କୋରାପୁଟ: ସାମୁଦ୍ରିକ ଝଡ଼ ‘ଫେଙ୍ଗଲ’କୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି। ଜମିରେ ପାଣି ଜମା ରହିଲେ ଧାନ କାଟି ହେବ ନାହିଁ। ବହୁ ଜମିରେ ଧାନ ପାଚି ଗଲାଣି। ଧାନ କେଣ୍ଡା ଓହଳିବାରେ ଲାଗିଥିଲା। ତେଣୁ ଚାଷୀ ମାନେ ଆଉ କାଳ ବିଳମ୍ବ ନ କରି ଧାନ କଟା ଓ ଅମଳର ୨ରକମର ମେସିନ୍ ଓ ମହିଳା ମାନଙ୍କୁ ଲଗାଇ ଧାନ ଅମଳ ପ୍ରକ୍ରିୟା ଜୋର କରିଛନ୍ତି। କିଛି ଚାଷୀ ଜମିରେ ଧାନ କାଟିବା ସାଙ୍ଗେ ସାଙ୍ଗେ ଜମିରେ ଅଳ୍ପ ସୁଖିବା ପରେ ତୁରନ୍ତ ଜମି ପାର୍ଶ୍ବକୁ ଆଣି ଅମଳ କରିବାରେ ଲାଗି ପଡ଼ିଛନ୍ତି। କିଛି ସ୍ଥାନରେ ଧାନ କଟା ମେସିନ୍ ମିଳୁ ନଥିବାରୁ ଧାନ କାଟି ତୁରନ୍ତ ଥ୍ରେସିଂ ମେସିନରେ ପକାଇ ଧାନ ଅମଳ କରି ବସ୍ତାରେ ପ୍ୟାକ୍ କରି ଖଳାରେ ରଖୁଥିବା ଦେଖିବାକୁ ମିଳିଛି। ମଣ୍ଡି ଆରମ୍ଭ ହୋଇନଥିବାରୁ  କିଛି ସ୍ଥାନରେ ଅମଳ ଧାନ କେଣ୍ଡାକୁ ଜମି ମଧ୍ୟରେ ହିଁ ଗଦା (କୁପା) କରି ରଖିଛନ୍ତି।

Advertisment

ଏଥରକ ଖରିଫ ମଣ୍ଡି ଆଉ ୧୦ଦିନ ଗଲେ ଅର୍ଥାତ ୧୧ରୁ ଆରମ୍ଭ ହେବ। ମଣ୍ଡି ଆରମ୍ଭ ହେବା ପୂର୍ବରୁ ଜିଲ୍ଲାର ବିଭିନ୍ନ ମଣ୍ଡି ଗୁଡିକରେ ଚାଷୀ ମାନେ ଧାନ ଅମଳ କରି ମଣ୍ଡି ପଡ଼ିଆରେ ଜମା କରି ରଖି ସାରିଥିବା ଦେଖିବାକୁ ମିଳିଛି। ଶୀତ କାକରରେ ପାଳି କରି ଚାଷୀ ମାନେ ଧାନକୁ  ଠାରେ ରଖି ଜଗିଛନ୍ତି।  

ମଣ୍ଡି ଆରମ୍ଭ ହେଲେ ହିଁ ଧାନ କ୍ରୟକାରୀ ସଂସ୍ଥା ଆରଏମସି (ନିୟନ୍ତ୍ରିତ ବଜାର କମିଟି) ପକ୍ଷରୁ ଚାଷୀଙ୍କ ଧାନବସ୍ତା ଘୋଡାଇବା ପାଇଁ ଟାରପଲିନ୍ ଦେବେ। କିଛି ମଣ୍ଡିର ଖୋଲା ପଡ଼ିଆରେ ହିଁ ଧାନ ଶୁଖାଇ ରଖିଥିବା ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପ ବର୍ଷାକୁ ନେଇ ଘୋଷଣା କରିବା ପରେ ଚିନ୍ତାରେ ପଡ଼ିଛନ୍ତି। ବହୁ ନାମକୁ ମାତ୍ର, ମଧ୍ୟମ ଚାଷୀ ମାନେ ଧାନବସ୍ତାକୁ ଘୋଡାଇ ନାହାନ୍ତି। ୮୦ରୁ ୯୦ପ୍ରତିଶତ ଧାନ କଟା ସରିଲାଣି। ଆଉ ୧୦ପ୍ରତିଶତ ଧାନ କଟା ଜାରି ରହିଛି ବୋଲି କୃଷି ବିଭାଗର ଅଧିକାରୀ ମାନେ କହିଛନ୍ତି। ଜମିରେ ଧାନ କାଟିବା ପରେ ଶୁଖୁଥିବାରୁ ଏହାକୁ ନେଇ ବି କିଛି ଚାଷୀ ଚିନ୍ତାରେ ପଡ଼ିଛନ୍ତି। ତେବେ ରାଜ୍ୟସ୍ତରୀୟ ଲୋକମହୋତ୍ସବ ପରବ ଏସମୟରେ ହେଉଥିବାରୁ ମଣ୍ଡିକୁ ଧାର୍ଯ୍ୟ ତାରିଖ ୧୧ରେ ଆରମ୍ଭ କରାଯାଉ। ଏ ନେଇ ଥିବା ପ୍ରକ୍ରିୟା ଆଗୁଆ ଆରମ୍ଭ କରାଯାଉ ବୋଲି ଚାଷୀମାନେ ଅନୁରୋଧ କରିଛନ୍ତି।