ସରକାରଙ୍କ ଚକ୍ରାନ୍ତରେ ଚାଷୀ ତଳିତଳାନ୍ତ ହେ‌ଲେଣି: ନିରଞ୍ଜନ

ଭୁବନେଶ୍ବର : ରାଜ୍ୟ ସରକାର କୃଷି ଓ କୃଷକର ବିକାଶକୁ ପ୍ରାଧାନ୍ୟ ଦେଉଥିବା କହୁଛନ୍ତି। ବାସ୍ତବରେ ରାଜ୍ୟର ଚାଷୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ ଚକ୍ରବ୍ୟୂହରେ ତଳିତଳାନ୍ତ ହେବାରେ ଲାଗିଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର ଏପର୍ଯ୍ୟନ୍ତ ଦୁର୍ଦ୍ଦିନରେ ଥିବା ଭାଗଚାଷୀଙ୍କ ସମସ୍ୟାର ସମାଧାନ କରିପାରିନାହାନ୍ତି । ଏଥିରୁ ପ୍ରକୃତ ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା କେତେ ତାହା ଜଣାପଡ଼ୁଛି। ଚାଷୀଙ୍କ ଆୟ ବହୁଗୁଣିତ ହୋଇଥିବା ଯାହା କୁହାଯାଉଛି ହେଲେ ତାହା କେବଳ ସରକାରୀ ନଥିପତ୍ରର ପରିସଂଖ୍ୟାନ। ଜଳସେଚନ ହେଉ କି ସାର, ବିହନ ଓ କୀଟନାଶକ ଯୋଗାଣ ସବୁଥିରେ ସରକାରୀ ଅର୍ଥ ତୋଷରପାତ ହେଉଛି। ସରକାରୀ ଅଫିସର ଓ ରାଜନେତାଙ୍କ ଅସାଧୁ ମେଣ୍ଟ ଚାଷୀକୁ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି।

କେବଳ ଏତିକି ନୁହେଁ ଚଳିତ ଖରିଫ୍ ଋତୁରେ ଚାଷୀକୁ ଆବଶ୍ୟକ ସାର ମିଳୁନି। କିନ୍ତୁ ଏହାକୁ ନେଇ ଉଭୟ ବିଜେଡି ଓ ବି‌ଜେପି ରାଜନୀତି କରୁଛନ୍ତି। ସାର କଳାବଜାରୀ ନେଇ ଅଭିଯୋଗ ହେଉଥିବାବେଳେ କୀଟନାଶକ ଯୋଗାଣ କ୍ଷେତ୍ରରେ ଅତିମାତ୍ରାରେ ଅନିୟମିତତା ଯୋଗୁଁ ଏହାର ଯୋଗାଣ ବନ୍ଦ ରଖାଯାଇଛି । ବଜାରରେ ୫ ଟଙ୍କା ମୂଲ୍ୟରେ ମିଳୁଥିବା ‘ଲିଓର’କୁ ୯୫ ଟଙ୍କାରେ କିଣିବା ନେଇ ଆବେଦନକୁ ଗ୍ରହଣ କରାଯିବା ପରେ ବ୍ୟାପକ ଦୁର୍ନୀତିର ସମ୍ଭାବନା ସୃଷ୍ଟି ହୋଇଥିବାରୁ ଏହାକୁ କାର୍ଯ୍ୟକାରୀ କରାଯାଇପାରିନି। ସେହିପରି କୃଷି ଶିଳ୍ପ ନିଗମ ଗତ ୫ ବର୍ଷରେ ଯେତେ କୃଷି ସାମଗ୍ରୀ କିଣି ଚାଷୀଙ୍କୁ ଯୋଗାଇଛି ସେସବୁ ଉପରେ ଯୋଗାଣକାରୀ ସଂସ୍ଥା ମନଇଚ୍ଛା ମୂଲ୍ୟ ନେଇଛନ୍ତି । ଏହାର ତଦନ୍ତ ହେବା ଆବଶ୍ୟକ । କୃଷି ନିର୍ଦ୍ଦେଶକ ପଦରେ ୬ ବର୍ଷ ଧରି ଜଣେ ଅଫିସର କାର୍ଯ୍ୟ କରିବା ପଛରେ କି ରହସ୍ୟ ରହିଛି ତାହା ସରକାର ସ୍ପଷ୍ଟ କରିବା ଦରକାର।

ଧାନ ସଂଗ୍ରହ ଠାରୁ ଆରମ୍ଭକରି ଚାଷୀଙ୍କ ଫସଲ ଋଣ, ସାର, ବିହନ, କୀଟନାଶକ ଓ କୃଷି ଯନ୍ତ୍ରପାତି ଯୋଗାଣ କ୍ଷେତ୍ରରେ ଅସାଧୁ ଅଫିସର ଓ ସଂପୃକ୍ତ ଶାସକ ଦଳର ରାଜନେତାଙ୍କ ସଂପୃକ୍ତି ଚାଷୀକୁ ଅଣନିଃଶ୍ୱାସୀ କରିଦେଲାଣି। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ହେଉଥିଲେ ହେଁ ରାଜ୍ୟ କି କେନ୍ଦ୍ର ସରକାର ଚାଷୀଙ୍କ ଠାରୁ ଧାନ କିଣିବାକୁ ପ୍ରସ୍ତୁତ ନାହାନ୍ତି। ବାସ୍ତବରେ ଓଡିଶାରେ ଯଦି ଚାଉଳ ବଳକା ହେଉଛି ତେବେ ପଡୋଶୀ ରାଜ୍ୟରୁ ଆସୁଥିବା ପ୍ୟାକେଟ ଚାଉଳ ବିକ୍ରି ହେଉଛି କିପରି? ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଚାଉଳ ଖୋଲା ବଜାରରେ କିପରି ବିକ୍ରି ହେଉଛି? ଏସବୁ ପ୍ରଶ୍ନର ସରକାର ଉତ୍ତର ରଖିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର