ଖରିଫ ପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ: ପାରମ୍ପରିକ ଦେଶୀ ବିହନ ପ୍ରତି ଚାଷୀ ବିମୁଖ

ଜୟପୁର: ସଂପ୍ରତି ରବି ଚାଷ ସମୟ ସରିବା ସହ ଖରିଫ ଆରମ୍ଭ ହୋଇଛି। ଏଥି ପାଇଁ ଚାଷୀ ମାନେ ପ୍ରାକଃ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କୋରାପୁଟ ଜିଲ୍ଲାର ଚାଷୀଙ୍କର ଏବେ ପ୍ରଥମ ପସନ୍ଦ ହାଇବ୍ରିଡ଼୍ ଧାନ ବିହନ। ଅଧିକା ଧାନ ଅମଳକୁ ଲକ୍ଷ୍ୟରେ ରଖି ଚାଷୀମାନେ ହାଇବ୍ରିଡ଼୍ ଧାନର ଚାଷକୁ ପ୍ରଥମ ଓ ବିହନ ନିଗମ ଏବଂ ବିଭିନ୍ନ ସାର, ବିହନ ତିଆରି କଂପାନି ଦ୍ବାରା ବିକ୍ରି ହେଉଥିବା ଅଧିକ ଅମଳକ୍ଷମ ଧାନର ବିହନକୁ ଦ୍ବିତୀୟରେ ରଖି ଚାଷ କରୁଛନ୍ତି। ଯଦିଓ ଗ୍ରାମାଂଚଳରେ କୃଷି ଶ୍ରମିକ ମିଳୁ ନାହାନ୍ତି। ଏଣୁ ଚାଷୀ ମାନେ ଟ୍ରାକ୍ଟରରେ ଜମି ହଳ କରିବା ସହ ଯେଭଳି ସ୍ବଳ୍ପ ସମୟରେ ଅଧିକା ଧାନ ଅମଳ ହେବ ଏବଂ ମଣ୍ଡିରେ ସଠିକ ସମୟରେ ଧାନ ବିକ୍ରି କରିବେ ସେ ଯୋଜନା କରିଛନ୍ତି।

ଜିଲ୍ଲାରେ ଏହି ଖରିଫରେ ୯୭ହଜାର ୪୦୦ହେକ୍ଟର ଜମିରେ ଧାନ ଚାଷ କରାଯିବା ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଛି। ଗତ ବର୍ଷ ଖରିଫରେ ୩୩ହଜାର ୭୯୫ଜଣ ଚାଷୀ ପଂଜିକରଣ କରି ୩୦ହଜାର ୯୬୩ଜଣ ୨୮ଲକ୍ଷ ୭ହଜାର ୫୬୧କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ବିଳମ୍ବରେ ଅମଳକ୍ଷମ ହେବା ଧାନ ବିହନ ପକାଇ ଠିକଣା ସମୟରେ ଧାନ ଅମଳ ହୋଇ ନ ପାରିବା କାରଣରୁ ୨ହଜାର ୮୩୨ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରୀ କରି ପାରିନଥିଲେ। ଏଣୁ ଏଥରକ ଚାଷୀ ମାନେ ଦେଶୀ ତଥା ପାରମ୍ପରିକ ବିହନକୁ ଛାଡ଼ିଥିବା କହିଛନ୍ତି ଚାଷୀ ମନୋଜ ପାତ୍ର, ଜୟନ୍ତ ପଟ୍ଟନାୟକ, ଅରୁଣ ପାଣିଗ୍ରାହୀ, ଝାଡେଶ୍ବର ସାହୁ, ବାବୁଲା ପାଢ଼ୀ, ସୁଶାନ୍ତ ପଣ୍ଡା, ନରସିଂହ ନାୟକ, ମହେଶ୍ବର ବିଷୋଇ, ରାମ ଅମନାତ୍ୟ, ବୁଦୁ ପୁଜାରୀ, ଡମ୍ବୁରୁ ଅମନାତ୍ୟ।

ଦେଶୀ ଧାନ ଏକର ପିଛା ଏହା ୫ରୁ ୧୦କୁଇଣ୍ଟାଲ ଧାନ ଅମଳ ହେବା ସହ ୧୨୦ରୁ ୧୫୫ଦିନ ଲାଗି ଯାଉଛି। ଅନ୍ୟପକ୍ଷରେ ହାଇବ୍ରିଡ଼୍ ଧାନ ୯୦ରୁ ୧୨୦ଦିନ ମଧ୍ୟରେ ଏବଂ ଏକର ପିଛା ୩୫କୁଇଣ୍ଟାଲ ଧାନ ଅମଳ ହେଉଛି। ପୂର୍ବରୁ ଚାଷୀ ମାନେ ଧାନ ବିହନକୁ ବର୍ଷ ବର୍ଷ ପୁରୁଣା ପଦ୍ଧତିରେ ଘର ମଧ୍ୟରେ ହିଁ ସାଇତି ରଖୁଥିଲେ। ଏବେ ଆସାମ ଚୁଡ଼ି, ଉମୂରିଆ ଚୁଡ଼ି, ମହୁରୀ, କଳାବତୀ, ହାଣ୍ଡିଶାଳ, ମଲାଗଣ୍ଡା, ସମୁଦ୍ରବାଲି, କଳାଜୀରା, କାହ୍ନୁ, କଳାମାଳୀ, ସୋରିଷ ରାଣୀ ଆଦି ଧାନ କାଁ ଭାଁ ଚାଷୀ କରୁଛନ୍ତି। ଦେଶୀ ଧାନ ଏହି ସ୍ଥିତିରେ ସଂପ୍ରତି ସମ୍ପୂର୍ଣ୍ଣ ରୁପେ ଗାୟବ ହୋଇଛି। ହାଇବ୍ରୀଡ ଓ ଅଧିକା ଅମଳକ୍ଷମ ବିହନରେ ଅଧିକା ଧାନ ଉତ୍ପାଦନ ପାଇଁ ଅଧିକା ରାସାୟନିକ ସାର୍ ଜମିରେ ପକାଉଛନ୍ତି। ସେଭଳି ଏହି ଧାନକୁ ଅଧିକା କୀଟନାଶକ ବି ହେଉଛି। ଏହାକୁ ସୁରକ୍ଷା ଦେବା ପାଇଁ ବିଷାକ୍ତ କୀଟନାଶକ ପକାଯାଉଛି ବୋଲି ଚାଷୀ ମାନେ କହିଛନ୍ତି। ଉଭୟ ଧାନ ଚାଷରେ ଅଧିକ ଅମଳକ୍ଷମ କରିବା ପାଇଁ ଅଧିକା ରାସାୟନିକ ସାର, କୀଟନାଶକ ପକାଇବା ଦ୍ବାରା ଜମିର ଉର୍ବରତା ଓ ଜୈବ ବିବିଧତା ବି ନଷ୍ଟ ହେଉଛି।

ସମ୍ବନ୍ଧିତ ଖବର