କଲମପୁର: ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍‌ ମିନି ଷ୍ଟାଡିଅମ୍‌ରେ ଆଜି କଲମପୁର କୃଷକ ଏକତା ମଞ୍ଚ ପକ୍ଷରୁ ବିରାଟ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି। କୃଷକ ଏକତା ମଞ୍ଚ ସଭାପତି ବିଜୟଦେବ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମିତି ଅଧ୍ୟକ୍ଷ ମୋତି ବିହାରୀ, ପୂର୍ବତନ ସମିତି ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା, ସମାଜସେବୀ ତଥା ଉପଦେଷ୍ଟା ପ୍ରଦୀପ ବେହେରା, ବିପିନ ପ୍ରଧାନୀ, ମହେନ୍ଦ୍ରନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଚତୁର୍ଭୁଜ ପଣ୍ଡା, ଚାଷୀ ହିମାଂଶୁ ପଣ୍ଡା, ମଣ୍ଡଳ ସରପଞ୍ଚ ତ୍ରିୟମ୍ବକ ଭୋଇ, ପେକ୍ସ ସଭାପତି ମହେନ୍ଦ୍ର ଯୋଶୀ, ସାମ୍ବାଦିକ ଶୁଭେନ୍ଦୁ ପଣ୍ଡା, ସୁମନ୍ତ ପଣ୍ଡା, ଜୟନ୍ତ ନାଏକ, ଅରୁଣ ପଣ୍ଡା, ହୃଷିକେଶ ବେହେରା, ନୀଳକଣ୍ଠ ସୁନାନୀ, ଯୁବ ସଂଗଠକ ସଂଜୀବ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

Advertisment

କଲମପୁର ପେକ୍ସ ସଭାପତି ଶଙ୍କର୍ଷଣ ବେହେରା ମଞ୍ଚ ପରିଚାଳନା କରିଥିଲେ। ଶୁଭେନ୍ଦୁ ପଣ୍ଡା ଧନ୍ୟବାଦ ଦେଇଥିଲେ। ଏଥିରେ  ମଣ୍ଡିଗୁଡ଼ିକରେ ଚାଷୀଙ୍କୁ କିଭଳି ଶୋଷଣ କରାଯାଉଛି,  ମିଲର୍ସର ମନଇଛା କଟ୍‌ନୀ, ଧାନ ବସ୍ତା ଯୋଗାଣରେ ଅନିୟମିତତା, ରାସାୟନିକ ସାର ଓ଼ କୀଟନାଶକ ଔଷଧର ମନଇଚ୍ଛା ଦାମ, ପୁରୁଣା ମଣ୍ଡି ଏଜେଣ୍ଟର ମନମାନି, ଟୋକନ ଏବଂ ଟାର୍ଗେଟ ଦେବାରେ ବିଳମ୍ବତା, ଦକ୍ଷିଣ କେନାଲ ମରାମତି କାମ ମନ୍ଥର ଗତିରେ ଚାଲୁଥିବା, ମଣ୍ଡି ଶ୍ରମିକଙ୍କୁ କମ୍‌ ପାରିଶ୍ରମିକ ଦେଉଥିବା, ମଣ୍ଡିଗୁଡ଼ିକରେ ଭିତ୍ତିଭୂମି ନଥିବା ଆଦି ନେଇ ଚାଷୀମାନେ ସମାବେଶରେ ଗର୍ଜି ଥିଲେ। ଏହା କୃଷକ ଶୋଷଣ ନୀତିର ପୁନରାବୃତ୍ତି ହେଲେ କୃଷକ ଏକତା ମଞ୍ଚ ପକ୍ଷରୁ ଦୃଢ଼ ବିରୋଧ କରାଯିବା ସହିତ ଆନ୍ଦୋଳନ ମାଧ୍ୟମରେ ଦୃଢ ପ୍ରତିବାଦ କରାଯିବ ବୋଲି ଚାଷୀ ନେତାମାନେ କହିଥିଲେ। ପରେ ଚାଷୀମାନେ ଏକ ଶୋଭଯାତ୍ରାରେ ଯାଇ ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୨ ଦଫା ଦାବିପତ୍ର ତହସିଲଦାର ରୁଦ୍ରମୋହନ ନାୟକଙ୍କୁ ପ୍ରଦାନ କରିଥିଲେ। ଏଥିରେ କଲମପୁର ଅଞ୍ଚଳର ବହୁ ଚାଷୀ ସାମିଲହୋଇଥିଲେ।