ଡୁଙ୍ଗୁରିପାଲି : ମିଲ୍‌କୁ ଚାଷୀଙ୍କ ଧାନ ଯାଇ ଚାଉଳ ହୋଇ ସାରିଲାଣି, ଅଥଚ ଚାଷୀଙ୍କ ଟୋକନ ଲାପ୍‌ସ ହୋଇଯାଇଛି। ଧାନ ବିକ୍ରି କରି ସାରିବା ପରେ ଟଙ୍କା ପାଇ ପାରି ନଥିବା ଚାଷୀ ଶୁକ୍ରବାର ଏକ ଧାନ ବୋଝେଇ ଟ୍ରକ୍‌କୁ ଅଟକ ରଖିଥିବା ଜଣାଯାଇଛି।

Advertisment

ଅଭିଯୋଗରୁ ପ୍ରକାଶ ସୁନାପାଲି ଗ୍ରାମର ଚାଷୀ ପଙ୍କଜ ପଧାନ ଗତ ଡିସେମ୍ବର ୧୮ ତାରିଖର ଟୋକନ ପାଇଥିଲେ। ସମଲେଶ୍ବରୀ ଏସ୍‌ଏଚ୍‌ଜି ତତ୍ତ୍ବାବଧାନରେ ସେ ସୁନାପାଲିଠାରେ ତାଙ୍କ ଧାନକୁ ଗଚ୍ଛିତ ରଖିଲେ। ପୁଣି ଏସ୍‌ଏଚ୍‌ଜିଙ୍କ କହିବା ମୁତାବକ ତାଙ୍କ ଧାନକୁ ଏସ୍‌ଏଚ୍‌ଜି ମଣ୍ଡିକୁ ଆଣି ଏକ ମିଲକୁ ଦେଲେ। ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ମିଲ୍‌କୁ ଯାଇଥିବା ଧାନର ପରିମାଣ ଏକ ରସିଦରେ ଲେଖାଥିବା ବେଳେ କେଉଁମିଲର ଉକ୍ତ କାଗଜ ତାହା ଲେଖାନାହିଁ। ମିଲକୁ ଧାନ ଦେଇଥିଲେ ସୁଦ୍ଧା ଏସ୍‌ଏଚ୍‌ଜିରେ ଏଣ୍ଟ୍ରି ହୋଇନଥିବା ଯୋଗୁଁ ସେ ବିକ୍ରି ପ୍ରାପ୍ୟ ପାଇପାରି ନଥିବା ଅଭିଯୋଗ କରିଛନ୍ତି। ସେହିପରି ଚାଷୀ ଗୋପୀନାଥ ମିର୍ଦ୍ଧା ବି ସମଦଶାରେ ପଡ଼ିଥିବା ଅଭିଯୋଗ କରିଛନ୍ତି। ତାଙ୍କ ୧୮୪ କ୍ବିଣ୍ଟାଲ ଧାନ ମିଲକୁ ଦେଇ ସାରିଥିବା ବେଳେ ଏଣ୍ଟ୍ରି ହୋଇପାରି ନଥିବା ଯୋଗୁଁ ତାଙ୍କ ନିକଟକୁ ଟଙ୍କା ଆସିପାରି ନଥିବା ପ୍ରକାଶ। ତାଙ୍କର ମଧ୍ୟ ଟୋକନ ଲ୍ୟାପ୍‌ସ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଦିଗସିରାର ଚାଷୀ ପବିତ୍ର ମିର୍ଦ୍ଧାଙ୍କ ମଧ୍ୟ ଏପରି ଦୁର୍ଦ୍ଦଶା ହୋଇଥିବା ବେଳେ ତାଙ୍କର ମଧ୍ୟ ଟୋକନ ଲାପ୍ସ ହୋଇଥିବା ସେ ଅଭିଯୋଗ କରିଛନ୍ତି।

publive-image

ଶୁକ୍ରବାର ଚାଷୀଙ୍କ ଅଭିଯୋଗ ପାଇବା ପରେ ଡୁଙ୍ଗୁରିପାଲିର କେତେକ ଗଣମାଧ୍ୟମ ପ୍ରତିନିଧି ସମଲେଶ୍ବରୀ ଏସ୍‌ଏଚ୍‌ଜିକୁ ଯାଇ ବୁଝିବା ବେଳେ ସେଠାରେ ଏକ ରାଇସମିଲର ଏଜେଣ୍ଟ ଧାନର ମାନ ନିର୍ଦ୍ଧାରଣ କରୁଥିବା ଜାଣିବାକୁ ପାଇଥିଲେ। ଆହୁରି ମଧ୍ୟ କେତେକ ଚାଷୀ ଅଭିଯୋଗ କରିଥିଲେ ଯେ ମିଲର୍‌ ଏଜେଣ୍ଟ ମଣ୍ଡିକୁ ଆସି କଟ୍‌ନି ଛଟ୍‌ନି କରି ଯାଉଛନ୍ତି। ସଂପୃକ୍ତ ଏସ୍‌ଏଚ୍‌ଜିର ସଭାପତି କହିଥିଲେ ଚାଷୀମାନେ ମିଲକୁ ଧାନ ନେଉଛନ୍ତି କିନ୍ତୁ ମିଲରୁ ରସିଦ ଆଣି ତାଙ୍କୁ ଦେଖାଇଲେ ଏଣ୍ଟ୍ରି ହୁଅନ୍ତା, କିନ୍ତୁ ଚାଷୀ ମିଲର ରସିଦ ନ ଦେଖାଇବାରୁ ଟୋକନ ଲାପ୍ସ ହୋଇଛି ବୋଲି ସେ କହିଥିଲେ। ଧାନ ଗଚ୍ଛିତ ରଖିବା ପାଇଁ ଭିତ୍ତିଭୂମି ନଥିବା ଯୋଗୁଁ ମିଲକୁ ସିଧା ନେବା ପାଇଁ ଆମେ କହିଥିଲୁ ବୋଲି ସେ କହିଥିଲେ। ବର୍ଷାରେ ଅଯଥା ଧାନ ଭିଜିବା ଅପେକ୍ଷା ମିଲରେ ରଖିଲେ ଚାଷୀ ଉପକୃତ ହେବେ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଏହି ମଣ୍ଡିରୁ ଧାନ ନେଇ ଯାଉଥିବା ଏକ ଟ୍ରକ୍‌କୁ ପ୍ରାପ୍ୟ ପାଇନଥିବା ଚାଷୀମାନେ ଅଟକାଇଥିବା ଜଣାଯାଇଛି।