ୟାର୍ଡରେ ଧାନ ଗଦା କଲେ ଚାଷୀ, ସରକାର ନୀତି ମାନିଲେନି

ଅତାବିରା : ଖରିଫ ଧାନ ସଂଗ୍ରହ ପାଇଁ ଆସନ୍ତା ୯ ତାରିଖରୁ ସମସ୍ତ ମଣ୍ଡି ଖୋଲିବା ପାଇଁ ସରକାର ନିଷ୍ପତ୍ତି କରିଥିବା ବେଳେ କୃଷକ ସଂଗଠନର ପୂର୍ବ ଘୋଷଣା ଅନୁଯାୟୀ ଚାଷୀମାନେ ଗୁରୁବାର ଅତାବିରା ମୁଖ୍ୟ ମାର୍କେଟ ୟାର୍ଡରେ ମୁଖ୍ୟ ଫାଟକ ଖୋଲି ଧାନ ସହ ଧସେଇ ପସିଥିଲେ। ଗୁରୁବାର ଦୁଇଟି ଟ୍ରାକ୍ଟରରେ ଧାନ ଅତାବିରା ମଣ୍ଡିକୁ ଆସିଥିଲା।

ଚାଷୀମାନେ ହିଁ ୱେ ବ୍ରିଜ ଉପରେ ନଡ଼ିଆ ପିଟି ନିଜ ପଟୁ ଧାନ କିଣା ଶୁଭାରମ୍ଭ କରିଥିଲେ। ପରେ ଦୁଇ ଟ୍ରାକ୍ଟରର ଧାନ ଗୋଦାମରେ ରଖାଯାଇଥିଲା। ପରେ କୃଷକ ସଂଗଠନର ଏକ ପ୍ରତିନିଧି ଦଳ ଅତାବିରା ପେକ୍ସ ସଂପାଦକ କ୍ଷୀରେନ୍ଦ୍ର ସାହୁଙ୍କୁ ମଣ୍ଡ‌ିରେ ପଡ଼ିଥିବା ଦୁଇ ଚାଷୀଙ୍କ ୧୪୦ ପ୍ୟାକେଟ୍‌ ଧାନ ପାଇଁ ଟୋକନ୍‌ ଜାରି କରିବାକୁ ଦାବି କରିଥିଲେ। ସରକାରଙ୍କ ୱେବ୍‌ସାଇଟ୍ ଖୋଲି ନଥିବା ଏବଂ ଏ ନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ପରେ ତହସିଲଦାର ହୃଦାନନ୍ଦ ଅଢ଼ାଙ୍କୁ ସାକ୍ଷାତ କରି ଟୋକନ୍‌ ଜାରି କରି ଧାନ ଉଠାଇବାକୁ ଚା‌ଷୀମାନେ ଅଡ଼ି ବସିଥିଲେ। ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖା ପକ୍ଷରୁ ଗତ ୨୭ ତାରିଖ ଜିଲ୍ଲା ପ୍ରଶାସନକୁ ଧାନ ଅମଳ ଆରମ୍ଭ ହୋଇଯାଇଥିବାରୁ ୯ ତାରିଖ ପରିବର୍ତ୍ତେ ୫ ତାରିଖରେ ମଣ୍ଡି ଖୋଲିବାକୁ ଦାବି କରିଥିଲେ। କିନ୍ତୁ ନିଷ୍ପତ୍ତି ନବଦଳିବାରୁ ଚାଷୀ ଆଜିଠୁ ଧାନ ନେଇ ମଣ୍ଡିରେ ଗଦା କରିଛନ୍ତି। ଆନ୍ଦୋଳନରେ କସ୍ତୁଭ ପ୍ରଧାନ, ବିରେନ୍ଦ୍ର କର, ଟିକେଲାଲ ମିଶ୍ର, ରବୀନ୍ଦ୍ର ବିଶି, ସୁରେନ୍ଦ୍ର ସ୍ବାଇଁ, ଅମୂଲ୍ୟ ସ୍ବାଇଁ, ପାପା ରାଓ, ଡ଼ି ଜୟକୁମାର, ସୁବାଷ ବିଶ୍ବାଳ, ଅରୁଣ ପ୍ରଧାନ, ଚୈତନ୍ୟ କଣ୍ଣ, ଅଶ୍ବିନୀ ତ୍ରିପାଠୀ, ସୀତାରମ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର