ଲୋକାୟୁକ୍ତଙ୍କ ଶୁଣାଣି ପରେ ଚକଡ଼ା ପୋକ କ୍ଷତିଗ୍ରସ୍ତ କୃଷକଙ୍କୁ ମିଳିଲା ଆର୍ଥିକ ସହାୟତା

ଲ୍ୟାମ୍ପସ୍ ଜରିଆରେ ଧାନ କ୍ରୟ ବେଳେ ଅନିୟମିତତା, ଅଭିଯୋଗ ସମ୍ପର୍କରେ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର: ୨୦୧୭-୧୮ ବର୍ଷରେ ମୟୂରଭଂଜ ଜିଲ୍ଲା କପ୍ତିପଦା ଅଂଚଳରେ ‌ଚକଡ଼ା ପୋକ ଦ୍ବାରା ଧାନ ଫସଲର କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ଆର୍ଥିକ ସହାୟତା ପାଇଛନ୍ତି। ଏସଂପର୍କରେ କପ୍ତିପଦା ତହସିଲଦାର, କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ଏବଂ ମୟୂରଭଂଜ ଜିଲ୍ଲାପାଳଙ୍କୁ ସଂପୃକ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଆର୍ଥିକ ସହାୟତା ଦେବା ନିମନ୍ତେ ରିପୋର୍ଟ ପ୍ରଦାନ କରିଥିଲେ। କିନ୍ତୁ ଉପ ଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କ ଏସଂପର୍କରେ ଉଦାସୀନତା ବା ଅବହେଳା ପ୍ରଦର୍ଶନକୁ ଦୃଷ୍ଟିରେ ରଖି କପ୍ତିପଦାସ୍ଥିତ ଜୟଯବାନ ଜୟ କିଷାନ କୃଷକ ସଂଘର ସଂପାଦକଙ୍କ ଦ୍ବାରା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗର ଶୁଣାଣି କରି ଲୋକାୟୁକ୍ତ ସଂପୃକ୍ତ ତହସିଲଦାରଙ୍କ ରିପୋର୍ଟକୁ ଅନୁଧ୍ୟାନ କରି କୃଷକମାନଙ୍କର ଫସଲ କ୍ଷତିର ଭରଣା ପାଇଁ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲ୍ଲାପାଳଙ୍କ ଲିଖିତ ଉତ୍ତରରେ ୭୩୬ ଜଣ କୃଷକଙ୍କ କ୍ଷତିଗ୍ରସ୍ତ ସ୍ବୀକାର କରାଯାଇଥିଲା।

ଗତ ଜାନୁଆରି ୧୩ ତାରିଖରେ ଜିଲ୍ଲାପାଳ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ କୃଷକମାନଙ୍କ କ୍ଷତି ଭରଣା ପାଇଁ ୧୯ ଲକ୍ଷ ୧୦ ହଜାର ୪୭୬ ଟଙ୍କାର ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଥିଲେ। ଲୋକାୟୁକ୍ତ ମଧ୍ୟ କୃଷକମାନଙ୍କର ଅଭିଯୋଗକୁ ବାସ୍ତବ ବୋଲି ଦର୍ଶାଇ ଏସ୍‌ଆରସିଙ୍କୁ ଉପରୋକ୍ତ ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରିବାକୁ ସୁପାରିଶ କରିଥି‌ଲେ।

ଅନ୍ୟ ଏକ ମାମଲାରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ନୂଆସାହିସ୍ଥିତ ଜୟ ଯବାନ, ଜୟ କିଷାନ କୃଷକ ସଂଘର ସଭାପତିଙ୍କ ଦ୍ବାରା ଓଡ଼ିଶା ଲୋକାୟୁକ୍ତଙ୍କ ଠାରେ ୨୫.୨.୨୦୨୧ ଅଭିଯୋଗ କରାଯାଇଛି ଯେ, ଶାଳଚୁଆଁ ପରିଚାଳନା ନିର୍ଦ୍ଦେଶକ କୃଷକମାନଙ୍କ ଠାରୁ ଧାନ କ୍ରୟ କରିବା ସମୟରେ ମନ୍ଦ ଉଦ୍ଦେଶ୍ୟ ରଖି କୁଇଣ୍ଟାଲ ପିଛା ୧୦ କିଲୋ ଧାନ ବେଆଇନ୍‌ ଭାବେ କାଟି ଦେଉଛନ୍ତି। ଆହୁରି ମଧ୍ୟ କପ୍ତିପଦା ବ୍ଲକର କପ୍ତିପଦା ଲାମ୍ପସ୍‌ ଏବଂ ଜାମୁଡିହା ଲାମ୍ପସ୍‌ରେ ଅନୁରୂପ ଭାବେ ଧାନ ହିସାବରୁ କାଟି ଦିଆଯାଇଛି। ଉପରୋକ୍ତ ଅଭ‌ିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରି ମାନ୍ୟବାର ଲୋକାୟୁକ୍ତ ତଦନ୍ତ ନିର୍ଦ୍ଦେଶକଙ୍କୁ ଶାଳଚୁଆଁ, କପ୍ତିପଦା ଏବଂ ଜାମୁଡିହା ଲାମ୍ପସ୍‌ର ପରିଚାଳନା ନିର୍ଦ୍ଦେଶକ କିମ୍ବା ଏଥି ସହ ସଂପୃକ୍ତ ଅନ୍ୟ ଯେକୌଣସି ସରକାରୀ କର୍ମଚାରୀଙ୍କ ସଂପର୍କରେ ଓଡ଼ିଶା ଲୋକାୟୁକ୍ତ ଅଧିନିୟମ-୨୦୧୪ର ଉପଧାରା ୨୦(୨) ଅନୁଯାୟୀ ପ୍ରାଥମିକ ତଦନ୍ତ କରି ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର