କଳାବଜାର ଫାଶରେ ଚାଷୀ

ବରଗଡ଼ : ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାର ଚାଷୀଙ୍କ ସ୍ଥିତି ଦିନକୁ ଦିନ ବିଗିଡ଼ିବାକୁ ଲାଗୁଛି। ପ୍ରାକୃତିକ ବିପର୍ଯ୍ୟୟଠାରୁ ବେଶି ନକଲି ସାର ଏବଂ ବିହନ କଳାବେପାର ଚାଷୀଙ୍କ ପାଇଁ କାଳ ସାଜିଛି। ଏଥର ଖରିଫ୍‌ରେ ଜିଲ୍ଲାରେ ମୋଟ୍ ୩,୪୮,୭୪୭ ହେକ୍ଟର ଜମିରେ ଚାଷ ହେବ। ୨,୪୮,୯୪୪ ହେକ୍ଟରେ କେବଳ ଧାନ ଚାଷ ହେବ। ଏଥିରେ ୧,୫୧,୪୯୪ ହେକ୍ଟର ଜଳସେଚିତ, ୯୭,୪୫୦ ହେକ୍ଟର ଅଣଜଳସେଚିତ ଜମି ରହିଛି। ବଳକା ଜମିରେ ଡାଲି ଜାତୀୟ, ପନିପରିବା ଏବଂ ଅନ୍ୟ ଚାଷ କରିବାକୁ ଧାର୍ଯ୍ୟ ହୋଇଛି। କିନ୍ତୁ ଚାଷୀ କଳାବେପାରୀଙ୍କ ହାବୁଡ଼ରେ ପଡ଼ି ସର୍ବସ୍ବାନ୍ତ ହେଉଛନ୍ତି।

ଜିଲ୍ଲା କୃଷି ବିଭାଗ ପକ୍ଷରୁ ଚଳିତ ମାସ ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଥିଲା। ଜିଲ୍ଲାର ପ୍ରତି ବ୍ଲକରେ ବିହନ ଏବଂ ସାର କଳାବେପାର ହେଉଥିବା ଜଣାପଡ଼ିଛି। ବାରମ୍ବାର ଚଢ଼ଉ ପରେ ବି ଏହି କାରବାରରେ ଲଗାମ ଲାଗିନାହିଁ। ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ସାର, ବିହନ ‌ଆସୁଥିଲେ ହେଁ ତାହା ଚାଷୀଙ୍କ ପାଖରେ ଠିକଣା ସମୟରେ ପହଂଚୁ ନଥିବା ବାରମ୍ବାର ଅଭିଯୋଗ ହେଉଛି। ଏନେଇ ପୂର୍ବରୁ ଚାଷୀମାନେ ଆନ୍ଦୋଳନକୁ ବି ଓହ୍ଲାଇ ସାରିଛନ୍ତି। କିନ୍ତୁ ସ୍ଥିତିରେ କିଛି ପରିବର୍ତନ ଆସିନାହିଁ। ବରଂ ଡିଲର୍ସ ଏବଂ ଅଫିସର୍‌ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି କାରବାର ବଢ଼ି ଚାଲିଛି। ରୋଗପୋକ ଯୋଗୁଁ ସର୍ବସ୍ୱାନ୍ତ ହୋଇ ଚାଷୀ ଜୀବନ ହାରୁଥିବା ବେଳେ କଳାବଜାର ରୋକିବା ପାଇଁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଶୁକ୍ରବାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ ମହାରଣାଙ୍କ ନେତୃତ୍ବ‌ରେ ଅତାବିରାର ବିଭିନ୍ନ ସାର ଦୋକାନ ଉପରେ ଚଢ଼ଉ ହୋଇଛି। ଚଢ଼ଉ ବେଳେ କାଗଜପତ୍ର, ପିଓଏସ୍‌ ମେସିନ୍‌ ଓ ଗୋଦାମ ଘର ଯାଂଚ କରାଯାଇଥିଲା। ଏଥିରେ ମାତ୍ରାଧିକ ଅନିୟମିତତା ଥିବା ଜଣାପଡ଼ିଥିଲା।

ରେକର୍ଡରେ ଥିବା ସାର ପରିମାଣ ଏବଂ ଗୋଦାମରେ ଥିବା ସାର ପରିମାଣ ମଧ୍ୟରେ ତାଳମେଳ ନଥିଲା। ଗୋଡ଼ଭଗାର ଭାମ୍‌ସୀ ଟ୍ରେଡର୍‌ ଗୋଦାମ ଓ ଶ୍ରୀକୃଷ୍ଣ ଜେନେରାଲ୍‌ ଷ୍ଟୋର୍‌ରେ ଅଧିକ ପରିମାଣର ସାର ଗଚ୍ଛିତ ଥିଲା। ସେହିପରି ଭାମ୍‌ସୀ ଟ୍ରେଡର୍‌ ବିକିଥିବା କିଛି ପରିମାଣର ସାରର ବିଷଦ୍‌ ବିବରଣୀ ମିଳିନଥିଲା। ଉକ୍ତ ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ତିନି ଦିନ ଭିତରେ ସନ୍ତୋଷଜନକ କୈଫିୟତ ନମିଳିଲେ ଲାଇସେନ୍ସ ରଦ୍ଧ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସେହିପରି ଅତାବିରାର ଶ୍ୟାମ୍‌ ସିଡ୍‌ସ ଦୋକାନୀଙ୍କୁ ମଧ୍ୟ ଅନିୟମିତତା ଅଭିଯୋଗରେ ନୋଟିସ୍‌ ଜାରି ହୋଇଛି। ଚଢ଼ଉ ବେଳେ ଅତାବିରା ବ୍ଲକ୍‌ କୃଷି ଅଧିକାରୀ ବିଜୟ ପଟ୍ଟନାୟକ, ସହକାରୀ କୃଷି ଅଧିକାରୀ ମାମିନୀ ପତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର