ବୀମା ସହାୟତାରୁ ବଞ୍ଚିତ ଚାଷୀ ପାଇବେ କ୍ଷତିପୂରଣ 

ଉପକୃତ ହେବେ ଗଞ୍ଜାମର ୯ ପଞ୍ଚାୟତର ଚାଷୀ, ୨୦୨୧-୨୨ରେ ବର୍ଷା ଯୋଗୁଁ ନଷ୍ଟ ହୋଇଥିଲା ଧାନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ୨୦୨୧-୨୨ ଖରିଫ୍‌ ଋତୁରେ ଅଦିନିଆ ବର୍ଷା ଯୋଗୁଁ ବହୁ ମାତ୍ରାରେ ଧାନଫସଲ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଏମ୍‌)ରେ ଅନ୍ତର୍ଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ପ୍ରଶାସନ ତରଫରୁ ଘୋଷଣା କରାଯାଇଥିଲା। କିନ୍ତୁ ୫ଟି ବ୍ଲକ୍‌ର ୯ଟି ପଞ୍ଚାୟତର ଚାଷୀ ବୀମା ରାଶି ପାଇବାରୁ ବଞ୍ଚିତ ହୋଇଥିଲେ। ଏନେଇ ଋଷିକୁଲ୍ୟା ରୟତ ମହାସଭା ତରଫରୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେହିପରି ଚାଷୀଙ୍କ ସମସ୍ୟା ନେଇ ବ୍ରହ୍ମପୁର ସହରର ଯୁବ ସାମାଜିକକର୍ମୀ ରବୀନ୍ଦ୍ର କୁମାର ମିଶ୍ର ମୁଖ୍ୟ ଶାସନ ସଚିବ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ଗଞ୍ଜାମ ଜିଲ୍ଲାପାଳ ବୀମା ସହାୟତାରୁ ବାଦ୍‌ ପଡ଼ିଥିବା ପ୍ରକୃତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଏଗ୍ରିକଲଚର୍‌ ଇନ୍‌ସ୍ୟୁରାନ୍ସ କମ୍ପାନି(ଏଆଇସି) କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଫଳରେ ବୀମା ସହାୟତାରୁ ବାଦ୍‌ ପଡ଼ିଥିବା ଚାଷୀ କ୍ଷତିପୂରଣ ପାଇବା ଆଶା ଉଜ୍ଜୀବିତ ହୋଇଛି।

ଉପକୂଳବର୍ତ୍ତୀ ଗଞ୍ଜାମ ଜିଲ୍ଲା ଗତକିଛି ବର୍ଷ ହେଲା ଲଗାତାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି। ଗତ ୨୦୨୧-୨୨ରେ ମଧ୍ୟ ଲଘୁଚାପଜନିତ ବର୍ଷା ଯୋଗୁଁ ଜିଲ୍ଲାରେ ବହୁ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଥିଲା। କୃଷି ଓ ରାଜସ୍ବ ବିଭାଗ ତରଫରୁ ସର୍ଭେ କରାଯାଇଛି କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ସେହି ଅନୁସାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ପିଏମ୍‌ଏଫ୍‌ବିଏମ୍‌ରେ କ୍ଷତିପୂରଣ ପ୍ରଦାନ ପାଇଁ  ପଦକ୍ଷେପ ଆରମ୍ଭ ହୋଇଥିଲା।

କିନ୍ତୁ ଗଞ୍ଜାମ ଜିଲ୍ଲାର ୫ଟି ବ୍ଲକ୍‌ ଯଥା, ରଂଗେଇଲୁଣ୍ଡା, ଛତ୍ରପୁର, ବୁଗୁଡ଼ା, ସାନଖେମୁଣ୍ଡି ଓ କବିସୂର୍ଯ୍ୟନଗରର ପ୍ରାୟ ୯ଟି ପଞ୍ଚାୟତ ଏଥିରୁ ବାଦ୍‌ ପଡ଼ିଥିଲେ। ଏନେଇ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକଙ୍କ ନେତୃତ୍ବରେ ଚାଷୀମାନେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ଛତ୍ରପୁର ବିଧାୟକ ସୁବାସ ବେହେରାଙ୍କ ସମେତ ଅନ୍ୟ ଜନପ୍ରତିନିଧିମାନେ ଗତ ସେପ୍ଟେମ୍ବର ୧୫ତାରିଖରେ ଛତ୍ରପୁରରେ ହୋଇଥିବା ଜିଲ୍ଲା ଉନ୍ନୟନ, ସମନ୍ବୟ ଓ ମନିଟରିଂ କମିଟି ବୈଠକରେ ଉଦ୍‌ବେଗ ପ୍ରକାଶ କରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ। ଅନ୍ୟପଟେ ସାମାଜିକକର୍ମୀ ଶ୍ରୀ ମିଶ୍ର ମଧ୍ୟ ଏ ନେଇ ମୁଖ୍ୟ ଶାସନ ସଚିବଙ୍କ ଜନ ଶୁଣାଣିରେ ଗତ ସେପ୍ଟେମ୍ବର ୧୬ତାରିଖରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗର ତ୍ବରିତ ସମାଧାନ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଚିଠି କରିଥିଲେ।

ବୀମା ସଂସ୍ଥା ଏଆଇସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇ ବାଦ୍‌ ପଡ଼ିଥିବା ଚାଷୀଙ୍କୁ କ୍ଷତିପୂରଣ ପ୍ରଦାଦ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ମିଶ୍ରଙ୍କୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏନେଇ ଚିଠି ମାଧ୍ୟମରେ ଅବଗତ କରାଯାଇ ତାଙ୍କର ଅଭିଯୋଗ ସମାଧାନ କରାଯାଇଥିବା ସୂଚନା ଦିଆଯାଇଛି।

ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ କ୍ରମେ ବୀମା ସୁବିଧାରୁ ବଞ୍ଚିତ ଚାଷୀଙ୍କୁ କ୍ଷତିପୂରଣ ମିଳିବ। ରଂଗେଇଲୁଣ୍ଡା ବ୍ଲକ୍‌ର କୋଳଥିଗାଁ, ଲଉଡ଼ିଗାଁ, ମେଣ୍ଡରାଜପୁର, ଛତ୍ରପୁର ବ୍ଲକ୍‌ର ବଡ଼ମାଧପୁର, ବୁଗୁଡ଼ା ବ୍ଲକ୍‌ର କରଚୂଲି, ସଙ୍କୁରୁ, ସାନଖେମୁଣ୍ଡି ବ୍ଲକ୍‌ର ଗଙ୍ଗାପୁର, କବିସୂର୍ଯ୍ୟନଗର ବ୍ଲକ୍‌ ଆମ୍ବପୁଆ ଓ ନନ୍ଦିଘର ପଞ୍ଚାୟତର ହଜାର ହଜାର ଚାଷୀ ଏହା ଦ୍ବାରା ଉପକୃତ ହେବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର