ଆଶ୍ବସ୍ତି ଆଣିଲା ଜୁଲାଇ ବର୍ଷା; ଧାନରୁଆ ତ୍ବରାନ୍ବିତ, ଅଗଷ୍ଟ ୧୫ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ

ଅଧିକ ବର୍ଷିଲେ ସ୍ଥିତି ବିଗିଡ଼ିବ

ବ୍ରହ୍ମପୁର : ଜୁଲାଇର ବର୍ଷା ଗଞ୍ଜାମ ଜିଲ୍ଲା ଚାଷୀ ମୁହଁରେ ହସ ଫୁଟାଇଛି। ଜୁନ୍‌ରେ ନିଅଣ୍ଟିଆ ବର୍ଷା ଜୁଲାଇରେ ଭରଣା ହେବା ପରେ ଖରିଫ୍‌ ଚାଷ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି।  ଗତ କିଛିଦିନ ଧରି ହୋଇଥିବା ମୌସୁମୀ ବର୍ଷା ଯୋଗୁଁ ଜିଲ୍ଲାର ଚାଷ ଜମିଗୁଡ଼ିକରେ ଦରକାର ପାଣି ଥିବା ବେଳେ ଡ୍ୟାମ୍‌ରେ ମଧ୍ୟ ପାଣି ମହଜୁଦ ରହିଛି। ଏଣୁ ଚାଷୀକୁଳ ଚାଷ କାମକୁ ତ୍ବରାନ୍ବିତ କରିଛି। ଜିଲ୍ଲାର ଅଧିକାଂଶ ବ୍ଲକ୍‌ରେ ଏବେ ଧାନରୁଆ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ରୁ ୭ ପ୍ରତିଶତ ଧାନରୁଆ ସରିଥିବା ଦିଲ୍ଲୀପ କୁମାର ଖୁଣ୍ଟିଆ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଖରିଫ୍‌ ଚାଷ ପାଇଁ ପାଗ ଅନୁକୂଳ ରହିଛି। ବର୍ଷା ମଧ୍ୟ ଠିକ୍‌ ପରିମାଣରେ ହୋଇଛି। ଏଣୁ ଆସନ୍ତା ଅଗଷ୍ଟ ୧୫ସୁଦ୍ଧା ଜିଲ୍ଲାର ସମସ୍ତ ବ୍ଲକ୍‌ରେ ଧାନରୁଆ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି।

ଚଳିତ ଖରିଫ୍ ଋତୁରେ ଜିଲ୍ଲାରେ ମୋଟ ୪ଲକ୍ଷ ୮ହଜାର ୫୪୮ ହେକ୍ଟର୍ ଜମିରେ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତନ୍ମଧ୍ୟରେ ୧ ଲକ୍ଷ ୭୦ ହଜାର ୩୨୮ ହେକ୍ଟର୍ ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ। ଚାଷ ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଥିବା ପ୍ରାଥମିକ ସେବା ସମବାୟ ସମିତିକୁ ବିହନ ଯୋଗାଇ ଦିଆଯାଇଛି। ଚାଷୀମାନେ ଅନ୍‌ଲାଇନ୍‌ରେ ବିହନ କିଣୁଛନ୍ତି। ଚଳିତବର୍ଷ ୪୮ହଜାର କ୍ବିଣ୍ଟାଲ୍‌ ବିହନ ଜିଲ୍ଲାକୁ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୨ହଜାର କ୍ବିଣ୍ଟାଲ୍‌ ବିହନ ଅନ୍‌ଲାଇନ୍‌ରେ ବିକ୍ରି ହୋଇ ସାରିଛି।

ସେହିପରି ଗଞ୍ଜାମ ଜିଲ୍ଲା ପାଇଁ ବର୍ତ୍ତମାନ ୩୦ହଜାର ମେଟ୍ରିକ୍‌ ଟନ୍‌ ସାର ଗଚ୍ଛିତ ରହିଥିବା ଜିଲ୍ଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଜୁନ୍ ମାସରେ ସାଧାରଣତଃ ୧୬୮.୩ ମିମି ବର୍ଷା ହୋଇଥାଏ। କିନ୍ତୁ ଚଳିତବର୍ଷ ହାରାହାରି ୯୫.୨୧ ମିମି ବର୍ଷା ରେକର୍ଡ଼ କରାଯାଇଥିଲା। ବର୍ଷା କମ୍ ହୋଇଥିବାରୁ ଚାଷ କାର୍ଯ୍ୟ ଆରମ୍ଭରେ ବିଳମ୍ବ ହୋଇଥିଲା। ଅକ୍ଷୟ ତୃତୀୟ ସରି ଦୁଇମାସରୁ ଅଧିକ ସମୟ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ମୌସୁମୀ ବର୍ଷାର ଦେଖା ମିଳି ନଥିଲା। ଜୁଲାଇ ଦ୍ବିତୀୟ ସପ୍ତାହ ଆଡ଼କୁ ଧୀରେ ଧୀରେ ବର୍ଷା ଆରମ୍ଭ ହୋଇଥିଲା। ଏହାପରେ ଚାଷୀକୁଳ ବିଲରେ ହଳଲଙ୍ଗଳ ବୁଲାଇ ଚାଷ କାମ ଆରମ୍ଭ କରିଥିଲେ। ବର୍ତ୍ତମାନ ଚାଷ ଜମିଗୁଡ଼ିକରେ ଆବଶ୍ୟକ ଅନୁସାରେ ପାଣି ରହିଛି। ଏଣୁ ଗଞ୍ଜାମ ଜିଲ୍ଲାରେ ଧାନରୁଆ ଜୋର୍‌ ଧରିଛି।

ସେହିପରି ଜୁଲାଇ ମାସରେ ସାଧାରଣତଃ ୨୨୦.୮ମିମି ବର୍ଷା ହୋଇଥାଏ। ବର୍ତ୍ତମାନ ସୁଦ୍ଧା ହାରାହାରି ୨୧୩ ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ଚଳିତ ମାସ ସରିବା ପାଇଁ ୧୦ଦିନ ବାକି ରହିଛି। ଆଗକୁ ଆହୁରି ବର୍ଷା ହେବ। ଏପରିକି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ତରଫରୁ ଆକଳନ କରାଯାଇଛି। ଏଣୁ ଗଞ୍ଜାମ ଜିଲ୍ଲାରେ ଆସନ୍ତା ୩୦ତାରିଖ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ। ଯଦି ପ୍ରବଳ ବର୍ଷା ହୁଏ ତେବେ ସ୍ଥିତି ବିଗିଡ଼ି ଚାଷ ନଷ୍ଟ ହେବାର ଭୟ ରହିଥିବା ଚାଷୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର