ଚାଷୀଙ୍କୁ ମିଳିଲା ସୁବର୍ଣ୍ଣରେଖା ପାଣି, ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ବାରିପଦା : ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପରୁ ୧୫,୩୫୯ ହେକ୍ଟର ଚାଷଜମିକୁ ପାଣି ଛଡ଼ାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହାର ଶୁଭାରମ୍ଭ କରି ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବେତନଟୀ, ମୋରଡ଼ା, ଶୁଳିଆପଦା ଓ ରାସଗୋବିନ୍ଦପୁର ବ୍ଲକ୍‌ ଅନ୍ତର୍ଗତ ୯୪ଟି ଗ୍ରାମର ଚାଷଜମିକୁ ବର୍ଷତମାମ ଜଳସେଚନ ସୁବିଧା ମିଳିପାରିବ ବୋଲି ପ୍ରକାଶ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଆଜି ମୟୂରଭଞ୍ଜ ଜିଲ୍ଲା ତଥା ସାରା ଓଡ଼ିଶା ପାଇଁ ଏକ ଆନନ୍ଦର ଦିନ। ଏହି ପ୍ରକଳ୍ପ ଦ୍ବାରା ହଜାର ହଜାର ଚାଷୀଙ୍କ ଜମିରେ ସୁନାର ଫସଲ ଫଳିବ। ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ୧.୦୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇବ। ମୟୂରଭଞ୍ଜ ତାଙ୍କ ପାଇଁ ସ୍ବତନ୍ତ୍ର ଗୁରୁତ୍ବ ବହନ କରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏଠାରେ ସ୍ୱାସ୍ଥ୍ୟସେବାର ବିକାଶ ହେଉ ବା ମିଶନ ଶକ୍ତି କାର୍ଯ୍ୟର ସଫଳ ରୂପାୟନ ଅବା ଜନଜାତିଙ୍କ ବିକାଶ, ସବୁ କ୍ଷେତ୍ରରେ ମୟୂରଭଞ୍ଜ ଉନ୍ନତି କରୁଛି। ସବୁ ଘରକୁ ପାଇପ୍‌ ପାଣି ଯୋଗାଇବାରେ ଦେଶର ଅଳ୍ପ କେତେକ ଜିଲ୍ଲା ମଧ୍ୟରୁ ଏହା ଦେଶର ପ୍ରଥମ ଜିଲ୍ଲା ହେବ। ଏହି ଜିଲ୍ଲାରେ ପାଇପ୍‌ ପାଣି ପ୍ରକଳ୍ପ ପାଇଁ ୭୬୮ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ। ଜମିକୁ ଜଳସେଚନ ସୁବିଧା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆଗାମୀ ଖରିଫ ଋତୁରେ ଦେଓ ଜଳସେଚନ ପ୍ରକଳ୍ପରୁ ୧୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯିବ। ଏହାଛଡ଼ା ୨ରୁ ୩ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୧୫ଟି ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହେବ।

ଭର୍ଚୁଆଲ୍‌ ମୋଡ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାରିପଦାରେ ଉପସ୍ଥିତ ଥିବା ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ଆଜିର ପ୍ରକଳ୍ପ ଦ୍ବାରା ୨୦୨୪ ଜାନୁଆରି ସୁଦ୍ଧା ଜିଲ୍ଲାର ୭୦ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିପାରିବ। ସେହିପରି ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ରାଜ୍ୟରେ ଜଳସେଚନ ପାଇଁ ବିଭାଗର ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ୫ଟି ସଚିବ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମୟୂରଭଞ୍ଜ ଜିଲ୍ଲାପାଳ ସ୍ବାଗତ୍‌ ଭାଷଣ ଦେଇଥିବାବେଳେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ.ଜେନା, ଜଳସଂପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ପ୍ରମୁଖ ଭୁବନେଶ୍ବରରେ ଉପସ୍ଥିତ ଥିଲେ। ବାରିପଦାରେ ଆୟୋଜିତ କାର୍ଯ୍ୟକ୍ରମରେ ମୋରଡ଼ା ବିଧାୟକ ରାଜକିଶୋର ଦାସ, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ୍‌, ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଏସ୍‌ପି କେ.ଆର ଦ୍ୟାନ୍‌ଦେଓ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ଓ ସୁବର୍ଣ୍ଣରେଖା ବୁଢ଼ାବଳଙ୍ଗ ବେସିନ୍‌ ମ୍ୟାନେଜର ପ୍ରଭାତ ରଞ୍ଜନ ରାଉତ, କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର