ଚାଷୀଙ୍କୁ ଜଣା ନାହିଁ, ଫଟୋ ଲଗାଇ ଟଙ୍କା ହଡ଼ପ; ୩ ବର୍ଷ ପରେ ଖୋଲିଲା ଗୁମର

ପୁଅର ସାଙ୍ଗ ମାଷ୍ଟରମାଇଣ୍ଡ, ଅଭିଯୋଗର ମାସେ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ

ଜଳେଶ୍ବର : ଚାଷୀଙ୍କୁ ଜଣା ନାହିଁ କି ଚାଷୀଙ୍କ ନାଁରେ ବି ସେମିତି ଚାଷୋପଯୋଗୀ ଜମି ନାହିଁ। ହେଲେ, ଧାନରୁଆ ମେସିନ ଯୋଗାଇବା ନାଁରେ ଦେଢ଼ଲକ୍ଷ ଟଙ୍କାର ରିହାତି ଚଳୁ କରି ନେଇଛନ୍ତି ଦଲାଲ। ସବୁଠାରୁ ବଡ଼କଥା ଏହି ରିହାତି ଟଙ୍କା ଚଳୁ କରିବା ପାଇଁ ତଞ୍ଚକତା ପୂର୍ବକ ଚାଷୀଙ୍କ ଆଧାରକାର୍ଡ ଓ ବ୍ୟାଙ୍କ ଖାତାକୁ କିପରି ବ୍ୟବହାର କରାଯାଇଛି, ତା’ର ପ୍ରମାଣ ଲାଗିଛି ‘ସମ୍ବାଦ’ ହାତରେ।

ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ରାୟାଁରାମଚନ୍ଦ୍ରପୁର ପଞ୍ଚାୟତର ବାଘମାରି ଗାଁର ସାର୍ଥକ ଜେନା। ସାର୍ଥକଙ୍କ ଜମି କହିଲେ ମାତ୍ର ୮ ଡେସିମିଲ। ତାହା ବି ଚାଷୋପଯୋଗୀ ନୁହେଁ। ଦିନମଜୁରିଆ ଭାବେ କାମ କରୁଥିବା ସାର୍ଥକ ଗତ ୪ ମାସ ତଳେ ଜାଣିବାକୁ ପାଇଲେ ଯେ ତାଙ୍କ ନାଁରେ ୨୦୧୮-୧୯ ଆର୍ଥିକ ବର୍ଷରେ ଏକ ଧାନରୁଆ ମେସିନ କିଣାଯାଇଛି। ମେସିନ କିଣିବା ବାବଦକୁ କୃଷି ବିଭାଗ ପକ୍ଷରୁ ତାଙ୍କୁ ଦେଢ଼ଲକ୍ଷ ଟଙ୍କାର ରିହାତି ବି ମିଳିଛି। ହେଲେ ଆଦୌ ମେସିନ କିଣି ନଥିବା ଓ ରିହାତି ଟଙ୍କାର ଧାର ଧାରିନଥିବା ସାର୍ଥକ ଏକଥା ଜାଣିବା ପରେ ଗାଁର ଜଣେ ଶିକ୍ଷିତ ଯୁବକଙ୍କ ସହାୟତା ନେଇଥିଲେ। ତାଙ୍କ ସହାୟତାରେ ଅନଲାଇନରୁ ସାର୍ଥକଙ୍କୁ ଯେଉଁ ରିପୋର୍ଟ ମିଳିଲା ତାହା ତାଜୁବ କରିବା ଭଳି। କାଗଜପତ୍ରରେ ସାର୍ଥକ ଏକ ଧାନରୁଆ ମେସିନ କିଣିଥିବା ଦର୍ଶାଯାଇଛି। ମେସିନର ମୂଲ୍ୟ ୨ଲକ୍ଷ ୩୩ ହଜାର ଟଙ୍କା ହୋଇଥିବା ବେଳେ ଦେଢ଼ଲକ୍ଷ ଟଙ୍କାର ରିହାତି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଇଛି। ମେସିନଟି ସେ ତାରିଣୀ ଅଟୋ ଏଜେନ୍ସି ଶ୍ରୀନାଥ ରଣାଙ୍କଠାରୁ କିଣିଥିବା କାଗଜପତ୍ରରେ ଦର୍ଶାଯାଇଛି।

ମେସିନର ଇଞ୍ଜିନ ନମ୍ବର ୪୧୯୨୩୭୩ ଓ ଚେଚିସ ନମ୍ବର ଭିଟି୪୮୦୦୭୩୫୦। ୨୦୧୯ ମସିହା ଜାନୁଆରି ୧୪ ତାରିଖରେ ଏହି ମେସିନ କିଣା ବାବଦକୁ ବିଲ୍ ଟିଏଏ/୦୪୫/୨୦୧୮-୧୯ କଟା ଯାଇଥିବା ବେଳେ ତାର ସପ୍ଲାଏ ତାରିଖ ୨୦୧୯ ଜାନୁଆରି ୨୧ ତାରିଖ ରହିଛି। ତାଙ୍କ ଆକାଉଣ୍ଟକୁ ରିହାତି ଟଙ୍କା ଆସିଥିଲେ ମଧ୍ୟ ସାର୍ଥକ ଏହା ଜାଣି ନଥିଲେ ବୋଲି ‘ସମ୍ବାଦ’କୁ କହିଛନ୍ତି। ସାର୍ଥକଙ୍କ କହିବା ଅନୁଯାୟୀ, ଏକତାଳି ଗ୍ରାମରେ ତାଙ୍କ ପୁଅର ଜଣେ ସାଙ୍ଗ ରବୀନ୍ଦ୍ର ଜେନା ତାରିଣୀ ଏଜେନ୍ସିରେ କର୍ମଚାରୀ ଭାବେ କାମ କରୁଥିଲେ। ସାର୍ଥକଙ୍କ ଆଧାରକାର୍ଡ ଠିକ୍ ଅଛି କି ନାହିଁ ଦେଖିବାକୁ କହି ରବୀନ୍ଦ୍ର ତାଙ୍କଠାରୁ ନେଇଥିଲେ। ତା’ର କିଛିଦିନ ପରେ ରବୀନ୍ଦ୍ରଙ୍କ ଭାଇ ସାର୍ଥକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିବା ଆସି କହିବା ସହ ସାର୍ଥକଙ୍କୁ ସେହି ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ସାଙ୍ଗରେ ନେଇ ତାଙ୍କ ଆକାଉଣ୍ଟରୁ କୌଶଳ କରି ସବ୍‌ସିଡି ଟଙ୍କା ଉଠାଇ ନେଇଥିଲେ ରବୀନ୍ଦ୍ର। ସାର୍ଥକ ପାଠ ପଢ଼ି ନଥିବାରୁ ଏଭଳି ତଞ୍ଚକତା ବୁଝି ପାରିନଥିଲେ।

ସମ୍ବନ୍ଧିତ ଖବର