ଭୁବନେଶ୍ୱର: ଆଜି ବିଧାନସଭାରେ ଶୂନ୍ୟକାଳରେ ଉଠିଛି ଚାଷୀ ପ୍ରସଙ୍ଗ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ସମସ୍ତ ଦଳ ଚାଷୀଙ୍କୁ ସମର୍ଥନ କରୁଛନ୍ତି ତେବେ ଚାଷୀଙ୍କ ଅସୁବିଧା କେଉଁଠି ରହିଲା। ସମସ୍ତେ ଯଦି ରାଜି ଗୋଟେ ଦିନରେ ଆଇନ ପ୍ରଣୟନ କରାଯାଉ, ଯିଏ ଦୋଷୀ ତାକୁ ଦଣ୍ଡ ଦିଆଯାଉ। ଚାଷୀ ସମସ୍ୟା ସମାଧାନ ହୋଇଯିବ।
ସେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରି କହିଛନ୍ତି, ଉଭୟ ଦଳ ଚାଷୀଙ୍କ ସହ ଖେଳ ଖେଳୁଛନ୍ତି, ଗୃହର ନେତା ଗୃହ ଆସନ୍ତି ନାହିଁ। ବିଧାନସଭାର ଚାରି ଦଳକୁ ନେଇ ଆଲୋଚନା ହେଉ। ଆଇନ ଆସୁ, ନଚେତ୍ ଖାଲି ପଦ୍ମପୁର ଲାଗି ରାଜନୀତି କଲେ ଚାଷୀ ଲାଭବାନ ହେବନି। ଗୃହ ବନ୍ଦ ରଖିବା ଉଚିତ୍ ନୁହେଁ। ବିଜେପି ଚାଷୀ ଅଧିକାର ପାଇଁ ଦାବି କରୁଛି। କିନ୍ତୁ ଗତକାଲି ସେ ମୁଲତବୀ ପ୍ରସ୍ତାବ ଆଣିଲେ ନାହିଁ। ସେପଟେ ଶାସକ ଦଳ ଗତକାଲି ବିରୋଧୀ ଦଳ ଭୂମିକା ସମ୍ପାଦନ କଲେ। ଏମଏସପି ବୃଦ୍ଧି ପାଇଁ କେନ୍ଦ୍ରକୁ କୁହାଯାଇଥିଲା, କେନ୍ଦ୍ର ସହ ତ ଆପଣଙ୍କର ଭଲ ସମ୍ପର୍କ , ଗୋଟେ ଫୋନ୍ କଲରେ ରାଜ୍ୟସଭା ଟିକେଟ ଦେଇ ଦଉଛ। ଏମଏସପି ନେଇ ଆପଣ ଫୋନ୍ କଲେ ନି କାହିଁକି। କେନ୍ଦ୍ର ନ ଦେଲେ ରାଜ୍ୟ ସରକାର ଏମଏସପି ୨୯୩୦ କାହିଁକି ଲାଗୁ କଲେନି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର।
/sambad/media/post_attachments/wp-content/uploads/2020/02/saluja.jpg)
ଠିକ୍ ସେହିପରି ଚାଷୀ ପ୍ରସଙ୍ଗରେ ଦିଆଯାଇଥିବା ମୁଲତବୀ ନୋଟିସ ଆଲୋଚନା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ପଦ୍ମପୁର ଉପନିର୍ବାଚନ ପାଇଁ ଇନପୁଟ ସବସିଡି ଘୋଷଣା କଲେ ରାଜ୍ୟ ସରକାର। ଏତେ ବିଳମ୍ବରେ କାହିଁକି ସରକାରଙ୍କୁ ଇନପୁଟ ସବସିଡି କଥା ମନେ ପଡ଼ିଲା। ଫସଲ ବୀମା ଯୋଜନାରେ କେନ୍ଦ୍ରକୁ ସମାଲୋଚନା କରି ସାଲୁଜା କହିଛନ୍ତି ଜୁଲାଇ ୩୧ ସୁଦ୍ଧା ଚାଷୀମାନେ ଟଙ୍କା ପାଇବା କଥା। ମାତ୍ର ଏ ପର୍ଯ୍ୟନ୍ତ କାହିଁକି ଚାଷୀ ପାଇଲେ ନାହିଁ। ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟର ସେୟାର ସମାନ ରହିଛି। ତେଣୁ କାହିଁକି ଯୋଜନାର ନାମ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରହିବ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହଜାର ହଜାର କୋଟି ଟଙ୍କାର ସ୍କାମ ହୋଇଛି। ପଦ୍ମପୁର ଭୋଟ ବେଳେ ପ୍ରଧାନମନ୍ତ୍ରୀ ଫସଲ ଟଙ୍କା ଦିଆଗଲା। ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ହେଉଛି। କଟନିଛଟନିର ଶିକାର ହେଉଛନ୍ତି ଚାଷୀ। ଛତିଶଗଡ଼ରେ ଧାନ ମୂଲ୍ୟ ୨୫୦୦ ଟଙ୍କା ହୋଇଥିବାରୁ ଓଡ଼ିଶାର ଧାନ ଛତିଶଗଡ଼କୁ ଚାଲି ଯାଉଛି। ଘୋଷଣା ସତ୍ତ୍ବେ ଏଠି ଚାଷୀ ବୋନସ୍ ବି ଦିଆ ଯାଉନି।