ବାଲିଆପାଳ/ବୋଳଂ/କୁଳିଦା: ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍‌ରେ ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି। ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅବପାତର ରୂପ ନେଇଥିବା ବେଳେ ବାତ୍ୟାର ଆଶଙ୍କା କରାଯାଉଛି। ଫଳରେ ଅମଳ ଅପେକ୍ଷାରେ ଥିବା ଖରାଟିଆ ଧାନ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ସେମାନେ ତରବରିଆ ଭାବେ ପାଚିଲା ଓ ଦରପାଚିଲା ଧାନ ଅମଳ କରିନେଉଛନ୍ତି। ଭଲ ଭାବେ ପାଚି ନଥିବା ଧାନର ଚା‌ଉଳ ଭଲ ହେବ ନାହିଁ ବୋଲି କୁହାଯାଉଛି। ଏପରି ସମୟରେ ଦରପାଚିଲା ଧାନ କାଟି ପ୍ରଭାବିତ ହେବାକୁ ଥିବା ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗୌତମ ବେହେରା, ରାଜେନ୍ଦ୍ର ଦଳାଇ, ମନୋଜ କୁମାର ଗିରି, ମନୋରଞ୍ଜନ ଜେନା, ନିତ୍ୟାନନ୍ଦ ଜେନା, ବାବୁଲା ସାହୁ, ହେମନ୍ତ ମହାନ୍ତି, ଗୋପାଳ ବେହେରା, ରବୀନ୍ଦ୍ର ଦାସ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ବ୍ଲକ୍‌ କୃଷି ବିଭାଗ ଅଧିକାରୀ ରଞ୍ଜିତା ପାତ୍ରଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ବ୍ଲକ୍‌ର ୨୮ଟି ପଞ୍ଚାୟତରେ ୨,୨୪୦ ହେକ୍ଟର ଜମିରେ ଖରାଟିଆ ଧାନ ଚାଷ ହୋଇଛି। ବର୍ତ୍ତମାନ ସୁଦ୍ଧା ୮୦ରୁ ୯୦ ପ୍ରତିଶତ ଧାନ ଅମଳ ସାରିଲାଣି। ବାତ୍ୟା ପାଇଁ ନିର୍ଦ୍ଦିଷ୍ଟ ଭାବେ କୌଣସି ସୂଚନା ଆସିନାହିଁ। ଚାଷୀ ଓ ଚାଷକୁ ନେଇ ଆମେ ସତର୍କ ଅଛୁ ବୋଲି ସେ କହିଛନ୍ତି।

Advertisment

ସେହିପରି ବସ୍ତା ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ବ୍ଲକ୍‌ର ୮୦ ପ୍ରତିଶତ ଲୋକ ଧାନଚାଷ ଉପରେ ନିର୍ଭର କରୁଥିବା ବେଳେ ଚାଳିତ ବର୍ଷ ଏଠାରେ ୫ ହଜାର ହେକ୍ଟର ଜମିରେ ଖରାଟିଆ ଧାନଚାଷ ହୋଇଛି। କିଛି ଧାନ ପାଚିଯାଇଥିବା ବ‌େଳେ କିଛି ଧାନ ଦରପାଚିଲା ରହିଛି। ହେଲେ ବାତ୍ୟା ଯୋଗୁଁ ଅମଳ ଅପେକ୍ଷାରେ ଥିବା ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ସେମାନେ ଭୟରେ ତରବରିଆ ଭାବେ ପାଚିଲା ଓ ଦରପାଚିଲା ଧାନ ଅମଳ କରିନେଉଛନ୍ତି। ଫଳରେ ଭଲ ଭାବେ ପାଚି ନଥିବା ଧାନର ଚା‌ଉଳ ଭଲ ହେବ ନାହିଁ ଏବଂ କ୍ଷତି ସହିବାକୁ ପଡ଼ିବ ବୋଲି କୁହାଯାଉଛି। ଏପରି ସମୟରେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ କ୍ଷତିପୂରଣ ଦାବି କରିଛନ୍ତି।