ପାରଳାଖେମୁଣ୍ଡି,୩/୯(ଇମିସ): ୨୦୨୩-୨୪ ଖରିଫ ଋତୁରେ ଧାନକିଣା ପାଇଁ ଚାଷୀଙ୍କ ପଞ୍ଜୀକରଣ ଅବଧି ଚଳିତବର୍ଷ ଜୁଲାଇ ୧୫ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ଥିଲା। କିନ୍ତୁ ବିଭିନ୍ନ କୃଷକ ସଂଗଠନଙ୍କ ଦାବି ପରେ ସରକାର ଏହାକୁ ବିଚାରକୁ ନେଇ ଅବଧିକୁ ଆଉ ୧୦ ଦିନ ବଢ଼ାଇଥିଲେ। ଫଳରେ ଚଳିତବର୍ଷ ଗଜପତିରେ ୮ପ୍ରତିଶତ କୃଷକ ଅଧିକ ପଞ୍ଜୀକୃତ ହୋଇଛନ୍ତି। ଗତବର୍ଷ ଜିଲ୍ଲାରେ ୧୪,୪୫୨ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଚଳିତବର୍ଷ ୧୫,୫୩୩ ଚାଷୀ ପଞ୍ଜୀକରଣ କରିଥିବା ସୂଚନା ମିଳିଛି।

Advertisment

ତେବେ ଗୋଟିଏ ପଟେ ରାଜ୍ୟ ସରକାର ଚାଷୀଙ୍କ ପଞ୍ଜୀକରଣ ଅଧିକରୁ ଅଧିକ କରିବା ପାଇଁ କହୁଥିବା ବେଳେ ଅନ୍ୟପଟେ ବିଭିନ୍ନ ଏଜେନ୍ସିକୁ ଲଗାଇ ତନଖି କରାଇ କିପରି ଜମି ପରିମାଣ କମିବ ଏବଂ ଧାନାକିଣା ହାର କମିବ ତା ପାଇଁ ଚେଷ୍ଟା କରୁଛନ୍ତି ବୋଲି  କୃଷକ ସଂଘ ଅଭିଯୋଗ କରିଛନ୍ତି। ଏହାର ଅନେକ ଉଦାହରଣ ବିଗତ ବର୍ଷ ମାନଙ୍କରେ ଦେଖିବା ପାଇଁ ମିଳିଛି। ଗତବର୍ଷ ୧୨ଶହ ପଞ୍ଜୀକୃତ ଚାଷୀଙ୍କ ଧାନ ଟୋକେନ୍ ଥିବା ସତ୍ତ୍ବେ ଟାର୍ଗେଟ ଆସିନି ବୋଲି କହି ଚାଷୀଙ୍କୁ ହଇରାଣ କରି ଉକ୍ତ ଚାଷୀଙ୍କ ଧାନ ମିଲରର୍ସଙ୍କୁ ଦେଇ ଶେଷରେ ବ୍ୟବସାୟୀ ହିସାବରେ ପଇସା ଦିଆଗଲା। ଏହି କାମଟି କୌଣସି ମିଲର କିମ୍ବା ବ୍ୟବସାୟୀ ନକରି ଖୋଦ ଯୋଗାଣ ଅଧିକାରୀ ଏବଂ ଗଜପତି ଜିଲ୍ଲାର ଜିଲ୍ଲାପାଳ ୧୨ଶହରୁ ଅଧିକ ଧାନ ଶାଗମାଛ ଦରରେ ବିକ୍ରୟ କରାଇଛନ୍ତି। ସେହିପରି ପରିସ୍ଥିତି ଚଳିତବର୍ଷ ହେବନାହିଁ ବୋଲି ମାନେ କଣ ଅଛି ବୋଲି ଚାଷୀ ପ୍ରଶ୍ନ କରିଛନ୍ତି।

ପ୍ରକାଶ ଥାଉ କି ୧୯୭୭ ମସିହାରେ ଯେଉଁ ଭୂ-ଲେଖ ଜମି ବନ୍ଦୋବସ୍ତ ନିୟମ ହୋଇଥିଲା ବର୍ତ୍ତମାନ ୨୦୨୩ ମସିହା ସୁଦ୍ଧା ୪୬ ବର୍ଷ ହେଲା ଜମି ପୁନଃ ବନ୍ଦୋବସ୍ତ ନହୋଇ ୪୬ବର୍ଷ ତଳର ଜମି ଯେଉଁ କିସମ ଥିଲା ସେହି ଅନୁଯାୟୀ ବର୍ତ୍ତମାନର ଜମି ମଧ୍ୟ ପଞ୍ଜୀକରଣ କରିବା ପାଇଁ ବାଧ୍ୟ କରାଉଛନ୍ତି। ଏହାର ଉଦାହରଣ ହେଲା ୧୯୭୭ ମସିହାର ଜମିର କିସମ ଯଦି ପତିତ, ଅନାବାଦୀ, ଗୋଚର, ଗ୍ରାମକଣ୍ଟକ, ପଥରବଣୀ, ରାସ୍ତାପାଖ ରହିଥିଲା, କିନ୍ତୁ ୪୬ବର୍ଷ ପରେ ତାହା ଚାଷ ଉପଯୋଗ ହେଲେ ମଧ୍ୟ ସେହି ଜମିରୁ ବାହାରୁଥିବା ଧାନ ବିକ୍ରି କରିବାରେ କଟକଣା କରାଯାଉଛି। ଏବଂ ଚାଷୀଙ୍କୁ ଉକ୍ତ ଜମିକୁ ପଞ୍ଜୀକରଣ କରୁନାହାନ୍ତି। ଏଭଳିକି ସରକାର ଦ୍ବାରା ନିୟୋଜିତ ୩ଟି ସଂସ୍ଥା ଦ୍ବାରା ଡ଼୍ରୋନ ବୁଲାଇ କରାଯାଇଥିବା ସର୍ବେକ୍ଷଣକୁ ମଧ୍ୟ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି କୃଷକ ସଂଗଠନ। ସରକାର ଏପରି ଚାଷୀମାରଣ ନୀତିକୁ ନଆପଣାଇ ପଞ୍ଜୀକୃତ ଚାଷୀର ଧାନ କ୍ରୟ କରନ୍ତୁ ବୋଲି ଗଜପତି ଜିଲ୍ଲା କୃଷକ ସଂଘ ଦାବି କରିଛନ୍ତି।