ଚାଷୀଙ୍କ ପାଇଁ ପଦକ୍ଷେପ ନେଇଛୁ: ସରକାର

ଭୁବନେଶ୍ୱର : କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଚାଷୀଙ୍କ ପାଇଁ ସରକାର ନେଇଥିବା ପଦକ୍ଷେପର ଲମ୍ବା ତାଲିକା ରଖିଥିଲେ। ରାଜ୍ୟରେ ୪୩ଟି ଶୀତଳଭଣ୍ଡାର ନିର୍ମାଣଠାରୁ ଆରମ୍ଭ କରି ମାଛ ରପ୍ତାନି ଯାଏ ତଥ୍ୟ ଦେଇଥିଲେ ଗୃହରେ। ଅଣ୍ଡା ସଂପର୍କରେ ମଧ୍ୟ ପରିସଂଖ୍ୟାନ ରଖି ଜଣାଇଥିଲେ ଯେ ଆଉ ଦିନକୁ ୧୫ଲକ୍ଷ ଅଣ୍ଡା ଉତ୍ପାଦନ ହେଲେ ବାହାରୁ ଆମଦାନୀ କରିବାକୁ ପଡିବନି।

ମନ୍ତ୍ରୀ କହିଥିଲେ, ଚାଷୀଙ୍କ ପାଇଁ ୨୦୧୩-୧୪ରୁ ସ୍ୱତନ୍ତ୍ର କୃଷି ବଜେଟ୍‌ ଉପସ୍ଥାପନ କରାଯାଉଛି। ୨୦୧୩-୧୪ ତୁଳନାରେ ଦୁଇଗୁଣ ଅର୍ଥ ଗତବର୍ଷ (୧୪ ହଜାର ୯୩୦ କୋଟି) ବରାଦ ହୋଇଛି। ସ୍ୱତନ୍ତ୍ର କୃଷି କ୍ୟାବିନେଟ୍‌ ଗଠନ କରାଯାଇଛି। ବିଭାଗର ନାମ ବଦଳାଇ ସରକାର କୃଷି ଓ କୃଷକ ସଶକ୍ତୀକରଣ ନାଁ ଦେଇଛନ୍ତି। ୨୦୧୩ରେ କୃଷି ନୀତି ସଂଶୋଧନ ହୋଇଛି। ଜଳସେଚନ ଉତ୍ସ ବୃଦ୍ଧି କରାଯାଉଛି। ମୃତ୍ତିକା ପରିଚାଳନା ଠାରୁ ଆରମ୍ଭ କରି କୃଷି ଯାନ୍ତ୍ରିକୀକରଣ, ଫସଲ ବୀମା ଯୋଜନା, ଚାଷୀଙ୍କୁ ୧ ପ୍ରତିଶତ ସୁଧରେ ଋଣ, ଅନ୍‌ଲାଇନ୍‌ରେ ଚାଷୀଙ୍କୁ ଏମ୍‌ଏସ୍‌ପି ପ୍ରଦାନ ଭଳି ଅନେକ ପଦକ୍ଷେପ ନିଆଯାଇଛି। ଏସବୁ କାରଣରୁ ୨୦୦୦-୦୧ରେ ଖାଦ୍ୟ ଶସ୍ୟ ଉତ୍ପାଦନ ୫୫ଲକ୍ଷ ଟନ୍‌ ଥିବା ବେଳେ ୨୦୧୪-୧୫ରେ ଏହା ୧୧୮ଲକ୍ଷ ଟନ୍‌ରେ ପହଞ୍ଚିଛି ଓ ଓଡ଼ିଶା ୪ଥର କୃଷି କର୍ମଣ ପୁରସ୍କାର ପାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ କହିଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ପକ୍ଷରୁ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ଉପମୁଖ୍ୟ ସଚେତକ ରୋହିତ ପୂଜାରୀ,ବିଧାୟକ ମହେଶ ସାହୁ, ବିଧାୟକ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଭାଗନେଇ ରାଜ୍ୟ ସରକାରଙ୍କ ଚାଷୀଙ୍କ ପାଇଁ କଲ୍ୟାଣକାରୀ ଯୋଜନା ସଂପର୍କରେ ସୂଚନା ଦେଇଥିଲେ। ଚାଷୀଙ୍କ ପାଇଁ କେବଳ ନବୀନ ପଟ୍ଟନାୟକ କରିଛନ୍ତି ଓ ଚାଷୀଙ୍କ ପାଖରେ ପହଞ୍ଚିଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରି ବିଜେଡି ବିଧାୟକମାନେ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ସଂପର୍କରେ କହିଥିଲେ। କିଏ ପ୍ରକୃତ ଚାଷୀ ତାହାକୁ ଚିହ୍ନଟ କରି ସହାୟତା ଦେବାକୁ କହିଥିଲେ। ୨୦୦୬ ମସିହାର ସ୍ୱାମୀନାଥନ୍‌ କମିଟି ରିପୋର୍ଟ କାହିଁକି ଉଭୟ ଉପା ଓ ଏନ୍‌ଡିଏ ସରକାର କାର୍ଯ୍ୟକାରୀ କରିପାରୁନାହାନ୍ତି ବୋଲି ଅଭିଯୋଗ ଆଣି କେନ୍ଦ୍ର ସରକାର ବୋନସ୍‌ ଦେବା କ୍ଷେତ୍ରରେ କରିଥିବା କଟକଣା ସଂପର୍କରେ ଦୋହରାଇଥିଲେ।

ସମ୍ବନ୍ଧିତ ଖବର