ରସୁଲପୁର ବ୍ଲକ୍ରେ ତୈଳବୀଜ ଫସଲକୁ ପ୍ରୋତ୍ସାହନ ନାହିଁ, ଚିନାବାଦାମ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ କମୁଛି
ବ୍ରହ୍ମବରଦା : ଗୋଟିଏପଟେ ଖାଇବାତେଲ ଦର ଆକାଶଛୁଆଁ। ଅନ୍ୟପଟେ ତୈଳବୀଜ ଫସଲକୁ ପ୍ରୋତ୍ସାହନ ନାହିଁ। ଯେଉଁଠାରେ ଚାଷ ହେଉଛି, ତାହା ନିଜ ଉଦ୍ୟମରେ। ଏଣେ ଅମଳ ସମୟରେ ଫସଲର ଉପଯୁକ୍ତ ମୂଲ୍ୟ ମିଳୁନାହିଁ। ଏଭଳି ବିଭିନ୍ନ କାରଣରୁ ରସୁଲପୁର ବ୍ଲକ୍ରେ ଚିନାବାଦାମ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ କମିବାରେ ଲାଗିଛି। ଦିନ ଥିଲା ଏ ଅଞ୍ଚଳରେ ବ୍ୟାପକ ଭାବେ ଚିନାବାଦାମ ଚାଷ ହେଉଥିଲା। ସରକାରୀ ପ୍ରୋତ୍ସାହନର ଅଭାବ ତଥା କୃଷି ବିଭାଗର ଅପାରଗତାରୁ ଏହା ଏବେ ବୁଡ଼ିବାକୁ ବସିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
‘ନେଡ଼ିଗୁଡ଼ କହୁଣିକୁ ବୋହିଗଲାଣି’ ତଥାପି ଏଯାଏ ସରକାର କି କୃଷି ବିଭାଗର ଦୃଷ୍ଟି ପଡ଼ୁନାହିଁ। ଏମିତିକି ଗତ ବର୍ଷ ମଧ୍ୟ ଚାଷୀମାନେ ଅଭାବୀ ବିକ୍ରିର ସାମ୍ନା କରିଥିଲେ। ତେଣୁ ଏଥର ପୁଣି ଶହଶହ ଚାଷୀ ଏହି ଚାଷ ପ୍ରତି ବିମୁଖ ହୋଇଛନ୍ତି। ତଥାପି କରୋନା କାରଣରୁ ଅନେକ ବିଦେଶ ଫେରନ୍ତା ଯୁବବର୍ଗ କୃଷିକୁ ଆପଣାଇଥିଲେ। ମାତ୍ର କ୍ଷତି ପରେ ପୁନର୍ବାର ଦାଦନ ଖଟି ଯିବାକୁ ବାହାରିଲେଣି। ରସୁଲପୁର ବ୍ଲକର ବ୍ରହ୍ମବରଦା, ବନ୍ଧଡିହ, ମହେଶ୍ବରପୁର, ଅର୍ଥଙ୍ଗା, ମଙ୍ଗରାଜପୁର; ଯାଜପୁର ବ୍ଲକର ଝାଲପଡା, ରୁଦ୍ରପୁର ପଞ୍ଚାୟତରେ ୯ ଶହ ହେକ୍ଟରରୁ ଅଧିକ ଜମିରେ ଚିନାବାଦାମ ଚାଷ କରାଯାଇଛି। ଏହି ଜମିରେ ଚାଷୀମାନେ ଶାରଦ ଓ ବିଅଳି ଜାତୀୟ ଧାନ ଚାଷ କରିଥାଆନ୍ତି। ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଓ ଶଙ୍ଖ ନାଳ କୂଳ ଦୋରସା ମାଟିରେ ଧାନ ପରେ ଚିନାବାଦାମ ଚାଷ କରାଯାଇଥାଏ। ଏହା ଏକ ଅର୍ଥକାରୀ ଫସଲ ହୋଇଥିଲେ ମଧ୍ୟ ଚାଷୀଙ୍କ ଆର୍ଥିକ ସ୍ଥିତି ସେହି ଅନୁପାତରେ ସୁଦୃଢ଼ ହୋଇପାରୁ ନାହିଁ।
ଚିନାବାଦାମ ଉତ୍ପାଦନ କ୍ରମାଗତ କମିବା ତଥା ଅଭାବୀ ବିକ୍ରି କାରଣରୁ ଚାଷୀମାନେ କ୍ଷତି ସହୁଛନ୍ତି। ଗୋଟିଏ ଏକର ଜମି ପାଇଁ ୭୫/୮୦ କିଲୋ ଚିନାବାଦାମ ବିହନ ଆବଶ୍ୟକ ହୋଇଥାଏ। ଏକର ପ୍ରତି ୧୨ରୁ ୧୪ କୁଇଣ୍ଟାଲ ଚିନାବାଦାମ ଅମଳ ହେଉଥିବା ବେଳେ ଗତ କିଛି ବର୍ଷ ହେଲା ଉତ୍ପାଦନ କମିବାରେ ଲାଗିଛି। ଏ ସଂପର୍କରେ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ କୌଣସି ପରାମର୍ଶ ଦିଆଯାଉନାହିଁ। ସେହିପରି ଠିକ ସମୟରେ ରିହାତି ଦରରେ ସରକାରୀ ବିହନ ମିଳୁ ନାହିଁ। ପୂର୍ବବର୍ଷ ଚାଷୀମାନେ ଖୋଲା ବଜାରରୁ ଚିନାବାଦାମ କିଲୋ ପ୍ରତି ୭୦ ରୁ ୮୦ ଟଙ୍କା ଦରରେ ବିହନ କିଣିଥିଲେ। ଅମଳ ପରେ ଖୋଲା ବଜାରରେ ୪୮ରୁ ୫୪ ଟଙ୍କା କିଲୋ ଦରରେ ବିକ୍ରି କରିଥିଲେ। ସେହିପରି ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଇ ନଥିଲା। ନିଜ ଉଦ୍ୟମରେ ଖୋଲା ବଜାରରୁ କିଲୋ ପ୍ରତି ୭୫ ରୁ ୮୨ଟଙ୍କାରେ ବିହନ କିଣିଥିଲେ।
ଅମଳ ପରେ ୫୮ରୁ ୬୦ ଟଙ୍କା ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ଏକର ପିଛା ୨୦ ହଜାର ଟଙ୍କାରୁ ୨୨ ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ କମ୍ ମୂଲ୍ୟରେ ବିକ୍ରି ହେଉଥିବାରୁ ଲାଭ ଉଠୁନାହିଁ। ଏଭଳି ଅନିଶ୍ଚିତତା ତଥା ଲାଭ ମିଳୁ ନଥିବାରୁ ସେମାନେ ଚାଷ ଛାଡ଼ିବାକୁ ବାଧ୍ୟ ହେଉଥିବା ଚାଷୀ ରମେଶ ଚନ୍ଦ୍ର ସାହୁ, ହରିହର କବି, ବୈକୁଣ୍ଠନାଥ ଜେନା, ନଟବର ସାହୁ, ବିରେନ ସାହୁ, ନିରଂଜନ ଗନ୍ତାୟତ, କୈଳାସ ଗନ୍ତାୟତ, ପ୍ରିୟନାଥ ରାଉତ, ଗୋକୁଳାନନ୍ଦ ରାଉତ କହିଛନ୍ତି।