ଚାଷୀ ସମସ୍ୟାକୁ ନେଇ କୃଷକ ମହାସଂଘର ଧାରଣା: କୃଷିବୀମା ଟଙ୍କା ଶୀଘ୍ର ଦେବାକୁ ଦାବି

ବଲାଙ୍ଗୀର : ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା କୃଷକ ମହାସଂଘ ଆନ୍ଦୋଳନ କରିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହାସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା। ୨୦୨୧ ମସିହାରେ ବଲାଙ୍ଗୀର ଜିଲ୍ଲାରେ ମରୁଡ଼ି ହୋଇଥିଲା। କିନ୍ତୁ ସେ ସମୟର କୃଷିବୀମା ଟଙ୍କା ଚାଷୀମାନଙ୍କୁ ଦିଆଯାଇନାହିଁ। ଚଳିତ ବର୍ଷ ପାଇଁ ଚାଷୀ ଚାଷ କରିବାକୁ ପ୍ରସ୍ତୁତ ହେଲେଣି। କେତେକ ଜାଗାରେ ଖରଡ଼ି ଧାନ ବୁଣା ଆରମ୍ଭ କରିଦେଲେଣି ଚାଷୀ। କିନ୍ତୁ ଗତବର୍ଷ ମରୁଡ଼ିର ଫସଳ ବୀମା ରାଶି ଏ ପର୍ଯ୍ୟନ୍ତ ପାଇନାହାନ୍ତି। ତେଣୁ ଶୀଘ୍ର କୃଷିବୀମା ଟଙ୍କା ପ୍ରଦାନ କରିବାକୁ ଜିଲ୍ଲା କୃଷକ ମହାସଂଘ ଦାବି କରିଛି।

ଏହା ସହିତ ସାର କଳାବାଜାର ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ, ଚାଷୀଙ୍କ ମରୁଡ଼ି ସହାୟତା ଟଙ୍କା ଶୀଘ୍ର ପ୍ରଦାନ କରିବାକୁ ମଧ୍ୟ ଦାବି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଥିଲା। ଧାରଣାରେ କୃଷକ ମହାସଂଘର ସଭାପତି ଜତି ପଧାନ, ଉପସଭାପତି ସୌମେନ୍ଦ୍ର ପରିଚ୍ଛା, ସମ୍ପାଦକ ଗଗନ ନାଥ, ସହସମ୍ପାଦକ ପ୍ରାଣକୃଷ୍ଣ ସାହୁ, ବ୍ଲକ୍‌ ସଭାପତି କୃଷ୍ଣଚନ୍ଦ୍ର ବନଛୋର, ଖପ୍ରାଖୋଲ ବ୍ଲକ୍‌ ସଭାପତି, ପୁଇନ୍ତଳା ବ୍ଲକ୍‌ ସଭାପତି ଯୋଗେଶ୍ୱର ଜେନା ପ୍ରମୁଖ ଧାରଣା ସଭାରେ ବକ୍ତବ୍ୟ ରଖିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କାରଯିବ ବୋଲି ମହାସଂଘ କହିଛି।

ସମ୍ବନ୍ଧିତ ଖବର