‘କାଳିଆ’ ତୃତୀୟ କିସ୍ତି ସହାୟତା ରାଶି ପ୍ରଦାନ : ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ୧୨୭୨ କୋଟି

ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ’ ସହାୟତା ବାବଦ ତୃତୀୟ କିସ୍ତି ଅର୍ଥ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସିଧାସଳଖ ୫୩ ଲକ୍ଷରୁ ଅଧିକ ଚାଷୀମାନଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ୨ ହଜାର ଲେଖାଏଁ ମୋଟ ୧ ହଜାର ୨୭୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟର ଚାଷୀ କିପରି ସମ୍ମାନର ସହ ବଞ୍ଚିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଆନ୍ତରିକତା ସହ ନିଜ ହୃଦୟର ଆବେଗକୁ ଏହି ଅବସରରେ ପ୍ରକାଶ କରିଛନ୍ତି। ଖରିଫ ଋତୁ ଆରମ୍ଭ ହେବା ପୂର୍ବରୁ ଚାଷୀମାନଙ୍କୁ କାଳିଆ ସହାୟତା ପ୍ରଦାନ କରି କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାର ଆଗରେ ଅଛନ୍ତି ପୁଣି ଥରେ ମୁଖ୍ୟମନ୍ତ୍ରୀ ଏହି କଥା ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ ଚାହେଁ, ମୋ ରାଜ୍ୟର ଚାଷୀ ତାର ଉତ୍ପାଦିତ ଜିନିଷର ଉଚିତ୍‌ ମୂଲ୍ୟ ପାଉ। ଚାଷୀର ରୋଜଗାର ବଢ଼ୁ। ତାର ଜୀବନଧାରଣ ମାନରେ ଉନ୍ନତି ଆସୁ। ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ। ଏହି ଲକ୍ଷ୍ୟ ମୁଁ କାମନା କରୁଛି। ସେମାନଙ୍କର ତ୍ୟାଗ ଓ ପରିଶ୍ରମକୁ ମୁଁ ପ୍ରଣାମ କରୁଛି’। କୃଷି ଆମ ଅର୍ଥନୀତିର ମୁଖ୍ୟ ଶକ୍ତି ବୋଲି ଦର୍ଶାଇ ଶ୍ରୀ ପଟ୍ଟନାୟକ କହିଥିଲେ, କରୋନା ସମୟରେ ଅର୍ଥନୀତିର ସବୁ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। କିନ୍ତୁ ଆମ ଚାଷୀଭାଇମାନେ ସାହସ, ଧର୍ଯ୍ୟ ଓ ପରିଶ୍ରମ କରି କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବା ସହ ଚଳିତ ବର୍ଷ ରେକର୍ଡ଼ ପରିମାଣର ଫସଲ ଅମଳ କରି ଦେଖାଇଛନ୍ତି। ଚାଷୀଭାଇମାନେ ଦେଶର ଅର୍ଥନୀତିକୁ ସଞ୍ଜୀବନୀ ଭଳି ରକ୍ଷା କରିବାରେ ସହାୟକ ହୋଇଛନ୍ତି। ଚାଷୀଙ୍କ ପାଇଁ ଆରମ୍ଭରୁ ସେ କାମ କରିଆସିଛନ୍ତି ଓ ଆଗକୁ ମଧ୍ୟ କରିଚାଲିବେ। ଚାଷୀ ଭଲ ରହିଲେ ଦେଶ ଓ ସମାଜ ଭଲରେ ରହିବ। ଏହି ଲକ୍ଷ୍ୟ ରଖି ରାଜ୍ୟ ସରକାର ସେମାନଙ୍କ ବିଭିନ୍ନ ଯୋଜନା କରିଆସୁଛନ୍ତି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଏ କଥା ମଧ୍ୟ କହିଛନ୍ତି, ଏମ୍‌ଏସ୍‌ପିକୁ ଦୁଇ ଗୁଣା କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି କରିଆସୁଛନ୍ତି। ଏହାସହିତ କୃଷିଜାତ ଜିନିଷ ପାଇଁ ବଜାର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚାଷୀମାନେ ସରକାରଙ୍କ ବିଭିନ୍ନ କୃଷି କଲ୍ୟାଣ ଯୋଜନାର ସୁବିଧା ନେବେ ଏବଂ ରାଜ୍ୟର ବିକାଶ ଧାରାକୁ ଆଗେଇ ନେବେ ବୋଲି ସେ ଆଶାପ୍ରକାଶ କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ଥିବା ଚାଷୀମାନଙ୍କ ସହିତ ‘କାଳିଆ’ ସହାୟତା ସଂପର୍କରେ ଆଲୋଚନା କରିଥିଲେ । ସେମାନେ ହେଲେ ସୁନ୍ଦରଗଡର କୁମାରୀ ମାରାଇ, ବରଗଡର ମାଣିକ ପ୍ରଧାନ ନବରଂଗପୁରର ଘନ ପାଇକ, ନୟାଗଡ଼ର ଦାଶରଥି ସାହୁ ଓ ମୟୂରଭଞ୍ଜର ବିନୋଦ କିଶୋର ନାଏକ ପ୍ରମୁଖ ଚାଷୀମାନେ ‘କାଳିଆ’ ସହାୟତା ଦ୍ବାରା କିପରି ଚାଷ ସହିତ ଛେଳିପାଳନ ଓ ଅନ୍ୟ ଆନୁଷଙ୍ଗିକ କୃଷି କାମ କରି ଲାଭବାନ୍‌ ହୋଇଛନ୍ତି, ସେ ବିଷୟରେ କହି ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଅନେକ ପ୍ରାକୃତିକ ବିପର୍ଯ୍ୟୟ ଓ ବର୍ତ୍ତମାନର କୋଭିଡ ପରିସ୍ଥିତି ସତ୍ତ୍ବେ ଚାଷୀମାନେ ଭଲ ଫସଲ ଅମଳ କରି ଓଡିଶାକୁ ଆଗକୁ ନେଇପାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ନେତୃତ୍ବ ଯୋଗୁ ରାଜ୍ୟ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛି।

ସୂଚନାଯୋଗ୍ୟ ଯେ କ୍ଷୁଦ୍ର ଓ ନାମମାତ୍ର ଏବଂ ଭୂମିହୀନ ଚାଷୀମାନଙ୍କୁ କୃଷି ଓ ଆନୁଷାଙ୍ଗିକ କାର୍ଯ୍ୟରେ ସହାୟତା କରିବା ପାଇଁ ମସିହାରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନା ଏବେ ଜାତୀୟସ୍ତରରେ ଏକ ଆଦର୍ଶ ଯୋଜନା ହୋଇପାରିଛି । ବିଶ୍ବବ୍ୟାଙ୍କ ତଥ୍ୟ ଅନୁଯାୟୀ, କାଳିଆ ଯୋଜନା କାର୍ଯ୍ୟକାରୀ ହେବା ପରେ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଚାଷୀମାନଙ୍କ ଋଣ ଭାର ଅପେକ୍ଷାକୃତ କମିପାରିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି।

ଏହି ଉପଲକ୍ଷେ ‘କାଳିଆ’ ଯୋଜନା ସମ୍ପର୍କରେ ଏକ କ୍ଷୁଧ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫’ଟି’ ସଚିବ ଭି.କେ ପାଣ୍ଡିଆନ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିସନର ରାଜକୁମାର ଶର୍ମା, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗଙ୍କ ସମେତ ଅନ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର