ଅବରୋଧ ହଟାଯିବ ବୋଲି ଚାଷୀ ଜିଦ୍‌ ଧରି ବସିଥିଲେ। ଫଳରେ ରାଜ୍ୟ ରାଜପଥରେ ଦୀର୍ଘ ୫ ଘଣ୍ଟା ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା।

ଡାବୁଗାଁ ବ୍ଲକରେ ସାରର ଅଭାବ ନେଇ ବ୍ଲକ କୃଷକ ମହାସଂଘ ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଥିବା ବେଳେ କିଛି ଦିନ ପୂର୍ବରୁ ବ୍ଲକର ଶତାଧିକ ଚାଷୀ ତହସିଲଦାର ସନ୍ଧ୍ୟା ସୋମରଥଙ୍କୁ ଘେରାଉ କରି ସାର ଯୋଗାଣ କରିବାକୁ କହିଥିଲେ। ତୁରନ୍ତ ସାର ଯୋଗାଣ କରା ନ ଗଲେ ମଙ୍ଗଳବାର ୧୦ ତାରିଖରେ ବିକ୍ଷୋଭ ସହ ସାର ଯୋଗାଣ ନ ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବୁ ବୋଲି ଚାଷୀ ଚେତାବନୀ ଦେଇଥିଲେ। ତେବେ ଏହାପରେ ମଧ୍ୟ ସାର ଯୋଗାଣ ହୋଇ ନ ଥିବାରୁ ଆଜି ଶତାଧିକ ଚାଷୀ ପୂର୍ବାହ୍‌ଣ ୧୦ଟାରୁ ତହସିଲଦାରଙ୍କ କାର୍ଯ୍ୟାଳୟ ଯାଇ ଡାବୁଗାଁ ମୁଖ୍ୟ ଚାରି ଛକ ଠାରେ ଏକତ୍ରିତ ହୋଇ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ତେବେ ଅପରାହ୍‌ଣ ୩ଟାରେ କୃଷି ଅଧିକାରୀ ଆସନ୍ତାକାଲି ସାର ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀ ମାନେ ଆନ୍ଦୋଳନରୁ ହଟିଥିଲେ।

ଚାଷୀମାନଙ୍କ ଦ୍ୱାରା ଦୀର୍ଘ ସମୟ ଧରି ରାସ୍ତାରୋକ କରାଯିବା ପରେ ଯାନବାହନ ଅଟକି ରହିଥିଲା। ଡାବୁଗାଁ ତହସିଲଦାର, ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରିଆ, ଅତିରିକ୍ତ ବ୍ଲକ କୃଷି ଅଧିକାରୀ ଧନୁର୍ଜୟ ଜାନି, ଭାରପ୍ରାପ୍ତ ଲ୍ୟାମ୍ପ ଶାଖା ପରିଚାଳକ ଆର ଶଙ୍କର ରାଓ ପ୍ରମୁଖ ଚାଷୀଙ୍କୁ ଚେଷ୍ଟା କରିଥିଲେ। ହେଲେ ଚାଷୀ ମାନେ କାହାରି କଥା ଶୁଣି ନଥିଲେ। ଆମକୁ ସାର ଦେଲେ ହିଁ ରାସ୍ତାରୁ ହଟିବୁ ବୋଲି କହିଥିଲେ। ବ୍ଲକ୍‌ରେ କେଉଁ କେଉଁ ସାର ବିକ୍ରେତା ଅଛନ୍ତି, ସେମାନଙ୍କ ନିକଟକୁ କେତେ ସାର ଆସିଛି ଏବଂ ସାର କେଉଁ ଚାଷୀଙ୍କୁ ଦେଇଛନ୍ତି ତାର ତଥ୍ୟ ରଖିବାକୁ ଚାଷୀ ଜିଦ୍‌ ଧରିଥିଲେ।

ଏହି ଚାଷୀ ଆନ୍ଦୋଳନକୁ କଂଗ୍ରେସର ପୂର୍ବତନ ନବରଙ୍ଗପୁର ସାଂସଦ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ପ୍ରଦୀପ ମାଝୀ, ଡାବୁଗାଁର ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ, ବ୍ଲକ କୃଷକ ସଂଘ ସଭାପତି ସତ୍ୟରଞ୍ଜନ ପାତ୍ର, ଉପସଭାପତି ରାଜେନ୍ଦ୍ର କୁମାର ମିଶ୍ର, ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଶୁଭଜିତ ପାଣିଗ୍ରାହୀ, ବରିଷ୍ଠ ବିଜେପି ନେତା ଦିବାନ ସିଂ, ନରେଶ ସିଂ, କଂଗ୍ରେସ, ବିଜେପି ପ୍ରମୁଖ ସମର୍ଥନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର