ବ୍ୟାପୁଛି ନିଆଁ

ଚିକିଟିରେ ଫସଲ ଜାଳିଲେ ଚାଷୀ

ବ୍ରହ୍ମପୁର/ଚିକିଟି : ବରଗଡ଼ ପରେ ଗଂଜାମ ଜିଲ୍ଲା ଚିକିଟି ଅଞ୍ଚଳରେ ମଧ୍ୟ ରୋଗ ପୋକ ଯୋଗୁଁ ଉଜୁଡ଼ା ଧାନ ଫସଲରେ ଚାଷୀ ନିଆଁ ଲଗାଇଛନ୍ତି। ଚାଷୀଜଣକ ହେଲେ ପିତାତଳି ପଞ୍ଚାୟତ, ନିମକୁଡିଆ ଗାଁର ପି. ତାରିଣିଆ(ଭେଙ୍କଟ)। ପାଚିଲା ଧାନ କିଆରିରେ ନିଆଁ ଲଗାଇ ଦେଇଛନ୍ତି ସେ। ୠଣ କରି ଦୁଇ ଏକର ଜମିରେ ଧାନ ଫସଲ କରିଥିଲେ। ହେଲେ ଏଥିରେ ମାଟିଆଗୁଣ୍ଡି ପୋକ ବ୍ୟାପି ଚାଲିଥିଲା। କୀଟନାଶକ ସିଞ୍ଚନ ପରେ ମଧ୍ୟ ନିୟନ୍ତ୍ରଣ ହୋଇ ନଥିଲା। ତେଣୁ ଆଜି ତାରିଣିଆ ଫସଲ ଜାଳି ଦେଇଛନ୍ତି। ଘଟଣା ପରେ ଚିକିଟି ତହସିଲଦାର ସୁଶ୍ରୀ ଇନ୍ଦିରା ସାହୁ ଓ ଆର୍‌ଆଇ ନିମକୁଡ଼ିଆରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି। କେତେକ ସ୍ଥାନରେ ପୋକ ଲାଗି ଫସଲ ନଷ୍ଟ ହୋଇଥିବା ସେମାନେ ସ୍ୱୀକାର କରିଛନ୍ତି।

‘ସମ୍ବାଦ’କୁ ଚାଷୀ ତାରିଣିଆ କୋହଭରା କଣ୍ଠରେ ନିଜର ଦୁଃଖ ବଖାଣିଛନ୍ତି। ସେତିକି ଅସୁବିଧା ନ ଥିଲେ ଜଣେ ଚାଷୀ କେବେ ପାଚିଲା ଧାନରେ ନିଆଁ ଲଗାଇ ପାରିବ କି ଆଜ୍ଞା ବୋଲି କହିଛନ୍ତି। ଗତ ତିନି ବର୍ଷ ହେବ ଏ ପ୍ରକାର ସମସ୍ୟା ଲାଗି ରହୁଛି। ତଥାପି ନିରାଶ ନ ହୋଇ ଏ ବର୍ଷ ମଧ୍ୟ ସେ ୠଣ କରି ଚାଷ କରିଥିଲେ, ଏଥର ବି ଉଜୁଡ଼ିଗଲା। ଚିକିଟି ପେଣ୍ଠରେ ଥିବା ସରକାରୀ ସ୍ୱୀକୃତିପ୍ରାପ୍ତ ସାର, କୀଟନାଶକ ଦୋକାନରୁ କୀଟନାଶକ କିଣିଥିଲେ। ମାତ୍ର ତାହା ବି କାମ ଦେଲାନି। ପୋକ ପ୍ରଭାବ କମିଲାନି ବୋଲି କହିଛନ୍ତି। ଏହା କେବଳ ପି. ତାରିଣିଆଙ୍କ ସମସ୍ୟା ନୁହେଁ ଗଂଜାମ ଜିଲ୍ଲାର ୧୪ ବ୍ଲକରେ ପ୍ରାୟ ୧୧ ହଜାର ହେକ୍ଟର ଧାନ ଫସଲରେ ମାଟିଆଗୁଣ୍ଡି ଓ ଜଉ ପୋକ ବ୍ୟାପି ନଷ୍ଟ ହୋଇଥିବା ଜଣାଯାଇଛି।

ରାୟଗଡ଼ାରେ ବି ପୋଡ଼ିଦେଲେ

ରାମନାଗୁଡା/ଗୁଣପୁର : ବରଗଡ ପରେ ରାୟଗଡ଼ା ଜିଲ୍ଲାରେ ଜଣେ ଚାଷୀ ନିଜ ଫସଲକୁ ନିଆଁ ଲଗାଇ ଜାଳି ଦେଇଛନ୍ତି। ଧାନ ଫସଲରେ ଗୁଣ୍ଡ ପୋକ ଏବଂ ଚକଡା ପୋକ ଲାଗିବା ଯୋଗୁଁ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଗଲା। ଫଳରେ ଚାଷୀ ନିଜର ୮ଏକର କ୍ଷେତରେ ନିଜେ ନିଆଁ ଲଗାଇ ଜାଳି ଦେଇଥିବା ଜଣାପଡିଛି। ଋଣ ନେଇ ଚାଷ କରିଥିବା ବେଳେ ଫସଲ ନଷ୍ଟ ଯୋଗୁଁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ଚେତାବନୀ ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ରାମନାଗୁଡା ବ୍ଲକ କୁଜେନ୍ଦ୍ରୀ ପଞ୍ଚାୟତ ଗାଜିଲିଗୁଡା ଗ୍ରାମରେ। କ୍ଷତିଗ୍ରସ୍ତ ଚାଷୀ ହେଉଛନ୍ତି ଆନନ୍ଦ ରାଓ ନାଇଡୁଙ୍କ ପୁଅ ଗିରୀଶ ନାଇଡୁ।

ଗିରୀଶ ଚାଷ ପାଇଁ ସମବାୟ ବ୍ୟାଙ୍କରୁ ୭୫ହଜାର ଟଙ୍କା, ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ୮୦ହଜାର ଟଙ୍କା, ଗୁଣପୁର ଇଣ୍ଡିଆନ ବ୍ୟାଙ୍କରେ ସୁନା ବନ୍ଧକ କରି ୨୫ହଜାର ଟଙ୍କା ଆଣି ଚାଷରେ ଲଗାଇଥିଲେ। କିନ୍ତୁ ଚାଷ ନଷ୍ଟ ହୋଇଯିବାରୁ ଚିନ୍ତିତ ହୋଇପଡିଥିଲେ। ଭଲ ଫସଲ ଅମଳ ହେବା ପାଇଁ କୃଷି ବିଭାଗ ଠାରୁ କୀଟନାଶକ ଆଣି ୫ଥର ସିଞ୍ଚନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ନକଲି କୀଟନାଶକ ସିଞ୍ଚନ ଯୋଗୁଁ ଏପରି ଅବସ୍ଥା ହୋଇଛି। ଜମି ପରିଦର୍ଶନ କରି ପରାମର୍ଶ ଦେବାକୁ କୃଷି ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ନିବେଦନ କରିବା ସତ୍ୱେ କେହି ସେଠାକୁ ଆସିନଥିବା ଚାଷୀ ଜଣକ ଅଭିଯୋଗ କରିଛନ୍ତି।

ସମ୍ବଲପୁରରେ ସ୍ଥିତି ଅଣାୟତ୍ତ

ସମ୍ବଲପୁର : ଜିଲ୍ଲାରେ ଚକଡ଼ା ପୋକ ଯୋଗୁଁ ୫୩୪ ଗାଁର ୫୬୫୮ ହେକ୍ଟର ଫସଲ ନଷ୍ଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଧନକଉଡ଼ା ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଛି। ୧୯ଟି ପଞ୍ଚାୟତ ୮୩ ଗାଁର ୩୪୬୮ ଜମି ଏଥିରେ ଆକ୍ରାନ୍ତ ହୋଇଛି। ଅପରପକ୍ଷରେ ଚକଡ଼ା ଚଡ଼କ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀମାନେ ଧାନ କ୍ଷେତରେ ନିଆଁ ଲଗାଇବା ଘଟଣା ବଢ଼ିବାରେ ଲାଗିଛି। ବରଗଡ଼ ପରେ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କର୍ଡୋଲା ପଞ୍ଚାୟତ କୁଡ଼ାପାଲିର କ୍ଷୁଦ୍ର ଚାଷୀ ସତ୍ୟାନନ୍ଦ ସେଠଙ୍କ ପରେ ମାନେଶ୍ୱର ବ୍ଲକ ସାହାସପୁର ଓ ଧମା ପଞ୍ଚାୟତର କେତେକ ଚାଷୀ ପୁଣି ନିଜ କ୍ଷେତରେ ନିଆଁ ଲଗାଇ ଦେଇଛନ୍ତି। ଗୁରୁବାର ସକାଳେ ସାହାସପୁର ପଞ୍ଚାୟତ ଅର୍ଡା ଗ୍ରାମର ସୂର୍ଯ୍ୟ କୁମାର ହୋତା ଚକଡ଼ା ପୋକ ଲାଗିଥିବା ୨୦ ଡେସିମିଲ ଜମିରେ ନିଆଁ ଲଗାଇ ଦେଇଛନ୍ତି।

ସୁବର୍ଣ୍ଣପୁରରେ ବି ନିଆଁ ଲାଗିଲା

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ତିତେରକୁନ୍ଦ ଗାଁରେ ଧାନ ଫସଲରେ ଚକଡ଼ା ରୋଗ ଲାଗିଥିବାରୁ ଚାଷୀ ମହଲରେ ଚକଡ଼ା ରୋଗ ଲାଗିଥିବାରୁ ଚାଷୀମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। ଗୁରୁବାର ଗାଁର ରାଧୁ ଖମାରୀ ନିଜ ୪ ଏକର ଜମିରେ ହୋଇଥିବା ଧାନ ଫସଲରେ ନିଆଁ ଲଗାଇ ଦେଇଛନ୍ତି। ରାଧୁଙ୍କ କହିବାନୁଯାୟୀ ତାଙ୍କର ସର୍ବମୋଟ ମାତ୍ର ୪ ଏକର ଜମି। ସେ ଡୁଙ୍ଗୁରିପାଲି ସ୍ଥିତ ଆଞ୍ଚଳିକ ବ୍ୟାଙ୍କରୁ ୩୦ ହଜାର ଟଙ୍କା ଆଣି ଚାଷ କରିଥିବା ବେଳେ ସବୁ ଉଜାଡ଼ି ଦେଲା ଚକଡ଼ା ରୋଗ। ଚିନ୍ତାଗ୍ରସ୍ଥ ଓ ବିରକ୍ତି ହୋଇ ସେ କ୍ଷେତରେ ନିଆଁ ଲଗାଇ ଦେଇଥିବା ରାଧୁ କହିଛନ୍ତି। ସେ ଚକଡ଼ାର ପ୍ରତିକାର ପାଇଁ ବିଭିନ୍ନ ପ୍ରକାର କୀଟ ନାଶକ ଔଷଧ ସିଞ୍ଚନ କରି ମଧ୍ୟ କୌଣସି ପ୍ରଭାବ ପଡ଼ି ନଥିଲା ବୋଲି ସେ କହିଛନ୍ତି। ତିତେରକୁନ୍ଦ ଗ୍ରାମର ଅନ୍ୟ ଚାଷୀମାନେ ବି ଧାନ ଫସଲରେ ଚକଡ଼ା ପୋକ ଯୋଗୁଁ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି।

ଖପ୍ରାଖୋଲରେ ଫସଲ ପୋଡ଼ିଲେ ବୃନ୍ଦାବନ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲର ଚାଷୀ ବୃନ୍ଦାବନ ବାରିକ ଧାନ ଚାଷ ଉଜୁଡି ଯାଇଥିବା ଦେଖି ନିଜ ଜମିରେ ନିଆଁ ଲଗାଇଥିବା ଜଣାପଡିଛି। ଖପ୍ରାଖୋଲ ଗ୍ରାମର ବୃନ୍ଦାବନ ବାରିକଙ୍କ ୮ ଏକର ଜମି ରହିଛି। ଚଳିତ ଖରିଫ ଋତୁରେ ସେଥିରେ ସେ ଧାନ ଚାଷ କରିଥିବା ଜଣାପଡ଼ିଛି। ୮ ଏକର ମଧ୍ୟରୁ ୫ ଏକର ଜମିରେ ଅଣ ଜଳସେଚିତ ଭାବେ ଥିବା ବେଳେ ୩ ଏକର ଜମିରେ ଗଭୀର ନଳକୂଅ ଖୋଳି ଧାନ ଚାଷ କରିଥିଲେ। ତେବେ ୫ ଏକର ଜମିରେ ହୋଇଥିବା ଧାନ ଗଛରେ ପାଣି ଦେଇ ସେ ଗୁଡିକୁ କିଛିଟା ବଞ୍ଚାଇବାରେ ସଫଳ ହୋଇଥିବା ବେଳେ ନଳକୂଅ ଜଳ ଦ୍ୱାରା ୩ ଏକର ଜମିର ଚାଷ ଭଲ ହୋଇଥିଲା। ଚାଷ କରିଥିବା ସମସ୍ତ ଜମିରେ କୃଷି ବିଭାଗର ପରାମର୍ଶ ନେଇ ଓଷଧ ମଧ୍ୟ ସିଞ୍ଚନ କରିଥିଲେ। ତେବେ ଧାନ ହେବା ବେଳକୁ ସମସ୍ତ ୮ ଏକର ଜମିରେ ଧାନ ହେବା ବେଳକୁ ଚକଡା ରୋଗ ଧରିଥିଲା। ସେ ପୁଣି କୃଷି ବିଭାଗ ଅଫିସରୁ ଔଷଧ ଆଣି ସିଞ୍ଚନ କରିଥିଲେ। ଏହା ସତ୍ତ୍ୱେ ସମସ୍ତ ଧାନ ନଷ୍ଟ ହୋଇ ଯାଇଥିଲା। ଏହାକୁ ନେଇ ସେ ଗତ ୩୧ ତାରିଖରେ ଖପ୍ରାଖୋଲରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଆସିଥିଲେ। ଏହାପରେ କୃଷି ଅଧିକାରୀ ପରିଦର୍ଶନ କରିବା ପାଇଁ ଯାଇଥିବା ସମୟରେ ନଷ୍ଟ ହୋଇଥିବା ଧାନର ବୀମା ରାଶି ମିଳିବ ବୋଲି ବୃନ୍ଦାବନଙ୍କୁ କହିଥିବା ଜଣାପଡ଼ିଛି। ତେବେ ତାଙ୍କ କଥାରେ ସେ ବିଶ୍ୱାସ ନ କରି ଗୁରୁବାର ନିଜ ଜମିକୁ ଯାଇ ନିଆଁ ଲଗାଇ ପୋଡି ଦେଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର