ଚାଷୀଙ୍କ ୪୨୪ କୋଟି ଦେଉନି ବୀମା କମ୍ପାନି

କେନ୍ଦ୍ର, ରାଜ୍ୟ‌; କାହାରିକୁ ଖାତିର୍‌ ନାହିଁ, ସଂସଦରେ ଉଠିବା ପରେ ବି ଫଳ ଶୂନ

ଭୁବନେଶ୍ବର : କେନ୍ଦ୍ର କିମ୍ବା ରାଜ୍ୟ ସରକାର; କାହାକୁ ମାନୁନାହାନ୍ତି ବୀମା କମ୍ପାନି। ଏପରିକି ଉଭୟ ଲୋକସଭା, ରାଜ୍ୟସଭାରେ ବିଜେପି ଏବଂ ବିଜେଡି ସାଂସଦ ଚାଷୀଙ୍କ ବୀମା ଟଙ୍କା ବକେୟା ପ୍ରସଙ୍ଗ ଉଠାଇବା ପରେ ମଧ୍ୟ କିଛି ଲାଭ ହେଲାନି। ବର୍ତ୍ତମାନ ବି ଚାଷୀଙ୍କ ୪୨୪କୋଟି ଟଙ୍କା ବୀମା କମ୍ପାନିଙ୍କ ପାଖରେ ବାକି ରହିଛି। ରାଜ୍ୟ ସରକାରଙ୍କ ବୈଷୟିକ ଉପଦେଷ୍ଟା କମିଟି ବୈଠକ ପରେ ଯଥାଶୀଘ୍ର ବକେୟା ଟଙ୍କା ପ୍ରଦାନ ପାଇଁ ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ତିନି ବୀମା କମ୍ପାନି (ଏଆଇସି ଅଫ୍‌ ଇଣ୍ଡିଆର ଆଞ୍ଚଳିକ ପ୍ରବନ୍ଧକ, ଏଚ୍‌ଡିଏଫ୍‌ସି ଏର୍‌ଗୋ ଜିଆଇସି ଲିମିଟେଡ୍‌ର ପ୍ରବନ୍ଧକ, ରିଲାଏନ୍ସ ଜିଆଇସିର ପ୍ରବନ୍ଧକ)ଙ୍କୁ ୧୬ ତାରିଖରେ ଆଦେଶ ଦେଇଥିଲେ। ଏହା ସତ୍ତ୍ବେ କମ୍ପାନି କୌଣସି ପଦକ୍ଷେପ ନ ନେବାରୁ ଆଜି ଦିଲ୍ଲୀରେ ବୀମା କମ୍ପାନିଙ୍କ ସହ କେନ୍ଦ୍ରୀୟ ବୈଷୟିକ ଉପଦେଷ୍ଟା କମିଟି ବୈଠକ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୨୧ ମସିହାରେ ୮୪ଲକ୍ଷ ପ୍ଲଟ୍‌ ଜମିର ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦରେ ତିନି ବୀମା କମ୍ପାନି ପ୍ରିମିୟମ୍‌ ବାବଦରେ ପାଇଛନ୍ତି ୧୩୭୮ କୋଟି ଟଙ୍କା। ସେଥିରୁ ୧୪୧ କୋଟି ଟଙ୍କା ଚାଷୀ ଏବଂ ବାକି ଅର୍ଥ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଦେଇଛନ୍ତି। ବୀମାଭୁକ୍ତ ଏହି ଚାଷ ଜମି ମଧ୍ୟରୁ ୨୦ଲକ୍ଷ ୫୬ ହଜାର ୮୮୨ ପ୍ଲଟର ଚାଷୀଙ୍କୁ ୧୩୬୩.୨୬ କୋଟିର ବୀମା ରାଶି ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଅର୍ଥାତ୍‌ ମାତ୍ର ୨୩ ପ୍ରତିଶତ ବୀମାଭୁକ୍ତ ଜମି ହିଁ ପ୍ରଧାନମନ୍ତ୍ରୀ ଫସଲ ବୀମାର ଲାଭ
ନେଇପାରିବେ। ବୀମା ବାବଦ ସବୁ ଟଙ୍କା କମ୍ପାନି ଦିଏ ନାହିଁ; କେନ୍ଦ୍ର, ରାଜ୍ୟ ସରକାର ମଧ୍ୟ କ୍ଷତିପୂରଣ ଟଙ୍କା ଦେଇଥାଆନ୍ତି।

Royal Sundaram

ଅନ୍ୟପକ୍ଷରେ ଗତବର୍ଷ ମାଲକାନଗିରି, ବୌଦ୍ଧ ଏବଂ ରାୟଗଡ଼ ଭଳି ପଛୁଆ ଜିଲ୍ଲାର ଜଣେ ମଧ୍ୟ ଚାଷୀଙ୍କୁ ବୀମା ପାଇଁ ଯୋଗ୍ୟ ବିବେଚନା କରାଯାଇନାହିଁ। ଫେବ୍ରୁଆରିରୁ ଟଙ୍କା ପ୍ରଦାନ ଆରମ୍ଭ ହୋଇ ମାର୍ଚ୍ଚ ସୁଦ୍ଧା ସରିଯିବାର ଥିଲା। କିନ୍ତୁ ଆରମ୍ଭରୁ ହିଁ କମ୍ପାନିଙ୍କ ବିଭ୍ରାଟ ଯୋଗୁଁ ଜୁଲାଇରୁ ଟଙ୍କା ପ୍ରଦାନ ଆରମ୍ଭ ହେଲା। ବର୍ତ୍ତମାନ ସୁଦ୍ଧା ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଟଙ୍କା ମିଳି ନାହିଁ। ଏହାକୁ ନେଇ ୧୬ ତାରିଖରେ ହୋଇଥିବା ରାଜ୍ୟ ସରକାରଙ୍କ ବୈଷୟିକ ଉପଦେଷ୍ଟା କମିଟି ବୈଠକରେ ବଲାଙ୍ଗୀର, ପୁରୀ, ଗଞ୍ଜାମ, ବାଲେଶ୍ବର, ସମ୍ବଲପୁର, ବରଗଡ଼, ଦେବଗଡ଼, କେନ୍ଦ୍ରାପଡ଼ାର ୧୬୪ଟି ଗ୍ରାମପଞ୍ଚାୟତ ଚାଷୀଙ୍କ ଟଙ୍କା କମ୍ପାନି ଦେବାପାଇଁ ସ୍ପଷ୍ଟ ଭାବରେ ମନା କରି ଦେଇଛି। ଏବଂ ୭ଜିଲ୍ଲାର ୬୧ ପଞ୍ଚାୟତର ଟଙ୍କା ସମବାୟ ବିଭାଗର ସହଯୋଗରେ ଦେବା ପାଇଁ କମ୍ପାନି ରାଜି ହୋଇଛି।

ସେପଟେ କ୍ଷତିପୂରଣ ବୀମା ଟଙ୍କା ପାଇବାରେ ବିଳମ୍ବ ନେଇ ବରଗଡ଼ ଏବଂ ବଲାଙ୍ଗୀରରେ ଲମ୍ବା ସମୟ ଧରି ଚାଷୀଙ୍କ ଆନ୍ଦୋଳନ ଏବଂ ରେଳରୋକୋ ହୋଇଛି। ଅନ୍ୟ ଜିଲ୍ଲାର ଚାଷୀମାନେ ମଧ୍ୟ ବାରମ୍ବାର ସରକାରଙ୍କ ନିକଟରେ ଯଥାଶୀଘ୍ର ବୀମା ଟଙ୍କା ପ୍ରଦାନ ପାଇଁ ଦାବି କରି ଆସୁଛନ୍ତି। ଏହା ସତ୍ତ୍ବେ, ଏହି ସମସ୍ୟାର ସମାଧାନ ହେଉ ନାହିଁ।

ଉଲ୍ଲେଖଥାଉକି, ପ୍ରାକୃତିକ ବିପର୍ଯ୍ୟୟ ପ୍ରତିବର୍ଷ ଓଡ଼ିଶା ଚାଷୀ କ୍ଷତିଗ୍ରସ୍ତ ହୋଇଥାଆନ୍ତି। ଏଥିପାଇଁ ଅଧିକରୁ ଅଧିକ ଚାଷୀଙ୍କୁ ଫସଲ ବୀମା କରିବାକୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛି। ପୂର୍ବରୁ ବ୍ଲକ ୟୁନିଟ୍‌ ହିସାବରେ କ୍ଷତିପୂରଣ ଟଙ୍କା ଦିଆଯାଉଥିବାରୁ ଚାଷୀଙ୍କୁ ହକ୍‌ ମିଳୁ ନଥିଲା। ବର୍ତ୍ତମାନ ପଞ୍ଚାୟତ ୟୁନିଟ୍‌ ହୋଇଛି। ନରେନ୍ଦ୍ର ମୋଦୀ ସରକାର କମ୍ପାନିମାନଙ୍କୁ ସାମିଲ କରି ଫସଲ ବୀମାକୁ ନୂଆ ରୂପ ଦେଇ ତା’ର ନାଁ ହେଲା ପ୍ରଧାନମନ୍ତ୍ରୀ ଫସଲ ବୀମା। କେବଳ ଚଳିତ ବର୍ଷ ନୁହେଁ, ପ୍ରତିବର୍ଷ ବୀମା ଟଙ୍କା ଦେବାରେ କମ୍ପାନି ସମସ୍ୟା ସୃଷ୍ଟି କରୁଛନ୍ତି। ୨୦୨୧ ମସିହାର ଏହି ପ୍ରଧାନମନ୍ତ୍ରୀ ଫସଲ ବୀମାର ବକେୟା ଟଙ୍କା ଯଥାଶୀଘ୍ର ପ୍ରଦାନ ପାଇଁ ସାଂସଦ ଅମର ପଟ୍ଟନାୟକ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି କରିଛନ୍ତି।

ସମ୍ବନ୍ଧିତ ଖବର