‘ପିଏମ୍‌ କିଷାନ୍‌ ନିଧି ଯୋଜନା’ରେ ଚାଷୀଙ୍କୁ ମିଳୁନି ଟଙ୍କା

ବାଲେଶ୍ବର: ‘ପିଏମ୍‌ କିଷାନ୍‌ ନିଧି ଯୋଜନା’ରେ ସହାୟତା ପାଇବା ପାଇଁ ୨୦୨୦ ମସିହାରେ ପଞ୍ଜୀକରଣ କରିଥିଲି। ହେଲେ ଆଜିଯାଏଁ ଖାତାକୁ ଟଙ୍କା ଆସିଲାନାହିଁ। ବାରମ୍ବାର ବ୍ଲକ ଅଫିସ୍‌ ଦୌଡ଼ି ଦୌଡ଼ି ଥକିଗଲିଣି। ଅସୁବିଧା କେଉଁଠି ରହିଛି ବୁଝିବାରୁ ଜିଲ୍ଲା କୃଷି କାର୍ଯ୍ୟାଳୟରେ ପାଖରେ କାମ ଅଟକିଛି ବୋଲି ଜାଣିବାକୁ ପାଇଲି। ଏନେଇ ବାରମ୍ବାର ବି ଅଭିଯୋଗ କଲିଣି ହେଲେ କିଛି ସୁଫଳ ମିଳିଲାନାହିଁ। ଏ ବାବଦରେ ରାଜ୍ୟ କୃଷି ବିଭାଗକୁ ମେଲ୍‌ ବି କରିଥିଲି। ଜିଲ୍ଲା ସ୍ତରରେ ଜମି ସଂପର୍କିତ କାଗଜପତ୍ର ପେଣ୍ଡିଂ ରହିଛି, ବ୍ଲକ୍‌ ଜରିଆରେ ଜିଲ୍ଲା କୃଷି ଅଧିକାରୀ ଯାଞ୍ଚ୍‌ କରି ପଠାଇଲେ ଆମେ ରେଜିଷ୍ଟର କରିପାରିବୁ  ବୋଲି ବିଭାଗୀୟ ଅଧିକାରୀ କହିଲେ। ପରେ ଏନେଇ ମୋତେ ଆସିଥିବା ମେଲ୍‌ ସଂପର୍କରେ ମୁଁ ବ୍ଲକ ଅଫିସ୍‌ରେ ଦେଖାଇଥିଲି।

ଅଭିଯୋଗ ପରେ ବି ଫଳ ଶୂନ୍‌

କୃଷି ବିଭାଗର ଦାୟିତ୍ବହୀନତାକୁ ଦାୟୀ କଲେ ଚାଷୀ

ଜିଲ୍ଲାରେ ୧୦ ହଜାରରୁ ଅଧିକ ଚାଷୀ ବଞ୍ଚିତ

ଏହା ପରେ ପୁଣି ମୁଁ ନଭେମ୍ବରରେ ଥରେ, ଡି‌ସେମ୍ବରରେ ଥରେ ଓ ଜାନୁଆରିରେ ଥରେ ଏମିତି ତିନିଥର ଜମିର କାଗଜପତ୍ର ଦେଲି। ହେଲେ ଜଣଙ୍କର ଆମେ ପ‌ଠାଇପାରିବୁନି। ଅଧିକ ଅଭିଯୋଗ ଆସିଲେ ପଠାଇବୁ ବୋଲି ବ୍ଲକ୍‌ ଅଫିସ୍‌ରେ କୁହାଗଲା। ଏମିତି ହୋଇ ତିନିମାସ ବିତିଗଲା; କିଛି ନ ହେବାରୁ ମୁଁ ପୁଣି ଆଉ ଥରେ ରାଜ୍ୟ କୃଷି ବିଭାଗକୁ ଜଣାଇଥିଲି। ଏନେଇ ଜିଲ୍ଲା କୃଷି ବିଭାଗକୁ ୩ ଥର ରିମାଇଣ୍ଡର ବି ଆସିଲା। ଚାପ ପଡ଼ିବା ପରେ ଜିଲ୍ଲା କୃଷି ବିଭାଗରୁ ମୋତେ ଫୋନ୍‌ ଆସିଲା, ଆଉ ସମସ୍ୟା ସଂପର୍କରେ ପଚାରି ବୁଝିଲେ।

ମୁଁ ସମସ୍ତ କଥା କହିଥିଲି। ନିର୍ବାଚନ ସମୟରେ ଆମେ ସମସ୍ତେ ବ୍ୟସ୍ତ ଅଛୁ। ଆପଣ ବାରମ୍ବାର କାହିଁକି ରାଜ୍ୟ କୃଷି ବିଭାଗକୁ ଜଣାଉଛନ୍ତି। ଧୈର୍ଯ୍ୟ ଧରନ୍ତୁ। ନିର୍ବାଚନ ସରିଲା ପରେ ପଠାଇଦିଆଯିବ ବୋଲି କୁହାଗଲା। ହେଲେ ଦୁର୍ଭାଗ୍ୟ, ଆଜିଯାଏଁ କିଛି ହେଲାନାହିଁ। ସେପଟେ ରାଜ୍ୟ କୃଷି ବିଭାଗ ଜିଲ୍ଲା କୃଷି ବିଭାଗ ଉପରେ ଦାୟିତ୍ବ ଦେଇ ହାତ ଟେକିଦେଇଛନ୍ତି। ମୁଁ ବୁଝିପାରୁନି କାହିଁକି ଏମିତି ଜଣେ ଚାଷୀଙ୍କୁ ନିରାଶ କରାଯାଉଛି। ସରକାର ସମସ୍ତଙ୍କୁ ସହାୟତା ଦେଉଛନ୍ତି ହେଲେ ମୁଁ କି ପାପ କରିଛି ବୋଲି ଜଳେଶ୍ବର ବ୍ଲକ କେଶପୁରା କୋଟସାହି ଅଞ୍ଚଳର ଚାଷୀ କମଳାକାନ୍ତ ନାୟକ କହିଛନ୍ତି। ଖାଲି ମୋର ଏମିତି ନୁହେଁ, ଜଳେଶ୍ବର ବ୍ଲକରେ ୧ ହଜାରରୁ ଅଧିକ ଚାଷୀ କୌଣସି କାରଣରୁ ଟଙ୍କା ପାଇନାହାନ୍ତି।

ପିଏମ୍‌ କିଷାନ୍‌ ନିଧି ଯୋଜନାରେ କେନ୍ଦ୍ର ସରକାର ବର୍ଷକୁ ଚାଷୀଙ୍କୁ ୬ ହଜାର ଟଙ୍କା ପ୍ରଦାନ କରୁଥିବା ବେଳେ ଜିଲ୍ଲାରେ ବହୁ ଚାଷୀଙ୍କ ଆକାଉଣ୍ଟରେ ଏହି ଟଙ୍କା ପଡ଼ୁନାହିଁ। ଆଧାରକାର୍ଡ ଭୁଲ୍‌ ରହିବା, ଜମି କାଗଜପତ୍ର ଭୁଲ୍‌ ରହିବା ଆଦି କାରଣରୁ ଚାଷୀ ଏହି ସୁବିଧାରୁ ବଂଚିତ ହେଉଛନ୍ତି। ହେଲେ ଏ ଦିଗରେ ବହୁ ଚାଷୀ ଜାଣିନଥିବାରୁ ଚୁପ୍‌ହୋଇ ରହିଛନ୍ତି। ଆଉ କାରଣ ଖୋଜି ଖୋଜି ଶେ‌ଷରେ ନିରାଶ ହୋଇଛନ୍ତି। କୃଷି ବିଭାଗ ପକ୍ଷରୁ କିନ୍ତୁ ଏ ଦିଗରେ କୌଣସି ସୂଚନା ଚାଷୀଙ୍କୁ ଦିଆଯାଉନାହିଁ। କମଳାକାନ୍ତଙ୍କ ପରି ଯଦିଓ କିଛି ଚାଷୀ ଅସୁବିଧା ସଂପର୍କରେ ଜାଣୁଛନ୍ତି କୃଷି ବିଭାଗର ଅବହେଳା ପାଇଁ କିଛି ସୁଫଳ ପାରୁନାହାନ୍ତି। ଜିଲ୍ଲାରେ ୪ ଲକ୍ଷରୁ ଅଧିକ ଚାଷୀ ରହିଥିବା ବେଳେ ଏମିତି ୧୦ ହଜାରରୁ ଅଧିକ ଚାଷୀଙ୍କ ଖାତାକୁ ଟଙ୍କା ଆସୁନାହିଁ।

ତେବେ ଯେଉଁ ଚା‌‌ଷୀମାନଙ୍କ ଖାତାକୁ ଟଙ୍କା ଆସୁନାହିଁ। ସେମାନେ ଚାହିଁଲେ ବି ଆଉ ଥରେ ନୂଆ ପଞ୍ଜୀରକରଣ କରିପାରୁନାହାନ୍ତି। କାରଣ ଥରେ ଯଦି ସେହି ଲିଙ୍କ୍‌ରେ ଆଧାରକାର୍ଡ ଏଣ୍ଟ୍ରି ହୋଇଯାଇଛି, ଆଉ ଥରେ ଦେ‌ଲେ ‌ନେଉନଥିବା ଅଭିଯୋଗ ହୋଇଛି। ତେଣୁ ଏହି କାମ କୃଷି ବିଭାଗ ହିଁ କରିପାରିବ। ହେଲେ ଜିଲ୍ଲା କୃଷି ବିଭାଗ ଏଥିପ୍ରତି ଆଦୌ ଗୁରୁତ୍ବ ଦେଉନାହିଁ। ପିଏମ୍‌ କିଷାନ୍‌ ଯୋଜନା କେନ୍ଦ୍ର ସରକାରଙ୍କର ବୋଲି ଜାଣିଶୁଣି ବୋଧେ ଏଥିପ୍ରତି ଗୁରୁତ୍ବ ଦିଆଯାଉନାହିଁ ବୋଲି ବହୁ ଚାଷୀ କହିଛନ୍ତି।

ସମ୍ବନ୍ଧିତ ଖବର