ଭୁବନେଶ୍ୱର: ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ୮୦୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଥିବାରୁ ବିଜେପି କୃଷକ ମୋର୍ଚ୍ଚାର ସଦସ୍ୟମାନେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ଅତିଥି ଭବନରେ ଭେଟି ଧନ୍ୟବାଦ ଜଣାଇଛନ୍ତି। ଏହାପୂର୍ବରୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ବର ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ହୋଇଛି ଯେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମାସକ ମଧ୍ୟରେ ଧାନ ଏମ୍‌ଏସ୍‌ପି ୩୧୦୦ଟଙ୍କାକୁ ବୃଦ୍ଧି, ୫୮ଟି ସବ୍‌ଡିଭିଜନରେ ଶୀତଳ ଭଣ୍ଡାର, ସହରାଞ୍ଚଳ ଚାଷୀଙ୍କୁ ପି.ଏମ୍ କିଷାନରେ ସାମିଲ କରିବା, ସମସ୍ତ ଚା ଜମିକୁ ଉଠା ଜଳସେଚନ ଦ୍ବାରା ଜଳସେଚିତ କରିବାକୁ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଯିବ।

Advertisment

ଏଥିପାାଇଁ ସାରା ରାଜ୍ୟରେ ଚାଷୀ ସମାବେଶ କରାଯାଇ ‘ଧନ୍ୟବାଦ ପ୍ରଧାନମନ୍ତ୍ରୀ ଓ ଧନ୍ୟବାଦ ମୁଖ୍ୟମନ୍ତ୍ରୀ’ କାର୍ଯ୍ୟକ୍ରମ କରାଯିବ। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ଉପରେ ଚାଷୀମାନଙ୍କୁ ଅବଗତ କରାଯିବ। ଅଗଷ୍ଟ ୯ରେ କ୍ରାନ୍ତି ଦିବସ‌ ଅବସରରେ ଭୁବନେଶ୍ବରରେ ଦୁଇ ଶହ ଚାଷୀ ନେତାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମୋର୍ଚ୍ଚାର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ।