ଭୁବନେଶ୍ବର: ଆମର ଅଧିକାଂଶ ଚାଷୀ କ୍ଷୁଦ୍ର, ମଧ୍ୟମ ଅଥବା ଭୂମିହୀନ ବର୍ଗର। କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ବଚ୍ଛଳତା ଦୃଷ୍ଟିରୁ ପଶୁପାଳନ ସବୁଠାରୁ ପ୍ରକୃଷ୍ଟ ମାଧ୍ୟମ। କୃଷି ସହିତ ଗାଈ, ଛେଳି, ମେଣ୍ଢା ଓ ମାଛଚାଷ ଆଦିରେ ସମ୍ପୃକ୍ତ ରହିଲେ କୃଷକମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍‌ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୨୩ତମ ସାଧାରଣ ଅଧିବେଶନ ଅବସରରେ କହିଛନ୍ତି।

Advertisment

ଆଜି ଜୟଦେବ ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟର ପ୍ରାଣୀସମ୍ପଦର ବିକାଶ କ୍ଷେତ୍ରରେ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀଧନ ନିରୀକ୍ଷକ ଓ ବିଭାଗୀୟ ଅନ୍ୟ କର୍ମଚାରୀମାନେ ନିରନ୍ତର ଭାବେ ପ୍ରାଣୀସେବା ଯୋଗାଇଥାନ୍ତି। ଆଜି ସମୟ ବଦଳିଛି, ମଣିଷ ସମାଜ ବର୍ତ୍ତମାନ ବିଭିନ୍ନ ପ୍ରକାର ବୃତ୍ତିଗତ ବ୍ୟବସାୟରେ ଜଡ଼ିତ। କୃଷି ଓ ପଶୁପାଳନ କ୍ଷେତ୍ରରେ ଯୁବବର୍ଗଙ୍କ ମଧ୍ୟରେ ଫାର୍ମ ହାଉସ୍ କରିବାର ଆଗ୍ରହ ବୃଦ୍ଧି ପାଉଛି। ଯଦି ଯୁବ ସମାଜ କୃଷି ଓ ପଶୁପାଳନ କ୍ଷେତ୍ରକୁ ନିଜର ମୁଖ୍ୟ ବୃତ୍ତି ଭାବେ ଗ୍ରହଣ କରିବେ, ତେବେ କୃଷି ଓ କୃଷକଙ୍କ ଆର୍ଥିକ ସ୍ଥିତିରେ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଉପସ୍ଥିତ କର୍ମଚାରୀମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ଆପଣମାନେ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାନ୍ତୁ ଓ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରନ୍ତୁ। ଲୋକମାନେ ଯେପରି ପଶୁପାଳନ ବୃତ୍ତିକୁ ଏକ ଲାଭଜନକ ତଥା ସମ୍ମାନଜନକ ବୃତ୍ତି ଭାବେ ଗ୍ରହଣ କରିବେ, ସେଥି ପାଇଁ ଉଦ୍ୟମ କରନ୍ତୁ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଣୀପାଳନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଅନେକ ସହାୟତା ଓ ରିଆତିର ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏବଂ ପ୍ରାଣୀ ମଙ୍ଗଳ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଆରମ୍ଭ କରାଯିବ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ ଡବଲ ଇଞ୍ଜିନ ସରକାର ଦେଇଛନ୍ତି। ଆମକୁ ମଧ୍ୟ ବିକାଶକୁ ଡବଲ ସ୍ପିଡ୍‌ରେ କରିବାକୁ ପଡ଼ିବ। ଏ ବିଭାଗକୁ ଆହୁରି ସଶକ୍ତ କରିବାକୁ ପଡ଼ିବ। ଚାଷୀମାନଙ୍କୁ ଆଗକୁ ନେବାକୁ ପଡ଼ିବ। ଏଥିପାଇଁ ଆପଣଙ୍କ ସହାୟତା ଆବଶ୍ୟକ। ମୁଖ୍ୟବକ୍ତା ଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ କହିଥିଲେ ଯେ ଗ୍ରାମାଞ୍ଚଳର ଗରିବ କୃଷକଙ୍କ ଅର୍ଥନୈତିକ ଅଭିବୃଦ୍ଧି ସହିତ ସମାଜର ଶେଷଧାଡ଼ିରେ ରହିଥିବା ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାରେ ପ୍ରାଣୀଧନ କର୍ମଚାରୀଙ୍କର ବଳିଷ୍ଠ ଯୋଗଦାନ ରହିଛି। ଉପସ୍ଥିତ କର୍ମଚାରୀମାନେ ବିକଶିତ ଓଡ଼ିଶା ଗଠନର ମୁଖ୍ୟ ବିନ୍ଧାଣୀ ହେବେ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୪ଜଣ ସଫଳ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ବିଧାୟକ ତଥା ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ପ୍ରଧାନ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିଲେ। ସଂଘର ସାଧାରଣ ସମ୍ପାଦକ ବସନ୍ତ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲା ବେଳେ ସଭାପତି ଉପେନ୍ଦ୍ରନାଥ ରଣା ଧନ୍ୟବାଦ ଦେଇଥିଲେ।