ବାରିପଦା : ଲଘୁଚାପଜନିତ ବର୍ଷା କ୍ଷୟକ୍ଷତି ଏଯାଏ ଭରଣା ହୋଇନଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଚାଷୀଙ୍କୁ ଚକଡ଼ା ପୋକ ଚିନ୍ତା ଘାରିଛି। ଗର୍ଭଧାରଣ ହେଉଥିବା ଧାନକେଣ୍ଡାକୁ ଚକଡ଼ା ପୋକ ଖାଇଦେବା ଫଳରେ ଗଛରୁ ଧାନ ବଦଳରେ ଅଗାଡ଼ି ବାହାରିବା ସ୍ଥିତି ସୃଷ୍ଟି ହେଲାଣି। ଏ ସଂକ୍ରାନ୍ତରେ ଚାଷୀମାନେ ନିଜ ନିଜ ଅଞ୍ଚଳର କୃଷି ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ଅବଗତ କରିବା ସତ୍ତ୍ବେ କେହି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ଓଲଟା ଆମେ କିଛି କରି ପାରିବୁନି କହି କୃଷି ବିଭାଗ ସେମାନଙ୍କୁ ଫେରାଇ ଦେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାରେ ବର୍ତ୍ତମାନ ମୁଖ୍ୟ କୃଷି ଅଧିକାରୀ ନଥିବାରୁ ଅତିରିକ୍ତ ଦାୟିତ୍ବରେ ଥିବା ଅଧିକାରୀ ମଧ୍ୟ ଏ ବାବଦରେ କିଛି ପ୍ରତିକ୍ରିୟା ଦେବାକୁ ରାଜିନାହାନ୍ତି।

Advertisment

ସପ୍ତାହ ମଧ୍ୟରେ ୧୧ ବ୍ଲକ୍‌କୁ ମାଡ଼ିଗଲେଣି ପୋକ
କୃଷି ବିଭାଗର ନିଦ ଭାଙ୍ଗୁନି, ଚାଷୀକୁଳ ଅସହାୟ

ସୂଚନା ମୁତାବକ, ସେପ୍‌ଟେମ୍ବର ୩୦ ତାରିଖ ସୁଦ୍ଧା ବେତନଟୀ, ବଡ଼ସାହି ଓ ବହଳଦା ବ୍ଲକ୍‌ରେ ଧାନବିଲରେ ଚକଡ଼ା ପୋକ ଲାଗିଥିଲା। ପ୍ରଥମେ ୧୦୦ରୁ ୧୫୦ ହେକ୍ଟର ଧାନ ବିଲରେ ପୋକ ଲାଗିଥିଲା ବେଳେ ସପ୍ତାହେ ମଧ୍ୟରେ ୧୧ଟି ବ୍ଲକ୍‌କୁ ପୋକ ମାଡ଼ିଗଲେଣି। ଯଶିପୁର, ଠାକୁରମୁଣ୍ଡା, ବାଙ୍ଗିରପୋଷି, ତିରିଂ, ଶୁକୃଳି, ଶୁଳିଆପଦା, ବହଳଦା, ବିଶୋଇ ଆଦି ବ୍ଲକ୍‌ରେ ୬୦୦ ହେକ୍ଟରରୁ ଅଧିକ ଧାନବିଲରେ ରୋଗପୋକ ଲାଗିଛି। ଆଗକୁ ଅନ୍ୟ ବ୍ଲକ୍‌କୁ ମଧ୍ୟ ରୋଗପୋକ ମାଡ଼ିବାର ଆଶଙ୍କା ରହିଛି। ସେପଟେ କୃଷି ବିଭାଗର ନିଷ୍କ୍ରିୟତା ଦେଖି ଚାଷୀମାନେ ରୋଗପୋକ ଦମନ ପାଇଁ ନିଜ ନିଜ ହିସାବରେ ଉପାୟ ଅବଲମ୍ବନ କରୁଛନ୍ତି। ହେଲେ ଏଥିରେ କାହିଁକି ବା ପୋକ ମରିବେ? କୃଷି ବିଭାଗ ତୁରନ୍ତ ଏହାର ପ୍ରତିକାର ନକଲେ ସବୁ ଫସଲ ଉଜୁଡ଼ିଯିବ ବୋଲି କହିଛନ୍ତି ବିଶୋଇ ଅଞ୍ଚଳର ଚା‌ଷୀ ଦିବାକର ଜେନା ଓ ଶୁଳିଆପଦା ଅଞ୍ଚଳର ଚାଷୀ ଦେବାଶିଷ ମହାନ୍ତ।

ଏ ସଂପର୍କରେ କିଛି ଚାଷୀ ‘ମୋ ସରକାର ମାଧ୍ୟମରେ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କୁ ଜଣାଇଛନ୍ତି। ଯଦି କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଜିଲ୍ଲାର ଚାଷୀକୁଳ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଳାଇବେ ବୋଲି କୃଷକ ନେତା ଜୟନ୍ତ ମହାପାତ୍ର ଚେତାବନୀ ଦେଇଛନ୍ତି। ଏ ନେଇ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳଙ୍କୁ ପଚାରିବାରୁ କୃଷି ବିଭାଗ ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି। ପ୍ରକାଶଥାଉକି, ଚଳିତବର୍ଷ ମୟୂରଭଞ୍ଜ ଜିଲ୍ଲାରେ ୨ ଲକ୍ଷ ୮୩ ହଜାର ହେକ୍ଟର ଜମିରେ ଖରିଫ୍ ଧାନଚା‌ଷ କରାଯିବାକୁ ଲକ୍ଷ୍ୟ ରହିଛି। ଏଥିସହ ଧାନ ବିକ୍ରି ପାଇଁ ଜିଲ୍ଲାରେ ୬୩ ହଜାର ୫୫୧ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି।