କୃଷକମାନେ ଶାନ୍ତିର ରାସ୍ତା ଛାଡ଼ି ନାହାନ୍ତି: ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

ସରକାର ଓ ସମାଜ ଲକ୍ଷ୍ମଣରେଖାର ସମ୍ମାନ କରିବା ଉଚିତ

ଭୁବନେଶ୍ବର : କୃଷକ ଆନ୍ଦୋଳନ ଗତ କିଛି ମାସ ଧରି ଚାଲିଛି। ଆନ୍ଦୋଳନକାରୀ ଅନୁକରଣୀୟ ପାରଦର୍ଶିତା, ସଂଯମ ସହ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିଛନ୍ତି। ମାତ୍ର ଗତ ଜାନୁଆରି ୨୬ ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନ ନାମରେ ଯେଭଳି ଭାବେ ଅରାଜକତା ସୃଷ୍ଟି ହେଲା; ତାହା ଦେଶର ଗଣତନ୍ତ୍ରପ୍ରିୟ ତଥା ଶାନ୍ତିପ୍ରିୟ ନାଗରିକଙ୍କୁ ଗଭୀର ଆଘାତ ଦେଇଛି। ଏହା କୌଣସି ଆନ୍ଦୋଳନକୁ ବିରୋଧ ବା ସମର୍ଥନର ପ୍ରଶ୍ନ ନୁହେଁ। ଏହା ଦେଶର ଗଣତାନ୍ତ୍ରିକ, ଗାନ୍ଧୀ ବିଚାରର ସମ୍ମାନ ଓ ଏହାର ପାଳନର ପ୍ରଶ୍ନ। ଗଣତନ୍ତ୍ର ଓ ସମ୍ବିଧାନର ଲକ୍ଷ୍ମଣରେଖା ଉଲ୍ଲଂଘନ ଦ୍ବାରା ଅରାଜକତା ଓ ବିଘଟନ ଛଡ଼ା କିଛି ହାସଲ ହେବ ନାହିଁ। ଦେଶ ଯେଉଁ କଠିନ ପରିସ୍ଥିତି ଦେଇ ଗତି କରୁଛି; ସେହି ପରିପ୍ରେକ୍ଷୀରେ ଉଭୟ ସରକାର ଓ ସମାଜ ଏହି ଲକ୍ଷ୍ମଣରେଖାର ସମ୍ମାନ କରିବା ଉଚିତ ବୋଲି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି।

ଏକ ପ୍ରେସ୍ ବିବୃତିରେ ପ୍ରତିଷ୍ଠାନ ପକ୍ଷରୁ ଆହୁରି କୁହାଯାଇଛି ଯେ, ‘ଜଗତର ପିତା’ ଭାବେ ମହାତ୍ମା ଗାନ୍ଧୀ ଅଭିହିତ କରିଥିବା କୃଷକମାନେ ଯେଭଳି ଭାବେ ଶାନ୍ତିପୂର୍ଣ୍ଣ ଓ ଦୃଷ୍ଟାନ୍ତମୂଳକ ଭାବେ ଏହି ଆନ୍ଦୋଳନକୁ ଏକ ନୂତନ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି; ସେଥିପାଇଁ ସେମାନେ ଶ୍ରେୟର ଅଧିକାରୀ। ଜାନୁଆରି ୨୬ର ଅଘଟଣ ପରେ ବି ସେମାନେ ଧୈର୍ଯ୍ୟହରା ହୋଇନାହାନ୍ତି କି ଶାନ୍ତିର ରାସ୍ତା ଛାଡ଼ି ନାହାନ୍ତି। ସରକାରୀ ତଥା ପ୍ରଶାସନିକ ଆକ୍ରୋଶ ସତ୍ତ୍ବେ ‌କୃଷକମାନେ ଆନ୍ଦୋଳନକୁ ଆହୁରି ମଜଭୁତ କରି ଚାଲିଛନ୍ତି। ଦେଶ ସ୍ବାଧୀନତା ହେବା ପରଠାରୁ କୃଷି ଓ କୃଷକଙ୍କ ସହ ରାଜନୈତିକ, ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଅନ୍ୟାୟ ହୋଇ ଆସୁଛି। ଏହା କାହାକୁ ଅଛପା ନାହିଁ। ବର୍ତ୍ତମାନର କୃଷକ ଏହି ଅନ୍ୟାୟ ସାମ୍ନା କରୁଥିବା ବେଳେ ଏହାର ପ୍ରତିରୋଧ କରି ନ ପାରି ଏ ପର୍ଯ୍ୟନ୍ତ ଲକ୍ଷାଧିକ କୃଷକ ଆତ୍ମହତ୍ୟା କରିସାରିଲେଣି। ‌ମୃତ ଚାଷୀମାନଙ୍କ ପାଇଁ ନ୍ୟାୟ ମାଗିବା ସହ ଚାଷୀଙ୍କୁ ଏଭଳି ପରିସ୍ଥିତିରୁ ବଞ୍ଚାଇବା ଏହି ଆନ୍ଦୋଳନର ଉଦ୍ଦେଶ୍ୟ। ଭାରତର ସମସ୍ତ ନାଗରିକଙ୍କର ଏହି ଆନ୍ଦୋଳନ; କାରଣ ସମସ୍ତେ କୃଷକଙ୍କ ସନ୍ତାନ। ଆମେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ପେୟ ଗ୍ରହଣ କରିଥାଉ। ତେଣୁ ଏହି ଆନ୍ଦୋଳନ ପ୍ରତି ସମ୍ମାନ ପ୍ରଦର୍ଶନ କୃଷକଙ୍କ ଋଣ ପରିଶୋଧ ସହ ସେମାନଙ୍କ ପ୍ରତି କୃତଜ୍ଞତା ହେବ।

୨୬ ଜାନୁଆରି ଅରାଜକତା ପଛରେ ଯେ କୃଷକମାନଙ୍କ ହାତ ନାହିଁ ତାହା ସ୍ପଷ୍ଟ ହୋଇସାରିଛି। କୃଷକ ଆନ୍ଦୋଳନ ବାହାନାରେ କିଛି ଅପରାଧିକ ତତ୍ତ୍ବ ଏଭଳି ଅଘଟଣ ଘଟାଇଲେ। କୃଷକମାନେ ଏଭଳି ଅସାମାକିକ ବ୍ୟକ୍ତିଙ୍କୁ ଚିହ୍ନଟ କରି ‌ଆନ୍ଦୋଳନରୁ ବାହାର କରିବାରେ ବିଫଳ ହେଲେ। ମାତ୍ର ବିଫଳତା ବେଇମାନୀ ନୁହେଁ, ଏହା ଆମେ ବିଶ୍ବାସ କରୁଛୁ ବୋଲି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତ, ଗାନ୍ଧୀ ସ୍ମାରକ ନିଧିର ଅଧ୍ୟକ୍ଷ ରାମଚନ୍ଦ୍ର ରାହୀ, ସର୍ବ ସେବା ସଂଘର ସଭାପତି ଚନ୍ଦ୍ରପାଲ ଏବଂ ରାଷ୍ଟ୍ରୀୟ ଯୁବ ସଂଗଠନର ଡ. ବିଶ୍ବଜିତ ଓ ଅଜମତ ଖାନ୍‌ କହିଛନ୍ତି।

ସେମାନେ କହିଛନ୍ତି, ସୁପ୍ରିମ କୋର୍ଟଙ୍କ ଘୋଷଣା ମୁତାବକ, ଶାନ୍ତିପୂର୍ଣ୍ଣ ପ୍ରତିବାଦ ନାଗରିକଙ୍କର ସାମ୍ବିଧାନିକ ଅଧିକାର। ତେଣୁ ଆନ୍ଦାଳନରେ ଅରାଜକତା ସୃଷ୍ଟି କରିଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ଦେଶବାସୀଙ୍କୁ ଜଣାଇବା ଉଭୟ କୋର୍ଟ ଓ ସାରକାରଙ୍କ ନୈତିକ ଦାୟିତ୍ବ। ଏହା ନ ହେଲେ ଉଭୟ ନ୍ୟାୟପାଳିକା ଓ ସରକାରଙ୍କ ବିଶ୍ବସନୀୟତା ଓ ଅସ୍ତିତ୍ବ ନେଇ ଜନସାଧାରଣଙ୍କ ଭରସା ତୁଟିଯିବ। ତେଣୁ କୃଷକମାନେ ସେମାନଙ୍କ ଆନ୍ଦୋଳନକୁ ଜାରି ରଖିବା ସମୟରେ ଶାନ୍ତି ଓ ସତ୍ୟର ମାର୍ଗ ପରିତ୍ୟାଗ ନ କରନ୍ତୁ। କାରଣ କେବଳ ଏହି ମାର୍ଗ ସର୍ବଦା ସଫଳତା ଆଡ଼କୁ ନେଇଯିବ ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର