ଭୁବନେଶ୍ବର : କୁଆଡ଼େ ଗଲା ୨୨ ଶହ ୬ କୋଟି ୯୨ ଲକ୍ଷ ୨୫ ହଜାର ୩୯୬ ଟଙ୍କା? ୧୦ ବର୍ଷ ମଧ୍ୟରେ ଧାନ ସଂଗ୍ରହ ପାଇଁ ବସ୍ତା ବାବଦରେ ଏହି ଟଙ୍କା ଖର୍ଚ ହୋଇଛି ବୋଲି ସୂଚନା ଅଧିକାର ଅନ୍ତର୍ଗତରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। କିନ୍ତୁ ଏ ଅର୍ଥରୁ ଟଙ୍କାଟିଏ ବି ଚାଷୀଙ୍କୁ ମିଳିନି। ରାଜ୍ୟର ବିଭିନ୍ନ ସ୍ଥାନର ଚାଷୀମାନେ ମଣ୍ଡିରେ ବିକ୍ରି ପାଇଁ ନିଜ ବସ୍ତାରେ ଧାନ ପୂରାଇ ନେଇ ଯାଉଥିଲେ ବି ଏହା ଫେରି ପାଉ ନଥିବା ନେଇ ଅଭିଯୋଗ କରନ୍ତି। ଏହା ବାବଦରେ ଟଙ୍କା ଦେବା ପାଇଁ ଦାବି ଉଠିଲେ ବି କେହି ଶୁଣନ୍ତି ନାହିଁ। ତେଣୁ ବର୍ଷବର୍ଷ ସମୟ ଧରି ଏ ବାବଦରେ ସରକାର ଖର୍ଚ କରୁଥିବା କୋଟି କୋଟି ଟଙ୍କା କୁଆଡ଼େ ଯାଉଛି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଖାଦ୍ୟ ନୀତି ଅନୁଯାୟୀ, ଚାଷୀ ଧାନ ନେଇ ମଣ୍ଡିରେ ଢାଳିବା ପରେ ଏହାର ଓଜନ, ଏଫ୍ଏକ୍ୟୁ ଯାଞ୍ଚ ହୁଏ। ପେକ୍ସ, ଏସ୍ଏଚ୍ଜି କିମ୍ବା ସରକାରଙ୍କ ନିଯୁକ୍ତ ଯେ କୌଣସି ସଂସ୍ଥା ଧାନ କ୍ରୟ କରେ। ବାସ୍ତବ କ୍ଷେତ୍ରରେ ମଣ୍ଡିରେ ସରକାରଙ୍କ ନିଜସ୍ବ ଗୋଦାମ ନ ଥିବାରୁ ଚାଷୀ ମଣ୍ଡିରେ ବିକ୍ରି ଧାନ ପଂଜୀକୃତ କରିବା ପରେ ମିଲ୍କୁ ଯାଏ। ସେଠାରେ ମିଲ୍ ମାଲିକ ଓଜନ ଓ ଏଫ୍ଏକ୍ୟୁ ଯାଞ୍ଚ କରେ। ଏହି ସମୟରେ ଚାଷୀ ନିଜ ପ୍ୟାକେଟ କିମ୍ବା ବସ୍ତାରେ ଧାନ ନେଇଥାଏ। ମଣ୍ଡି ହେଣ୍ଡଲିଂର ନିୟମ ଅନୁସାରେ, ଧାନ ଯେଉଁ ବସ୍ତାରେ ମିଲ୍କୁ ଯାଉଛି ଏହା ଯୋଗାଣ ବିଭାଗ ଦେବା କଥା କିମ୍ବା ଏହା ବାବଦରେ ଅର୍ଥ ଚାଷୀଙ୍କୁ ପ୍ରଦାନ କରାଯିବା କଥା। ମାତ୍ର ଆଜି ପର୍ଯ୍ୟନ୍ତ ଏହା କେବେ ବି ପାଳନ ହୋଇନାହିଁ। ଏପରିକି ଅନେକ ଚାଷୀ ଏ ସମ୍ପର୍କରେ ଅବଗତ ମଧ୍ୟ ନାହାନ୍ତି।
ଉଲ୍ଲେଖଯୋଗ୍ୟ ଯେ ବରଗଡ଼ ଜିଲ୍ଲାର ତଥା ଜୟ କିଷାନ ଆନ୍ଦୋଳନର ସକ୍ରିୟ କର୍ମକର୍ତ୍ତା ରମେଶ ମହାପାତ୍ର, ସୂଚନା ଅଧିକାର ଆଇନ ମାଧ୍ୟମରେ ରାଜ୍ୟ ସରକାରଙ୍କ ଯୋଗାଣ ନିଗମକୁ ଧାନ କ୍ରୟ ବାବଦରେ ବିଭିନ୍ନ ପ୍ରଶ୍ନ କରିଥିଲେ। ସେଥିମଧ୍ୟରେ ଗୋଟିଏ ପ୍ରଶ୍ନ ଥିଲା; ଏକ କ୍ବିଣ୍ଟାଲ ଧାନ କ୍ରୟ ପାଇଁ ଏମ୍ଏସ୍ପି ବ୍ୟତୀତ ସରକାର କେତେ ଟଙ୍କା ଖର୍ଚ କରନ୍ତି? ୧୦ ବର୍ଷ ମଧ୍ୟରେ ଏହାର ହିସାବ, ମୁଖ୍ୟତଃ ଧାନକିଣା ବସ୍ତା ବାବଦରେ କେତେ ଟଙ୍କା ଖର୍ଚ କରିଛନ୍ତି, ଏହାର ବର୍ଷ ୱାରି ରିପୋର୍ଟ ପ୍ରଦାନ ପାଇଁ ଆବେଦନ କରିଥିଲେ। ଏହାର ଉତ୍ତରରେ ୧୦ ବର୍ଷ ମଧ୍ୟରେ ଧାନ କ୍ରୟ ପାଇଁ ବସ୍ତା ବାବଦରେ ୨୨ ଶହ ୬ କୋଟି ୯୨ ଲକ୍ଷ ୨୫ ହଜାର ୩୯୬ ଟଙ୍କା ଖର୍ଚ କରାଯାଇଥିବା ନେଇ ଯୋଗାଣ ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୮ ମସିହାରେ ୩୨୦ କୋଟି ୬ ଲକ୍ଷ ୫୪ ହଜାର ୯୬୫ ଟଙ୍କା, ୨୦୧୭ ମସିହାରେ ୪୧୪ କୋଟି ୫୯ ଲକ୍ଷ ୬୨ ହଜାର ୫୧୫ ଟଙ୍କା, ୨୦୧୬ ମସିହାରେ ୨୯୪ କୋଟି ୮୨ ଲକ୍ଷ ୧୩ ହଜାର ୨୬୩, ୨୦୧୫ ମସିହାରେ ୨୩୨ କୋଟି ୨୨ ଲକ୍ଷ ୮୬ ହଜାର ୭୯୫ ଟଙ୍କା, ୨୦୧୪ ମସିହାରେ ୨୪୦ କୋଟି ୪୭ ଲକ୍ଷ ୨୩ ହଜାର ୮୫୧ ଟଙ୍କା, ୨୦୧୩ ମସିହାରେ ୨୦୫ କୋଟି ୩୭ ଲକ୍ଷ ୧୩ ହଜାର ୩୫୨ ଟଙ୍କା, ୨୦୧୨ ମସିହାରେ ୧୫୬ କୋଟି ୫୮ ଲକ୍ଷ ୮୯ ହଜାର ୬୬୭ ଟଙ୍କା, ୨୦୧୧ ମସିହାରେ ୯୭ କୋଟି ୪୦ ଲକ୍ଷ ୯୭ ହଜାର ୧୪୭ ଟଙ୍କା, ୨୦୧୦ ମସିହାରେ ୧୪୮ କୋଟି ୩୩ ଲକ୍ଷ ୧୨ ହଜାର ୮୨୯ ଟଙ୍କା, ୨୦୦୯ ମସିହାରେ ୯୭ କୋଟି ୩ ଲକ୍ଷ ୭୧ ହଜାର ୧୨ ଟଙ୍କା ଖର୍ଚ ହୋଇଛି। ଏହାପରେ ରମେଶ ଧାନ ସଂଗ୍ରହରେ ବ୍ୟବହୃତ ବସ୍ତା ବାବଦରେ କେତେ ଟଙ୍କା ଯୋଗାଣ କାର୍ଯ୍ୟାଳୟକୁ ମିଳିଛି; ତାହା ଜାଣିବା ଲାଗି ବରଗଡ଼ କାର୍ଯ୍ୟାଳୟକୁ ସୂଚନା ମାଗିଥିଲେ। ମାତ୍ର ସେମାନେ କୌଣସି ଟଙ୍କା ପାଇନଥିବା ଜଣାଇଥିଲେ। ସରକାର ବସ୍ତା ବାବଦରେ ଟଙ୍କା ଦେଉ ନାହାନ୍ତି ଏଣେ ବସ୍ତା ଟେଣ୍ଡର କରାଯାଉଥିବା ନେଇ ମଧ୍ୟ ସୂଚନା ରହିଛି। ତେଣୁ ମଣ୍ଡି ହେଣ୍ଡଲିଂ ନେଇ ଚାଷୀ ସପକ୍ଷବାଦୀ ବ୍ୟବସ୍ଥାରୁ କୋଟିକୋଟି ଟଙ୍କାର ଲାଭ କିଏ ଉଠାଉଛି, ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଚାଷୀଙ୍କୁ ତାହାର ପ୍ରାପ୍ୟ ପ୍ରଦାନ କରାଯିବା ଉଚିତ ବୋଲି ମତ ପ୍ରକାଶ ପାଇଛି।