ଦିଗପହଣ୍ଡି : ଗଞ୍ଜାମରେ ଧାନର ଅଭାବୀ ବିକ୍ରି ପରିସ୍ଥିତି ଆରମ୍ଭ ହୋଇଯାଇଛି। କିଛି ଚାଷୀଙ୍କ ଟୋକନ୍ ଅବଧି ଶେଷ ହେବାକୁ ବସିଥିବା ବେଳେ ଏଯାଏ ଟାର୍ଗେଟ୍ ମିଳୁ ନଥିବାରୁ ସେମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଫଳରେ ଆନ୍ଧ୍ର ଦଲାଲ ଏହାର ସୁଯୋଗ ନେଇ ସକ୍ରିୟ ହୋଇ ଉଠିଛନ୍ତି। ଆଉ ୨୪ ଘଣ୍ଟା କ୍ବିଣ୍ଟାଲ୍ କ୍ବିଣ୍ଟାଲ୍ ଧାନ ଟ୍ରକ୍ରେ ଚାଲାଣ ହେଉଛି। ନିରୁପାୟ ଚାଷୀ ଶାଗମାଛ ଦରରେ ଧାନ ଦଲାଲ୍ ହାତକୁ ଟେକି ଦେବାକୁ ବାଧ୍ୟ ହେଉଛି। ଖୋଦ୍ ପ୍ରଶାସନ ଏହା ଜାଣି ବି ଅଚିନ୍ତା ପାଲଟିଯାଇଛି।
ଦିଗପହଣ୍ଡି ବ୍ଲକ୍ରୁ ଏହି ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ପ୍ରତିଦିନ ରାତାରାତି କ୍ବିଣ୍ଟାଲ୍ କ୍ବିଣ୍ଟାଲ୍ ଧାନବସ୍ତା ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଛି। ଏଭଳି ପରିସ୍ଥିତିରେ ଦେଓଖାଳି ଛକ ନିକଟରୁ ଗତକାଲି ରାତିରେ ଆନ୍ଧ୍ରପ୍ରଦେଶର ଏକ ଧାନ ବୋଝେଇ ଟ୍ରକ୍କୁ ତହସିଲଦାର ଜବତ କରିଥିଲେ। ଟ୍ରକ୍ ଚାଳକଙ୍କୁ ପଚରାଉଚରା କରାଯାଇଥିବା ବେଳେ ଧାନ ବିକ୍ରି କରିଥିବା ଏସ.ଟିକରପଡ଼ା ଗ୍ରାମର ବହୁ ଚାଷୀ ଆଜି ତହସିଲ କାର୍ଯ୍ୟାଳୟକୁ ଆସିଥିଲେ। ଆନ୍ଧ୍ର ବେପାରୀଙ୍କୁ ଧାନ ବିକି ଥିବା ନେଇ ତହସିଲଦାର ସିପକ କୁମାର ପାତ୍ରଙ୍କୁ ସମସ୍ତେ ଲିଖିତ ଭାବେ ଅବଗତ କରିଥିଲେ। ଏହାସହ ଜମିର ପଟ୍ଟା ବି ଦେଖାଇଥିଲେ। ଶେଷରେ ଧାନ ବୋଝେଇ ଟ୍ରକ୍କୁ ଆଜି ତହସିଲଦାର ଛାଡ଼ି ଦେଇଥିଲେ।
କେବଳ ଏସ.ଟିକରପଡ଼ା ନୁହେଁ, ଅନ୍ୟାନ୍ୟ ପଞ୍ଚାୟତର ଚାଷୀମାନେ ମଧ୍ୟ ଟୋକନ୍ ପାଇ ଧାନ ବିକ୍ରି କରିବା ଅପେକ୍ଷାରେ ରହିଛନ୍ତି। କିନ୍ତୁ ଟାର୍ଗେଟ୍ ମିଳୁ ନଥିବାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଛି। ଯଦ୍ବାରା ସେମାନେ ବାହାର ବେପାରୀଙ୍କ ଉପରେ ଭରସା କରିବାକୁ ବାଧ୍ୟ ହୋଇଛନ୍ତି। ଏହାପୂର୍ବରୁ ଗତମାସ ୨୯ ତାରିଖରେ ନରେନ୍ଦ୍ରପୁର ଗ୍ରାମର କିଛି ଚାଷୀ ଜଣେ ଦଲାଲ୍ଙ୍କ ଜରିଆରେ ଧାନ ବିକି ଟ୍ରକ୍ରେ ଲୋଡ଼୍ କରୁଥିବା ସୂଚନା ମିଳିଥିଲା। ସମାଜସେବୀ ଉତ୍ତମ ପାଣିଗ୍ରାହୀ ଓ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା ଆସି ପହଞ୍ଚିଥିଲେ। ତହସିଲଦାର ଶ୍ରୀ ବେହେରା ଟ୍ରକ୍କୁ ଜବତ କରିବେ ବୋଲି କହିବାରୁ ଗ୍ରାମବାସୀ ଏବଂ ଚାଷୀମାନେ ତାଙ୍କୁ ଘେରାଉ କରି ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏତେ ପରିମାଣର ଧାନ କେମିତି ମଣ୍ଡିରେ ବିକ୍ରି ହେବ ? ସବୁ ଚାଷୀଙ୍କ ଧାନ କଣ କିଣାଯାଇପାରି କି ? ଏଭଳି ଅନେକ ପ୍ରଶ୍ନବାଣରେ ଅତିରିକ୍ତ ତହସିଲଦାର ଥତମତ ହୋଇ ସେଠାରୁ ଫେରିଯାଇଥିଲେ।