ଧାନ ବିକ୍ରି ପାଇଁ କଲବଲ ଚାଷୀ: ସବୁଠି କଟନି ଛଟନି, ପଶ୍ଚିମ ଓଡ଼ିଶାରେ ମଣ୍ଡିରେ କଟୁଛି ରାତି

କୋରାପୁଟ ଚାଷୀଙ୍କୁ ପ୍ରାପ୍ୟ ସମସ୍ୟା, ଯାଜପୁରରେ ଖୋଲିନି ସବୁ ମଣ୍ଡି

ଭୁବନେଶ୍ବର: ଧାନ ସଂଗ୍ରହରେ ଚାଷୀ ଦୁର୍ଦ୍ଦଶା କମିବାର ନାଁ ନେଉନାହିଁ। ମିଲର୍ସଙ୍କ କବ୍‌ଜାରେ ରାଜ୍ୟର ସବୁ ମଣ୍ଡି ରହିଥିବାରୁ ନିଜର ସର୍ବନିମ୍ନ ହକ ପାଇଁ ବି ଚାଷୀଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ୁଛି। ଯେଉଁଠି ଚାଷୀଙ୍କ ସ୍ବର ନାହିଁ ସେଠି ଅବସ୍ଥା ଆହୁରି ସାଂଘାତିକ। କଟ୍‌ନି ଛଟ୍‌ନି ହେଲେ ମିଲ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଯୋଗାଣ ମନ୍ତ୍ରୀଙ୍କ ଘୋଷଣା ସତ୍ତ୍ବେ ରାଜ୍ୟର ସବୁ ମଣ୍ଡିରେ କ୍ବିଣ୍ଟାଲ ପିଛା ୩ରୁ୫ କେଜି ଧାନ କାଟି ଦିଆଯାଉଛି। କୋରାପୁଟ ଭଳି ଅନେକ ସ୍ଥାନରେ ୧୨ କେଜି ପର୍ଯ୍ୟନ୍ତ ଧାନ କଟାଯାଉଛି। ୧୫ ଦିନରୁ ଏକ ମାସ ହେଲା ଅନେକ ମଣ୍ଡିରେ ଖୋଲା ଆକାଶ ତଳେ ଧାନ ପଡ଼ି ରହିଛି। ସ୍ଥିତି ଏଭଳି ହୋଇଛି ଯେ ଟୋକନ ଲାପ୍ସର ଆଶଙ୍କା ହେଲାଣି। ସେଥିରେ ପୁଣି ବିଭିନ୍ନ ସ୍ଥାନରେ ଚାଷୀଙ୍କୁ ପରିବହନ ଖର୍ଚ୍ଚ ବହନ କରିବାକୁ ପଡ଼ୁଛି। ବିଳମ୍ବରେ ମଣ୍ଡି ଖୋଲିବା ପରେ ଧାନ ସଂଗ୍ରହରେ ଏଭଳି ଅବ୍ୟବସ୍ଥା ଦେଖାଯାଇଛି।

ଯୋଗାଣ ବିଭାଗର ସୂଚନା ଅନୁସାରେ, ଧାନ ସଂଗ୍ରହ ପାଇଁ ଚଳିତ ବର୍ଷ ୧୬ ଲକ୍ଷ ୫୪ ହଜାର ୩୦ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଏଥିରୁ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଲକ୍ଷ ୫ ହଜାର ୫୮୮ ଚାଷୀ ସମୁଦାୟ ୨ କୋଟି ୯୨ ଲକ୍ଷ ୧୫ ହଜାର ୯୩୬ କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି। ୨୧୦୭ଟି ପ୍ୟାକ୍ସ ଏବଂ ୫୧୭ଟି ଏସଏଚଜିଙ୍କ ଜରିଆରେ ଏହି ଧାନ ସଂଗ୍ରହ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାର ୧ଲକ୍ଷ ୧୭ ହଜାର ଚାଷୀଙ୍କ ଠାରୁ ସମୁଦାୟ ୬୦ ଲକ୍ଷ ୯୬ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି। ଜିଲ୍ଲାର ବିଭିନ୍ନ ମଣ୍ଡିରେ ୧୦ ଲକ୍ଷ ପ୍ୟାକେଟ ଧାନ ପଡ଼ି ରହିଛି। ଏଥିରୁ କେବଳ ପଦ୍ମପୁର ଉପଖଣ୍ଡର ବରିକେଲ କ୍ରୟ କେନ୍ଦ୍ରରେ ୩୫ ହଜାର ପ୍ୟାକେଟ୍ ଧାନ ପଡ଼ି ରହିଛି। ବୋଡ଼ାସମ୍ବର ଚାଷୀ ସଂଗଠନର ରମେଶ ମହାପାତ୍ରଙ୍କ କହିବା ଅନୁସାରେ, ୩ରୁ୫ କେଜି କଟନି ଚାଷୀଙ୍କ ପାଇଁ ଦେହସୁହା ହେଲାଣି। ପଦ୍ମପୁର ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଡିସେମ୍ବର ୧୦-୧୨ ତାରିଖରୁ ପଡ଼ି ରହିଥିବା ଧାନ ଏବେ ଚାଷୀ ବିକ୍ରି କରୁଛନ୍ତି। ଅନେକ ସ୍ଥାନରେ ମଣ୍ଡି ବ୍ୟବସ୍ଥା ପ୍ରହସନ ପାଲଟିସାରିଛି। ପରିବହନ ଖର୍ଚ୍ଚ ବି ଚାଷୀଙ୍କୁ ବହନ କରିବାକୁ ପଡ଼ୁଛି। ନୂଆପଡ଼ା ଜିଲ୍ଲାରେ ୨୨ଶହ ଚାଷୀଙ୍କ ୨ ଲକ୍ଷ ୫୦ ହଜାର ପ୍ୟାକେଟ ଧାନ ୧୫ ଦିନରୁ ଊର୍ଧ୍ବ ସମୟ ହେଲା ବିଭିନ୍ନ ମଣ୍ଡିରେ ପଡ଼ି ରହିଛି। ଶୀତ ରାତିରେ କ୍ରୟ କେନ୍ଦ୍ରମାନଙ୍କରେ ଚାଷୀ ଜଗି ରହୁଛନ୍ତି। ପଶ୍ଚିମ ଓଡ଼ିଶାର ଅଧିକାଂଶ ମଣ୍ଡିରେ ସେହି ସ୍ଥିତି ରହିଛି। ନୂଆପଡ଼ା ଏବଂ କୋମନାର ସ୍ଥିତି ଜଟିଳ ରହିଛି।

କୋରାପୁଟ କଲ୍ୟାଣ ମଞ୍ଚ ସମ୍ପାଦକ ନରେନ୍ଦ୍ର ପ୍ରଧାନଙ୍କ କହିବା ଅନୁସାରେ, ଏକ ମାସ ବିଳମ୍ବରେ ଅର୍ଥାତ ଗତ ୧୫ ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହୋଇଛି। ୨୪ରୁ ୩୧ ତାରିଖ ମଧ୍ୟରେ ଚାଷୀ ଧାନ ବିକ୍ରି କରିଥିଲେ ମଧ୍ୟ ପ୍ରାପ୍ୟ ମିଳିନାହିଁ। ୩ରୁ ୧୦ କେଜି ପର୍ଯ୍ୟନ୍ତ ଏଫ୍‌ଏକ୍ୟୁ ଧାନ କଟାଯାଉଛି। କୋଟପାଡ଼ରେ ନିର୍ଦିଷ୍ଟ ଏକ ମିଲ୍‌ ମାଲିକଙ୍କ ଦ୍ବାରା ୧୨ କେଜି ଧାନ କଟାଯାଉଥିବା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଜୟପୁର, କୁନ୍ଦୁରା ସମେତ ଅନେକ ସ୍ଥାନରେ ସପ୍ତାହ ସପ୍ତାହ ଧରି ଚାଷୀଙ୍କ ଧାନ ଉଠାଯାଉ ନାହିଁ। ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରରେ କୁହାଯାଇଛି, ଜିଲ୍ଲାର ସମୁଦାୟ ୧୦୪ ମଣ୍ଡି ଏବଂ କ୍ରୟ କେନ୍ଦ୍ର ମଧ୍ୟରୁ ଅଧିକାଂଶ ସ୍ଥାନରେ ଭିତ୍ତିଭୂମି ନାହିଁ। ଖୋଲା ଆକାଶ ତଳେ ଧାନ ପକାଇ ରଖିବାକୁ ଚାଷୀ ସୁରକ୍ଷିତ ମଣୁନାହିଁ। ତେଣୁ ଅନେକ ଚାଷୀ ମଣ୍ଡିକୁ ନ ଆସି ବ୍ୟବସାୟୀ କିମ୍ବା ମିଲ୍‌ ମାଲିକଙ୍କ କମ ଟଙ୍କାରେ ବିକ୍ରି କରି ଦିଅନ୍ତି। ସେମାନଙ୍କ କାର୍ଡରେ ବ୍ୟବସାୟୀ ମଣ୍ଡିରେ ବିକ୍ରି କରନ୍ତି।

ଗଞ୍ଜାମ ଜିଲ୍ଲା ଚାଷୀ ସୀମାଞ୍ଚଳ ନାଏକ କହିଛନ୍ତି, ୨୩ ତାରିଖରୁ ବେବିନାପଡ଼ା, ଖଲ୍ଲିକୋଟ, କବିସୂର୍ଯ୍ୟନଗରରେ ଧାନ ପଡ଼ି ରହିଛି। ଆଉ କିଛି ଦିନ ମଧ୍ୟରେ ଧାନ ସଂଗ୍ରହ ନହେଲେ ଟୋକନ ଲାପ୍ସ ନେଇ ଆଶଙ୍କା କରିଛନ୍ତି। ଏପରିକି ବେଗୁନିଆପଡ଼ା ବ୍ଲକ ଚାଷୀ ଏହାକୁ ନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଛନ୍ତି। ବାଲେଶ୍ବର ଜିଲ୍ଲା ଚାଷୀ ମନ୍ମଥ ପାତ୍ରଙ୍କ କହିବା କଥା, ଚଳିତ ବର୍ଷ ଜିଲ୍ଲାର ଉନ୍ନତ ଧାନ ସତ୍ତ୍ବେ ସର୍ବନିମ୍ନ ୬ କେଜି କଟାଯାଉଛି। ବସ୍ତା ଫେରାଇବାକୁ କହିଲେ ମଧ୍ୟ ଦିଆଯାଉ ନାହିଁ। ଜଗତସିଂହପୁର ଜିଲ୍ଲା ଚାଷୀ ରଶ୍ମିରଞ୍ଜନଙ୍କ ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ଜଗତସିଂହପୁର ଜିଲ୍ଲାର ମଣ୍ଡି ଖୋଲିଛି। ଏଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୧ ଚାଷୀଙ୍କଠାରୁ ୫୮୫୮ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି। ଏଠାରେ ପଞ୍ଜୀକରଣ ପରେ ବି ଜିଲ୍ଲାର ଅନେକ ଚାଷୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଟୋକନ ମିଳିନାହିଁ। ଯାଜପୁର ଜିଲ୍ଲାରେ ବିଳମ୍ବରେ ମଣ୍ଡି ଖୋଲିବା ଧାରା ବଳବତ୍ତର ରହିଛି। ଏଠାରେ ୧୬୮ରୁ ୫୬ଟି ମଣ୍ଡି ଖୋଲିଛି। ବିଳମ୍ବରେ ମଣ୍ଡି ଖୋଲିବା ଯୋଗୁଁ ଚାଷୀ ବାଧ୍ୟ ହୋଇ ବ୍ୟବସାୟୀଙ୍କୁ କମ ମୂଲ୍ୟରେ ବିକ୍ରି କରୁଛି। ହକି ଆୟୋଜନରେ ପ‌ାଇଁ ସୁନ୍ଦରଗ଼ଡ଼ ଚାଷୀଙ୍କ ସମସ୍ୟା ଶୁଣିବାକୁ ମଧ୍ୟ କେହି ନାହାନ୍ତି। ସେଠାରେ ବିଭିନ୍ନ ସ୍ଥାନରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଉଛି।

ସମ୍ବନ୍ଧିତ ଖବର