ଭୁବନେଶ୍ବର: ସହଯୋଗ କରୁନାହାନ୍ତି ବ୍ୟାଙ୍କ। ଭୂମିହୀନ ଏବଂ ୨ ହେକ୍ଟରରୁ କମ ଜମି ଥିବା ଭାଗଚାଷୀଙ୍କୁ ଉପଯୁକ୍ତ ସହାୟତା କରିପାରୁନି ରାଜ୍ୟ ସରକାରଙ୍କ ବଳରାମ ଯୋଜନା। ଏ ସଂକ୍ରାନ୍ତରେ କୃଷି ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ରାଜ୍ୟସ୍ତରୀୟ ବ୍ୟାଙ୍କ କମିଟିକୁ ଚିଠି ଦିଆଯାଉଛି। ସମବାୟ ବ୍ୟାଙ୍କ ବ୍ୟତୀତ ରାଜ୍ୟରେ ଥିବା କୌଣସି ରାଷ୍ଟ୍ରାୟତ୍ତ କିମ୍ବା ଘରୋଇ ବ୍ୟାଙ୍କଗୁଡ଼ିକର ଏଥିପ୍ରତି ଖାତିର ନାହିଁ। ଏହା ସତ୍ତ୍ବେ ବଳରାମ ଯୋଜନା ଯୋଗୁଁ ରାଜ୍ୟର ୩୯୪୬ ଭୂମିହୀନ ଏବଂ ଭାଗଚାଷୀ ଗ୍ରୁପ ଲାଭ ପାଇବା ମଧ୍ୟ ସଫଳତା ବୋଲି ରାଜ୍ୟ କୃଷି ବିଭାଗ କହିଛି।
ତ୍ରୁଟିପୂର୍ଣ୍ଣ ସରକାରୀ ନୀତି କାରଣରୁ ରାଜ୍ୟ ସରକାରଙ୍କ କୃଷି ଋଣ ବ୍ୟବସ୍ଥାରୁ ଭାଗଚାଷୀ ବଞ୍ଚିତ ହୋଇ ଆସୁଛନ୍ତି। ମହାଜନ କିମ୍ବା ଘରୋଇ ଅର୍ଥଲଗାଣକାରୀ ସଂସ୍ଥାରୁ ଋଣ କରି ସେମାନେ ତଳିତଳାନ୍ତ ହୋଇଯାଉଥିବା ଅଭିଯୋଗ ନୂଆ ନୁହେଁ। ଏଥିପାଇଁ ବିଭିନ୍ନ ସମୟରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଥାଏ। ଏହାକୁ ଦୃଷ୍ଟିରେ ରଖି ୨୦୧୯ ମସିହାରେ ରାଜ୍ୟ ସରକାର ବଳରାମ ଯୋଜନାର ଆରମ୍ଭ କରିଥିଲେ। ୨୦୧୯ ମସିହାରେ ୬୫ ହଜାର, ୨୦୨୦ ମସିହାରେ ୩୫ ହଜାର ଗ୍ରୁପର ସମୁଦାୟ ୧ ଲକ୍ଷ ଚାଷୀ ଗ୍ରୁପଙ୍କୁ ଏହି ଯୋଜନାରେ ୧.୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ରାଜ୍ୟରେ ଥିବା ସମୁଦାୟ ୩୯ଟି ବ୍ୟାଙ୍କକୁ ଋଣ ପ୍ରଦାନ ପାଇଁ ଟାର୍ଗେଟ ଦିଆଯାଇଥିଲା। ହେଲେ ପ୍ରଶାସନ ପକ୍ଷରୁ ୧୯ ହଜାର ୪୭୦ ଟି ଚାଷୀ ଗ୍ରୁପଙ୍କ ଖାତା ନମ୍ବର, ପ୍ଲଟ ନମ୍ବର ସମେତ ଅନ୍ୟାନ୍ୟ ଦସ୍ତାବିଜ ବ୍ୟାଙ୍କଗୁଡ଼ିକୁ ପଠାଯାଇଥିଲା। ଏହାର ଯାଞ୍ଚ ପରେ ବ୍ୟାଙ୍କ ପକ୍ଷରୁ ୬୪୫୧ଟି ଚାଷୀ ଗ୍ରୁପକୁ ଋଣ ଦେବା ପାଇଁ ସହମତି ଦେଇଥିଲେ। ମିଳିଥିବା ସୂଚନା ଅନୁସାରେ କେବଳ ୩୯୪୬ଟି ଚାଷୀ ଗ୍ରୁପଙ୍କୁ ଋଣ ପ୍ରଦାନ କରାଯାଇଛି। କେବଳ ସମବାୟ ବ୍ୟାଙ୍କ ସର୍ବାଧିକ ୩୪୯୮ଟି ଗ୍ରୁପକୁ ଋଣ ଦେଇଛନ୍ତି। ସମୁଦାୟ ୩୯ଟି ବ୍ୟାଙ୍କ ମଧ୍ୟରୁ କେବଳ ୯ଟି ବ୍ୟାଙ୍କହିଁ ଋଣ ପ୍ରଦାନ କରିଛନ୍ତି। ତାହା ମଧ୍ୟ ନାମମାତ୍ର ହୋଇ ରହିଛି।
ଏହି ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ଆକ୍ସିସ ବ୍ୟାଙ୍କକୁ ୧୮୮୦ ଗ୍ରୁପକୁ ଋଣ ପ୍ରଦାନର ଟାର୍ଗେଟ ରହିଥିଲେ ମଧ୍ୟ ସେ କେବଳ ୧୦୨ ଗ୍ରୁପକୁ, ଷ୍ଟେଟ ବ୍ୟାଙ୍କ ଟାର୍ଗେଟର ୧୯ ହଜାର ୮୮୦ ମଧ୍ୟରୁ ୨୨, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ୭୮୨୦ ମଧ୍ୟରୁ ୧୫୭, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୮୨୩୨ରୁ ୧୧, ୟୁକୋ ବ୍ୟାଙ୍କ ୫୮୫୨ରୁ ୩୫, କାନାଡା ବ୍ୟାଙ୍କ ୬୦୪୮ ମଧ୍ୟରୁ ୩୪, ବ୍ୟାଙ୍କ ଅଫ ଇଣ୍ଡିଆ ୫୪୬୦ ମଧ୍ୟରୁ ୪୦, ବ୍ୟାଙ୍କ ଅଫ ବରୋଦା ୩୫୨୮ରୁ ୨ଟି ଗ୍ରୁପକୁ ଋଣ ଦେଇଛି। ଅନ୍ୟ ବ୍ୟାଙ୍କଗୁଡ଼ିକ ଗୋଟିଏ ଗ୍ରୁପକୁ ମଧ୍ୟ ଋଣ ଦେଇ ନାହାନ୍ତି। ବଳରାମ ଯୋଜନା ଅନ୍ତର୍ଗତରେ ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୧୪ ହଜାର ୩୮୨ଟି ଗ୍ରୁପ ଗଠନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ସର୍ବାଧିକ ନେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/farmer2.jpg)