ରବି ଧାନକିଣାରେ ତେଜିଲା ଚାଷୀ ଅସନ୍ତୋଷ

ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବିଜେପି, କଂଗ୍ରେସର ଆନ୍ଦୋଳନ ଧମକ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଚଳିତ ରବି ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଜିଲ୍ଲାକୁ ଆବଶ୍ୟକ ଟାର୍ଗେଟ ଆସିନଥିବାରୁ ଚାଷୀଙ୍କ ଧାନ ଠିକରେ ପେକ୍ସରୁ କିଣାଯାଇ ପାରୁନି। ଫଳରେ ଅସନ୍ତୋଷ ଦେଖାଦେଇଛି। ସୋମବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏନେଇ ଆନ୍ଦୋଳନ କରାଯାଇଛି। ବିଜେପିର ବରିଷ୍ଠ ନେତା ତଥା ପୂର୍ବ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଲୋଇସିଂହାର ବିଧାୟକ ଡ. ମୁକେଶ ମହାଲିଙ୍ଗ, ଯୁବନେତା ଅନନ୍ତ ଦାସ, ମାଧବ ସାଏ, ଲକ୍ଷ୍ମଣ ବାଗ, ଅମିତ ସିଂନିନା, ଭକ୍ତବନ୍ଧୁ ନାୟକ, ସୁନୀଲ ମିଶ୍ର ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷୀଙ୍କ ଧାନକୁ ତୁରନ୍ତ କିଣିବାକୁ ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ତୁରନ୍ତ ଚାଷୀଙ୍କ ଧାନ କିଣିବାର ବ୍ୟବସ୍ଥା କରାଯାଉ ବୋଲି ନେତାମାନେ ଦାବି କରିଥିଲେ।

ସେହିପରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲୀପ ବେହେରା, ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଚାଷୀଙ୍କୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲେ। ଜିଲ୍ଲାପାଳଙ୍କୁ ପ୍ରତିନିଧି ମଣ୍ଡଳି ସାକ୍ଷାତ କରି ଚାଷୀଙ୍କ ସମସ୍ୟା ଅବଗତ କରାଇଥିଲେ। ଆଗାମୀ ଦିନରେ ଚାଷୀଙ୍କ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି କଂଗ୍ରେସ ପକ୍ଷରୁ କହାଯାଇଛି। ପ୍ରତିନିଧି ମଣ୍ଡଳିରେ ଗଗନ ବେହେରା, ରମାକାନ୍ତ କୁମ୍ଭାର, ତୀର୍ଥ ସାହୁ, ଗୌରାଙ୍ଗ ସାହୁ, ବୃନ୍ଦାବନ ପଟେଲ, ଯଦୁ ପ୍ରଧାନ, ଗୌର ବେହେରା, ଧୃବ ପଟେଲ, ଶ୍ୟମ ସାଏ ପ୍ରମୁଖ ରହିଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ରବିରେ ବଲାଙ୍ଗୀର ଜିଲ୍ଲାରେ ୮୮୬୫ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଏହି ଜମିର ଧାନକୁ ବିକ୍ରି କରିବା ପାଇଁ ୪୦୫୩ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଜିଲ୍ଲାରେ ମୋଟ ୨ଲକ୍ଷ ୨୦ହଜାର କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ହୋଇଛି। ଜିଲ୍ଲାରେ ମୋଟ ୯୩ଟି ପେକ୍ସରେ ମଣ୍ଡି ଖୋଲି ଧାନ କିଣା ଆରମ୍ଭ ହୋଇଛି। କିନ୍ତୁ ମୋଟରେ ଜିଲ୍ଲାକୁ ମାତ୍ର ୫୮୮୦୦କ୍ୱିଣ୍ଟାଲ ଧାନକିଣା ଟାର୍ଗେଟ ଆସିଛି। ଜୁନ ଶେଷ ସୁଦ୍ଧା ଧାନିକିଣା ସାରିବାକୁ ସରକାରୀ ନିର୍ଦ୍ଦେଶ ରହିଛି। କିନ୍ତୁ ଜୁନ ମାସର ଗୋଟିଏ ସପ୍ତାହ ଚାଲିଯାଇଥିବା ବେଳେ ଜିଲ୍ଲାରେ ମାତ୍ର ୪୮,୬୬୪କ୍ୱିଣ୍ଟାଲ ଧାନ କିଣାଯାଇଛି। ଏପର୍ଯ୍ୟନ୍ତ ୪୦୫୩ଜଣ ଚାଷୀଙ୍କ ମଧ୍ୟରୁ ୧୧୦୬ଜଣ ଚାଷୀଙ୍କର ଧାନ କିଣାଯାଇଛି। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ରାଜ୍ୟ ସରକାର ତୁରନ୍ତ ଧାନକିଣାକୁ ବ୍ୟବସ୍ଥିତ କରିବାକୁ ଚାଷୀମାନେ ଦାବି କରୁଛନ୍ତି। ଏ ନେଇ ବଲାଙ୍ଗୀର ସିଏସ୍‌ଓ ବିକ୍ରମ ମାଝୀଙ୍କୁ ପଚାରିବାରୁ ସରକାରଙ୍କୁ ଟାର୍ଗେଟ ମଗାଯାଇଛି, ଆସିଲେ ଧାନ ସୁରୁଖୁରୁରେ କିଣାଯାଇ ପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର