୩୦ରେ କୃଷକ ଅଧିକାର ଚେତାବନୀ ସମାବେଶ

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୩୦ରେ ଗାନ୍ଧୀମାର୍ଗରେ କୃଷକ ଅଧିକାର ଚେତାବନୀ ସମାବେଶର ଆହ୍ଵାନ ଦେଇଛି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ଵୟ ସମିତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ଶ୍ରେଣୀ ପ୍ରତି ଭେଦଭାବ, ନ୍ୟାୟପୂର୍ଣ୍ଣ ନୀତି ନିଷ୍ପତ୍ତି ପ୍ରତିବାଦରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

ଆଜି ଲୋହିଆ ଏକାଡେମିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ୮ଦଫା ଦାବି ଉପରେ ସଂଗଠନ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା। କେନ୍ଦ୍ରର ବିଜେପି ସରକାର କ୍ଷମତାକୁ ଆସିବା ପୂର୍ବରୁ ସ୍ୱାମୀନାଥନ କମିସନ ଲାଗୁ କରିବା ପାଇଁ କହିଥିଲେ। ମାତ୍ର କ୍ଷମତାକୁ ଆସିବାର ୩ବର୍ଷ ପୂରିଥିଲେ ହେଁ କେନ୍ଦ୍ର ସରକାର ଏହାକୁ ଲାଗୁ କରିବା ନେଇ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ସେହିପରି ବିଧାନସଭାରେ ଧାନ ଦର କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା କରିବା ପାଇଁ ସର୍ବସମ୍ମିତକ୍ରମେ ପାରିତ ହୋଇଥିଲା। ମାତ୍ର ତାହା ଆଜି ପର୍ଯ୍ୟନ୍ତ ଲାଗୁ ହୋଇପାରି ନାହିଁ। ସେହିପରି ଚାଷୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରାଯାଇଥିଲେ ହେଁ ତାହା କେବଳ ବୀମା କମ୍ପାନିମାନଙ୍କୁ ସୁହାଉଛି। ଏଥିରେ ଚାଷୀ କୌଣସି ଲାଭ ପାଉନାହିଁ। ତେଣୁ ଏସବୁ ଦାବି ଉପରେ ଚାଷୀମାନେ ସ୍ୱର ଉତ୍ତୋଳନ କରିବେ।

ଏହି ସମାବେଶରେ ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ଵୟ ସମିତିର ନେତୃମଣ୍ଡଳୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମାବେଶ ଲାଗି ଜନମତ ଜାଗ୍ରତ କରିବା ପାଇଁ ଆସନ୍ତା ୮ରୁ ୧୬ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ କୃଷକ ଚେତନା ଯାତ୍ରା କରାଯିବ। ଋଷିକୂଲ୍ୟା ରୟତ ମହାସଂଘ(ଗଞ୍ଜାମ), ଚାଷୀ ଏକତା ମଞ୍ଚ(ବାଲେଶ୍ୱର), କୃଷିଜୀବୀ ସାମ୍ମୁଖ୍ୟ(ମୟୂରଭଞ୍ଜ), ନୀଳାଚଳ କୃଷକ ସଂଘ(ପୁରୀ), ଓଡ଼ିଶା ଚାଷୀ ଜାଗରଣ ମଞ୍ଚ ମଧ୍ୟ ଏହି ଅଭିଯାନରେ ନିଜକୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟସ୍ତରରେ ଏକ କୃଷକ ସଂଗଠନ ସମନ୍ଵୟ ସମିତି ଓଡ଼ିଶା ଗଠନ ପାଇଁ ମଧ୍ୟ ସହମତି ପକାଶ ପାଇଛି। ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଆବାହକ ଲିଙ୍ଗରାଜ, ପ୍ରବକ୍ତା ସରୋଜ ମହାନ୍ତି, ପ୍ରସ୍ତୁତି କମିଟି ସଦସ୍ୟ ଦେବୀ ପୃଷ୍ଟି, ଅଶୋକ ପ୍ରଧାନ, ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର