ଦେଉଳପଦର/ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ରାଣିସର୍ଡା ପଞ୍ଚାୟତର ଅର୍ଡା ଗାଁରେ ଚାଷୀଙ୍କ ଅସନ୍ତୋଷର ଏକ ଭିନ୍ନରୂପ ଦେଖିବାକୁ ମିଳିଛି। ଚକଡ଼ା ପାଇଁ ଜଣେ ଚାଷୀ ରବିବାର ନିଜ ଫସଲରେ ନିଆଁ ଲଗାଇ ଦେଇଛନ୍ତି।
ଅର୍ଡା ଗାଁର ସହଦେବ କର୍ମୀ ୫ ଏକର ଜମିରେ ଧାନ ଚାଷ କରିଥିଲେ। ସେଥିରୁ ଅଧା ଏକର ଜମିରେ ଚକଡ଼ା ପୋକ ଲାଗି ଫସଲ ନଷ୍ଟ ହୋଇ ଯାଇଥିଲା। ବାରମ୍ବାର କୃଷି ବିଭାଗ ଓ ପ୍ରଶାସନକୁ ଅଭିଯୋଗ କରି ମଧ୍ୟ କେହି ଶୁଣି ନ ଥିଲେ। ଚାଷ ନଷ୍ଟ ହୋଇ ଯାଇଥିବା ଚିନ୍ତାରେ ସେ ଜମିରେ ନିଆଁ ଲଗାଇ ଦେଇଛନ୍ତି। ଅନ୍ୟପକ୍ଷରେ, ସନାତନ କର୍ମୀ, ରଙ୍କୁଣି କର୍ମୀ, ସୁରୁବାବୁ କମ୍ପ, ଦିଗମ୍ବର ନାଏକ, ଶଶିଭୂଷଣ ନାଏକ, ଜେଠୁ କର୍ମୀ, ଦୁର୍ଯୋଧନ କର୍ମୀ, ପ୍ରକାଶ ନାଏକ ଓ ପ୍ରସାଦୀ ଛେଣ୍ଡୁଆ ଓ ଅନ୍ୟମାନଙ୍କ ଶତାଧିକ ଏକର ଜମିରେ ଚକଡା଼ ପୋକ ଲାଗି ଫସଲ ନଷ୍ଟ ହୋଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଏଥିପାଇଁ ସେମାନେ କ୍ଷତିପୂରଣ ଦାବି କରିଛନ୍ତି। ଡିଡିଏ ସନ୍ତୋଷ ଜେନାଙ୍କୁ ପଚାରିବାରୁ ସେ କହିଲେ, ଅର୍ଡା ଗାଁରେ କିଛି ଧାନ ଫସଲରେ ଚକଡ଼ା ଲାଗିଛି। ଖବର ପାଇବା ପରେ ଗାଁର ଚାଷୀଙ୍କୁ ସଚେତନ କରାଯାଇଥିଲା। ଔଷଧ ବି ଦିଆଯାଇଥିଲା। ତା’ ପରେ ବି ସେ ଫସଲରେ ନିଆଁ ଲଗାଇ ଦେଇଛନ୍ତି। ତେବେ ଏହି ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଏହାପୂର୍ବରୁ ଗତ ୭ ତାରିଖରେ ବି ଜିଲ୍ଲାର ବିନିକା ତହସିଲ ଚୁଲିମାଳ ଗାଁରେ ବି ଜଣେ ଚାଷୀ ମହାଦେବ ଭୋଇ ଜଳାଭାବରୁ ଫସଲ ନଷ୍ଟ ଯୋଗୁଁ ନିଜ କ୍ଷେତରେ ନିଆଁ ଲଗାଇ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/crop-burn.jpg)