ପନିପରିବା ଦର ଉଚ୍ଚା, ଚାଷୀ ହାତରେ ଟଙ୍କା ନାହିଁ
ମନ୍ତ୍ରୀ, ସଚିବ ବଦଳିଲେ, ସରକାରଙ୍କ ଆଭିମୁଖ୍ୟ ବଦଳୁଛି
୨୦୦୦ର କୃଷକବଜାର ଫେଲ୍, ଶୀତଳଭଣ୍ଡାର ନୋହିଲା
ଭୁବନେଶ୍ୱର, (ଭବାନୀ ଶଙ୍କର ତ୍ରିପାଠୀ): କେବେ ବିଲାତି ବାଇଗଣ କିଲୋଗ୍ରାମ୍ ପିଛା (କେଜି) ୫୦ ପଇସାରେ ଚାଷୀକୁ ବିକିବାକୁ ପଡ଼ୁଛି, ଆଉ କେବେ ୫୦ ଟଙ୍କାରେ ବି କେଜିଏ ମିଳୁନି। କେଉଁଠି ଚାଷୀ ବାଇଗଣ ୨୫ ଟଙ୍କାରେ ବିକ୍ରି କରୁଛି, ଆଉ ୧୦ କିଲୋମିଟର ପରେ ଆଉ କିଛି ଚାଷୀ ସମାନ ସମୟରେ ୪୦ ଟଙ୍କାରେ ବିକୁଛନ୍ତି। ଆଜି ଦିନରେ ବି ପରିବା ବଜାରକୁ ନିରେଖି ଦେଖିଲେ, ଏକଥା ଜଳ ଜଳ ହୋଇ ଦିଶୁଛି ଯେ ସହରାଞ୍ଚଳ ବଜାରମାନଙ୍କରେ ଢେର୍ ଉଚ୍ଚା ଦରରେ ବିକ୍ରି ହେଉଥିବା ପନିପରିବା ଦର ଗ୍ରାମାଞ୍ଚଳରେ ନାହିଁ।
ଓଡ଼ିଶାର ବିଭିନ୍ନ ବଜାରରେ ପରିବାର ଦର ଭିନ୍ନ ଭିନ୍ନ। କରୋନା ଭଳି ସାଂଘାତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ଲୋକେ ଜୀବନ ବନାମ ଜୀବିକାକୁ ନେଇ ସଂଘର୍ଷ କରୁଛନ୍ତି, ବଞ୍ଚିଯିବା ପାଇଁ ବେଉଷା ବଦଳାଉଛନ୍ତି, ଗାଁକୁ ଫେରିଯାଇ ଚାଷକୁ ଆଦରିବାକୁ ବସୁଛନ୍ତି, ସେଠାକାର ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ। ଓଡ଼ିଶାର ଭାତହାଣ୍ଡିକୁ ଜଗି ରହିଥିବା ଚାଷୀ ଏବେ ସବୁଠାରୁ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହେଉଛି। ବଜାରରେ ପନିପରିବା ଅଧିକ ମୂଲ୍ୟରେ ବିକ୍ରି ହେଉଥିବା ନେଇ ତମ୍ବିତୋଫାନ ହେଉଥିବା ବେଳେ ଏହାର ଲାଭ ଚାଷୀ ପାଖକୁ ଯାଉଛି ନା ଦଲାଲ ବଜାରକୁ ନିୟନ୍ତ୍ରଣ କରୁଛି, ତାହା ସରକାର ଅନୁସନ୍ଧାନ କରିବାର ସମୟ ଆସିଛି।
/sambad/media/post_attachments/wp-content/uploads/2020/06/veg-300x129.jpeg)
କୃଷି ବିଶେଷଜ୍ଞମାନଙ୍କର କହିବା କଥା, ଯାବତୀୟ ବିପର୍ଯ୍ୟୟ, ବିହନ ଠାରୁ ଆରମ୍ଭ କରି ସାର ପର୍ଯ୍ୟନ୍ତ ଅବ୍ୟବସ୍ଥା, ଉନ୍ନତ ଜ୍ଞାନକୌଶଳ ଆଦିର ଅଭାବ ପରେ ବି ଚାଷୀ ପନିପରିବା ଉତ୍ପାଦନ କରିବା ପରେ ପରିବହନ, ବଜାର ଓ ଶୀତଳଭଣ୍ଡାର ଭଳି ତିନିଟି ପ୍ରମୁଖ ଚ୍ୟାଲେଞ୍ଜକୁ ସାମ୍ନା କରୁଛି। ଏହି ତିନିଟି କ୍ଷେତ୍ରକୁ ଗତ ୨୦ବର୍ଷ ଧରି ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା କଥା କହୁଛନ୍ତି। ହେଲେ ବାସ୍ତବତା ହେଲା, ଆଜି ମଧ୍ୟ ଏହାର ସମାଧାନର ରାସ୍ତା ବାହାରି ପାରୁନାହିଁ। ମନ୍ତ୍ରୀ ଓ ସଚିବ ବଦଳିଲେ, କୃଷି ବିଭାଗର ଆଭିମୁଖ୍ୟ ବଦଳି ଯାଉଛି।
ଦୁଇଟି ଚାରିଟି ଉଦାହରଣ ସ୍ପଷ୍ଟ କରିଦେଉଛି ଯେ ପନିପରିବା ପ୍ରତି ୨୦୦୦ ମସିହାରେ ସରକାର ରଖିଥିବା ଆଭିମୁଖ୍ୟ ୨୦୨୦ ବେଳକୁ ନାହିଁ। ଚାଷୀ ଚାଷ କରୁଥିବା ଅଞ୍ଚଳର ଭୌଗଳିକ ସ୍ଥିତିକୁ ଆଦୌ ବିଚାରକୁ ନ େନଇ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଉଛନ୍ତି, ଯାହା କାନକୁ ଭଲ ଶୁଭୁଥିଲେ ବି ତୃଣମୂଳସ୍ତରରେ ଚିତ୍ର ବଦଳୁନାହିଁ।
/sambad/media/post_attachments/wp-content/uploads/2020/07/farmer-a-300x200.jpg)
ପ୍ରଥମତଃ, ରାଜ୍ୟ ସରକାର ଗାଁ ଗଣ୍ଡାର ରାସ୍ତାକୁ ଚିକ୍ ଚିକ୍ କରିଥିଲେ ହେଁ, ଏଯାଏ ଚାଷୀର ଚାଷ ସହରାଞ୍ଚଳକୁ ଆସିବାର ବାଟ ଖୋଲିପାରିନାହାନ୍ତି। ପରିବହନ ଜନିତ ସମସ୍ୟା ଆଜି ବି ଅତ୍ୟନ୍ତ ଉତ୍କଟ ସ୍ଥିତିରେ ଅଛି। ଗୋଟିଏ ସମୟରେ ମନ୍ତ୍ରୀମାନେ ସ୍ବପ୍ନ ଦେଖାଇଥିଲେ, ସବୁ ଜିଲ୍ଲାର ଉତ୍ପାଦିତ ପନିପରିବା ସେହି ସହର ଦେଇ ଭୁବନେଶ୍ବରକୁ ଆସିବ। ସେଠାରୁ ଉତ୍ପାଦିତ ସାମଗ୍ରୀର ଚାହିଦା ଦେଖି ସରକାର ଅନ୍ୟ ରାଜ୍ୟକୁ ପଠାଇବେ। ଲୋକଙ୍କୁ ଆକର୍ଷିତ କରିବା ଭଳି ସରକାର ଇତିମଧ୍ୟରେ କୃଷି ଭବନ ସିନା ରାଜଧାନୀ ଛାତି ଉପରେ ଠିଆ କରିପାରିଛନ୍ତି, କିନ୍ତୁ କୃଷକର ସାମଗ୍ରୀ ବିକ୍ରି କରିବା ପାଇଁ ବଜାର ନିଷ୍ପତ୍ତିଟି ସ୍ବପ୍ନ ହୋଇରହିଛି।
ରାଜଧାନୀ ପର୍ଯ୍ୟନ୍ତ ଆସିବା କଥା ଦୂରେ ଥାଉ, ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ ଉତ୍କୃଷ୍ଟ ବଜାର ସୃଷ୍ଟି କରିବାରେ ସରକାର ସଫଳ ହୋଇପାରିନାହାନ୍ତି। କୋରାପୁଟ ଜିଲ୍ଲାର କୁନ୍ଦୁଲି ହାଟ କଥା କିଏ ନ ଜାଣେ। ୭କୋଟି ୫୫ଲକ୍ଷ ଟଙ୍କାରେ ସେଠାରେ କୃଷକ ବଜାର ପ୍ରତିଷ୍ଠା କରାଯାଇଥିଲା। ଆଜି ଦିନ ପର୍ଯ୍ୟନ୍ତ ସେଠାକୁ ଚାଷୀ ଗଲେଣି? ରାସ୍ତା ଉପରେ କେଇ ଘଣ୍ଟା ମଧ୍ୟରେ ଚାଷୀ ତାର ସାମଗ୍ରୀକୁ ନ’ ଛଅରେ ଟେକି ଦେଉଛି। କଟକ ଛତରବଜାର, ଯାଜପୁର ବାରବାଟୀ ପରିବା ବଜାରକୁ କୃଷି ମନ୍ତ୍ରୀ, ସଚିବ ଥରୁଟିଏ ଯାଇ ସ୍ଥିତି ଦେଖିଲେଣି?
ପ୍ରକାଶଥାଉକି, ରାଜ୍ୟ ସରକାରଙ୍କ କୃଷକ ବଜାର ଯୋଜନା ଇତିମଧ୍ୟରେ ଫେଲ୍ ମାରିଛି। ଏହି ଯୋଜନା ପଛର ମୂଳ ଉଦ୍ଦେଶ୍ୟ ସାଧିତ ହୋଇପାରିନାହିଁ। ହାତଗଣତି କେତୋଟି ବଜାର ସୃଷ୍ଟି କରି ସରକାର ଏ ଯୋଜନାକୁ ପାଶୋରି ଦେଇଛନ୍ତି। ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରେ ସେହିବର୍ଷ ଡିସେମ୍ବର ମାସରେ ଏକ ୧୨ସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ସରକାର ଘୋଷଣା କରିଥିଲେ ଯେ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ୨୦୦ଟି ସ୍ଥାନରେ କୃଷକ ବଜାର ସ୍ଥାପନ କରିବେ। ଉଦ୍ଦେଶ୍ୟ ଥିଲା, କୃଷକ ବଜାରରେ ଚାଷୀ ସିଧାସଳଖ ଉପଭୋକ୍ତାଙ୍କୁ ତଟକା ପନିପରିବା ଓ ସାମଗ୍ରୀ ଆଦି ବିକ୍ରି କରିବ ଓ ଭଲ ଦି’ ପଇସା ପାଇବ। ମହାଜନ ସେମାନଙ୍କୁ ଠକିବ ନାହିଁ କିମ୍ବା ଦଲାଲ ମଧ୍ୟସ୍ଥତା ଆଳରେ ଚାଷୀ ଲାଭରେ ଭାଗ ବସାଇବ ନାହିଁ।
/sambad/media/post_attachments/wp-content/uploads/2019/09/veg-300x171.jpg)
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ଲକ୍ଷ୍ୟ ଅନୁସାରେ କୃଷକ ବଜାର ସୃଷ୍ଟି କରିପାରିନାହାନ୍ତି। ଗୋଟିଏ ସମୟରେ ସକ୍ରିୟ ଥିବା ୪୩ଟି କୃଷକ ବଜାର ମଧ୍ୟରୁ ୧୫ଟି କୃଷକ ବଜାର ଏମିତି ସ୍ଥାନରେ ହୋଇଛି ଯେ କୁନ୍ଦୁଲି ଭଳି ସେଠାକୁ ଚାଷୀ ଯାଉନାହାନ୍ତି। ବିକ୍ରି ଯୋଗ୍ୟ ପନିପରିବା ମଧ୍ୟ ତାର ଆଖ ପାଖକୁ ଆସୁନାହିଁ। ଫଳରେ ଏସବୁ ବଜାର ନିର୍ମାଣ କରାଯାଇଥିଲେ ହେଁ, ଆଜିଯାଏ ତାହା ଖୋଲିପାରୁନାହିଁ। କିଛି କୃଷକ ବଜାର ସପ୍ତାହକରେ ଥରେ ଖୋଲୁଛି, ମାତ୍ର ୫ରୁ ୮ଟିରେ ନିତିଦିନିଆ ହାଟ ହେଉଛି।
ନିକଟରେ ରାଜ୍ୟ ସରକାର ଚାଷୀକୁ ବୈଷୟିକ ସୁବିଧା ଆଧାରରେ ବେପାର ପାଇଁ ସୁଯୋଗ ଦେବା ଲାଗି ଇ-ନାମ ପୋର୍ଟାଲ କରିଛନ୍ତି। ଚାଷୀମାନେ ସେମାନଙ୍କ ପରିବା ସମ୍ପର୍କରେ ସୂଚନା ଦେଇପାରିବେ ଓ ବଜାରର ଦର ଜାଣିପାରିବେ। ହେଲେ ଚାଷୀଠାରୁ କେହି କିଣିବା ପାଇଁ ସେଥିରେ କି ବ୍ୟବସ୍ଥା ରହିଛି?
ଚାଷୀକୁ ଶୀତଳଭଣ୍ଡାର ଯୋଗାଇ ଦେବା ସମ୍ଭବ ହୋଇପାରିଲା ନାହିଁ। ଏ କ୍ଷେତ୍ରରେ ବିଦ୍ୟୁତ ବିଲ୍ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ସେହିଭଳି ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ କ୍ଷେତ୍ରରେ ବି ବିଫଳତା ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଅତି ଦୂରକୁ ନଯାଇ ଗୋଟିଏ ବର୍ଷର ପରିସଂଖ୍ୟାନ ନେଲେ, ଏସବୁ କ୍ଷେତ୍ରରେ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନ ସହିତ କୃଷି ବିଭାଗ ଯେଭଳି ବୈଠକ କରି ତନାଘନା କରିବା କଥା ତାହା ଦେଖାଯାଇନାହିଁ।
ଏବେ ତିରୋଟ ସମୟରେ ଚାଷୀ ଯେତେବେଳେ ମୂଳ ବେଉଷାକୁ ଫେରିବାକୁ ବସିଛି, ସେତେବେଳେ ସରକାର ତାକୁ ସେଠାରେ ଅଟକାଇ ରଖିବା ପାଇଁ ପ୍ରସ୍ତୁତ ନାହାନ୍ତି। ମାଳ ମାଳ ନୀତି, ନିୟମ କଲେ, ଚାଷୀର କି ଯାଏ?