ଚାଷୀ ମୁଣ୍ଡରେ ଚଡ଼କ: ସମ୍ଭାବ୍ୟ ବାତ୍ୟାବନ୍ୟାର ଭୟକୁ ବନ୍ୟଜନ୍ତୁଙ୍କ ଉପଦ୍ରବ

ଧାନଫସଲ ସୁରକ୍ଷା ଚିନ୍ତା, ମଞ୍ଚାବାନ୍ଧି ରାତି ଉଜାଗର

ଭଞ୍ଜନଗର : ଆଉ କିଛିଦିନ ଗଲେ କ୍ଷେତରେ ଲାଗିଥିବା ଧାନଫସଲ ଅମଳ ହେବ। ଏଥିପାଇଁ ଚାଷୀ ମାନସିକସ୍ତରରେ ନିଜକୁ ପ୍ରସ୍ତୁତି କରିସାରିଥିବା ବେଳେ ଏଭଳି ପରିସ୍ଥିତିରେ ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ଭୟ ଚିନ୍ତା ଆଣିଦେଇଛି। ଆଉ ଏହି ଘଡ଼ିସନ୍ଧି ସମୟରେ ହାତୀ ସମେତ ବିଭିନ୍ନ ବନ୍ୟଜନ୍ତୁଙ୍କ ଉପଦ୍ରବ ଚାଷୀ ପାଇଁ ଯେମିତି ବୋଝ ଉପରେ ନଳିତା ବିଡ଼ା ସଦୃଶ ସାବ୍ୟସ୍ତ ହୋଇଛି। ଫଳରେ ଫସଲ ସୁରକ୍ଷା ଚାଷୀ ପାଇଁ ଚ୍ୟାଲେଞ୍ଜ୍ ସଦୃଶ ପାଲଟିଛି। କିଛି ଜାଗ‌ାରେ ଚାଷୀ କ୍ଷେତରେ ମଞ୍ଚା ବାନ୍ଧି ରାତି ଉଜାଗର ରହୁଥିବା ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ବିଭିନ୍ନ ଗ୍ରାମରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଯଦି ବାତ୍ୟା ଓ ବନ୍ୟା ହୁଏ, ତା’ହେଲେ ବର୍ଷଯାକର ପରିଶ୍ରମର ବୃଥା ହୋଇଯିବ ବୋଲି ଚାଷୀ କହିଛନ୍ତି। ‘ଆଉ ବନ୍ୟଜନ୍ତୁ ଫସଲ ଖାଇଲେ ସେମାନଙ୍କୁ କ୍ଷତିପୂରଣ କିଏ ଦେବ ? ଏଥିପାଇଁ ସେମାନେ ଜୀବନକୁ ବାଜି‌ରେ ଲଗାଇ ଜମିରେ ରାତି ଉଜାଗର ରହିବାକୁ ବାଧ୍ୟ ହେଉଛନ୍ତି’ ବୋଲି ପ୍ରକାଶ କରିଛନ୍ତି।

ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼, ଗାଲେରୀ ଓ ତାରସିଂ ବନାଞ୍ଚଳ ଅଧୀନ ବହୁ ଗ୍ରାମରେ ହାତୀପଲ ଏବେ ମାତିଛନ୍ତି। ଏଥିସହ ମାଙ୍କଡ଼ ଓ ବାର୍‌ହାପଲ ଉପଦ୍ରବ ଚଳାଉଛନ୍ତି। ସାନକୋଦଣ୍ଡା, ଯୋଗୀମାରୀ, ବାହାଡ଼ାପଦର ଓ ମୁଦୁଲିପଲ୍ଲୀ ଗ୍ରାମ ନିକଟରେ ଥିବା କ୍ଷେତରେ ପ୍ରତିଦିନ ବାର୍‌ହା ପଶିଯାଉଛନ୍ତି। ଧାନକେଣ୍ଡା ନଇଁଆସୁଥିବା ବେଳେ ଏହାକୁ ନଷ୍ଟ କରୁଛନ୍ତି। ଅଧିକାଂଶ ସ୍ଥାନରେ ବନ୍ୟଜନ୍ତୁ ଯେତିକି ଫସଲ ଖାଉନାହାନ୍ତି, ତା’ଠାରୁ ଅଧିକ ଦଳିଚକଟି ନଷ୍ଟ କରିପକାଉଛନ୍ତି। ସେହିପରି ଗୋଲାପଡ଼ା, ସାଦରା ଓ ଗୋପୀନାଥପୁର ଇଲାକାରେ ମାଙ୍କଡ଼ପଲଙ୍କ ଉତ୍ପାତ ଚିନ୍ତା ବଢ଼ାଇଛି ବୋଲି ଚାଷୀ ନେତା ଭକ୍ତରାମ ‌ଜେନା ପ୍ରକାଶ କରିଛନ୍ତି। ଏଥିସହ ପରିବା କ୍ଷେତରେ ପଶି ମାଙ୍କଡ଼ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। କିଛି ସ୍ଥାନରେ ବନ୍ୟଜନ୍ତୁଙ୍କୁ ଘଉଡ଼ାଇବାକୁ ବନ ବିଭାଗର ସହଯୋଗ ନିଆଯାଉଛି।

ତେବେ ଅଧିକାଂଶ ଗ୍ରାମରେ ଚାଷୀ ନିଜ ଫସଲକୁ ନିଜେ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି। ମଞ୍ଚା ବାନ୍ଧି ରାତି ଉଜାଗର ରହୁଛନ୍ତି। କିନ୍ତୁ ଏହା ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି। କାରଣ କିଛିଦିନ ତଳେ ତାରସିଂ ବନାଞ୍ଚଳର କ୍ଷେତମୁଣ୍ଡଳି ଗ୍ରାମରେ ପବିତ୍ର ପାତ୍ର ଜମିରେ ଜଗିଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ତଥାପି ଚାଷୀ ଜୀବନକୁ ବାଜିରେ ଲଗାଇ ଫସଲକୁ ସୁରକ୍ଷା ଦେବାକୁ ବାଧ୍ୟ ହେଉଛନ୍ତି। କାରଣ ବନ୍ୟଜନ୍ତୁ ଫସଲ କ୍ଷତି କଲେ ବନ ବିଭାଗ ପକ୍ଷରୁ ଉଚିତ କ୍ଷତିପୂରଣ ମିଳୁ ନଥିବା ଚାଷୀ କହିଛନ୍ତି। ସେହିପରି କିଛି ସ୍ଥାନରେ ଫସଲକୁ ବନ୍ୟଜନ୍ତୁ ଦାଉରୁ ରକ୍ଷା କରିବାକୁ ଜମିରେ ବିଦ୍ୟୁତ୍ ତାର ବିଛାଯାଉଛି। ଏଭଳି ପରିସ୍ଥିତିରେ ସମ୍ଭାବ୍ୟ ବାତ୍ୟାର ଆକଳନକୁ ନେଇ ଚାଷୀ ଛାତିରେ ଛନକା ପଶିଛି। ଯଦି ଆକଳନ ସତ ପ୍ରମାଣିତ ହୁଏ, ତା’ହେଲେ ଚାଷୀକୁ ବଡ଼ଧରଣର କ୍ଷତି ସହିବାକୁ ପଡ଼ିବ। ଫଳ‌ରେ ଫସଲ ସୁରକ୍ଷା କେମିତି ହେବ, ଏହାକୁ ନେଇ ଚାଷୀ ସନ୍ଦିହାନରେ ପଡ଼ିଛି।

ସମ୍ବନ୍ଧିତ ଖବର