ଚାଷୀଙ୍କୁ ବୀମା ଟଙ୍କା ମିଳୁ ନଥିବାରୁ ଉଦ୍‌ବେଗ

ବୀମା କମ୍ପାନି ସହ ରାଜ୍ୟ ସରକାର ସାଲିସ କରିଛନ୍ତି: ବିରୋଧୀ
କେନ୍ଦ୍ରକୁ ଦୋଷ ଠେଲିଲେ ସମବାୟ ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଚାଷୀଙ୍କୁ ଠିକ୍ ସମୟରେ ଫସଲ ବୀମା ଟଙ୍କା ମିଳୁ ନ ଥିବାରୁ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଟଙ୍କା ମିଳୁ ନ ଥିବାରୁ ଚାଷୀମାନେ ଏବେ ଚାଷ କରିବାକୁ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଥିଲେ। ବୀମା କମ୍ପାନି ସହ ରାଜ୍ୟ ସରକାର ସାଲିସ କରିଛନ୍ତି ବୋଲି ସେମାନେ ଆରୋପ ଲଗାଇଥିଲେ। କିନ୍ତୁ ବିରୋଧୀଙ୍କ ଯୁକ୍ତିକୁ ଗ୍ରହଣ କରି ନଥିଲେ ଶାସକ ଦଳ ସଭ୍ୟମାନେ। ବୀମା କମ୍ପାନି କେନ୍ଦ୍ର ସରକାର ଠିକ୍ କରୁଥିବାରୁ ରାଜ୍ୟର ଦୋଷ ନାହିଁ ବୋଲି ସେମାନେ ପାଲଟା ଯୁକ୍ତି କରିଥିଲେ। ସମବାୟ ମନ୍ତ୍ରୀ ମଧ୍ୟ କେନ୍ଦ୍ରକୁ ଦୋଷ ଠେଲିଥିଲେ।

ଆଜି କଂ‌ଗ୍ରେସ ପକ୍ଷରୁ ‘ରାଜ୍ୟରେ ଚାଷୀ ବୀମା ଟଙ୍କା ଓ କୃଷି ଋଣ ପାଇବାରୁ ବଞ୍ଚିତ ଓ ଚାଷୀ କୁଳ ହତାଶ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା। ଆଲୋଚନା ଆରମ୍ଭ କରି କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଲେ, ଚାଷୀମାନେ ନିଜ ଗହଣା, ବାସନ ବନ୍ଧକ ରଖି ବୀମା ଟଙ୍କା ପ୍ରଦାନ କରୁଛନ୍ତି। କିନ୍ତୁ ଫସଲ ନଷ୍ଟ ହେଲା ପରେ ଚାଷୀ ବୀମା ଟଙ୍କା ପାଉନାହାନ୍ତି। ତାଙ୍କ ଟଙ୍କା କମ୍ପାନି ଖାଉଛି। ବଲାଙ୍ଗୀର ଜିଲ୍ଲାରେ ୧୦୮ ପଞ୍ଚାୟତକୁ ବୀମା ଟଙ୍କା ଦିଆଯାଇ ନାହିଁ। ବୀମା ଟଙ୍କା ନମିଳିଲେ ଚାଷୀ ତଳି ରୋଇ ପାରିବେନି। ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ। ନଚେତ ଦାଦନ ଖଟିବାକୁ ଯିବେ ବୋଲି ସେ ସତର୍କ କରାଇ ଦେଇଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ୨୦୨୦-୨୧ ଖରିଫ ଋତୁରୁ ଅନେକ ଚାଷୀ ବୀମା ପାଇନାହାନ୍ତି। ସେମାନେ ଋଣ ପରିଶୋଧ କିଭଳି କରିବେ? ଏବେ ଚାଷ କରିବେ କେମିତି? ଘରୋଇ ବୀମା କମ୍ପାନି କେବଳ ଲାଭ ଖାଉଛନ୍ତି ଓ ଚାଷୀଙ୍କୁ ଶୋଷଣ କରୁଛନ୍ତି। ଶସ୍ୟ କାଟ ରିପୋର୍ଟକୁ ବୀମା କମ୍ପାନି ଗ୍ରହଣ କରିବାକୁ ବାଧ୍ୟ। କମ୍ପାନି ଏଥିରେ ଆପତ୍ତି କଲେ ସରକାର କାର୍ଯ୍ୟାନୁଷ୍ଠାନ ନେବା ଉଚିତ।

ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ କହିଲେ, ବୀମା କମ୍ପାନି ଚାଷୀଙ୍କୁ ହତାଶ କରୁଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା। ମାତ୍ର ବୀମା କମ୍ପାନି ସହ ଓଡିଶା ସରକାର ହାତ ମିଳାଇ ଚଞ୍ଚକତା କରୁଛନ୍ତି। ବିଜେପି ସଭ୍ୟ ନାଉରୀ ନାୟକ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ପାଇଁ ଫସଲ ବୀମା ଆରମ୍ଭ କଲେ। ଅଥଚ ଚାଷୀ ଅର୍ଥ ପାଉ ନାହାନ୍ତି। କେନ୍ଦ୍ର ଦେଉ ନଥିବା କହିବା ଠିକ ନୁହେଁ। ରାଜ୍ୟ ସରକାର ବୀମା କମ୍ପାନି ସହ ସାଲିସ କରିଛନ୍ତି। ଚାଷୀଙ୍କ ଟଙ୍କା ବକେୟା ପଡ଼ିଥିବା ବେଳେ ସରକାରଙ୍କ ଆନ୍ତରିକତା ନାହିଁ। ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣଗ୍ରାହୀ ଆଲୋଚନାରେ ଭାଗ ନେଇଥିଲେ।

ଶାସକ ଦଳ ସଭ୍ୟ ଭୂପିନ୍ଦର ସିଂହ କହିଲେ, ବୀମା କମ୍ପାନିଗୁଡ଼ିକୁ କେନ୍ଦ୍ର ସରକାର ସ୍ଥିର କରିଥା’ନ୍ତି। ଏହି ତାଲିକା ବାହାରୁ ରାଜ୍ୟ ସରକାର କାହାକୁ ଚୟନ କରିପାରିବେ ନାହିଁ। ଚାଷୀ ପାଇଁ ସରକାର ସବୁବେଳେ ଗୁରୁତ୍ଵ ଦେଇଆସୁଛନ୍ତି। ସମବାୟ ବ୍ୟାଙ୍କ ଜରିଆରେ ଋଣ ଦିଆଯାଉଛି। ବିଧାୟକ ପ୍ରଫୁଲ୍ଲ ସାମଲ, ଦେବେଶ ଆଚାର୍ଯ୍ୟ ଓ ରାଜିକଶୋର ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇ ବୀମା କମ୍ପାନି ବିରୋଧରେ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ କହିଥିଲେ।

ଆଲୋଚନାର ଉତ୍ତର ରଖି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ କହିଲେ, ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଫସଲର ହୋଇଥିବା କ୍ଷତି ଭରଣା ପାଇଁ ୨୦୧୬ ଖରିଫ ଋତୁରୁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ପ୍ରତ୍ୟେକ ଋତୁ ପାଇଁ ସେହି ଋତୁର ପ୍ରକୃତ ଅମଳ ତଥ୍ୟ ଓ ସେହି ଋତୁ ପାଇଁ ଆକଳନ ହୋଇଥିବା ଧାର୍ଯ୍ୟ ଅମଳର ତାରତମ୍ୟକୁ ଆଧାର କରି କ୍ଷତିପୂରଣ ପରିମାଣ ସ୍ଥିର ହୋଇଥାଏ। ଗତ ଖରିଫ ୨୦୨୧ ଋତୁ ପାଇଁ ବର୍ତ୍ତମାନ ସୁଦ୍ଧା ୭୩୫.୨୪ କୋଟି ଟଙ୍କା ବୀମା କ୍ଷତିପୂରଣ ପାଇବା ପାଇଁ ଯୋଗ୍ୟ ଚାଷୀଙ୍କୁ ଟଙ୍କା ପ୍ରଦାନ କରାଯାଇଛି। ଏହି ଖରିଫ ଋତୁରେ ବିଭିନ୍ନ ଜିଲ୍ଲାରେ କିଛି ଗ୍ରାମପଞ୍ଚାୟତର ଅମଳ ତଥ୍ୟକୁ ବୀମା କମ୍ପାନି ଆପତ୍ତି କରିଥିବାରୁ ସେହି ଗ୍ରାମପଞ୍ଚାୟତରେ କ୍ଷତିପୂରଣ ବର୍ତ୍ତମାନ ସୁଦ୍ଧା ପୂରଣ କରାଯାଇପାରି ନାହିଁ। ଏଥି ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ରାଜ୍ୟ ସରକାର ଗତ ୪ ଓ ୧୩ ତାରିଖରେ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଚାଷୀଙ୍କ ହିତ ଦୃଷ୍ଟିରୁ କେନ୍ଦ୍ର ସରକାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର