ଚାଷୀ ତାଲିକା ରଖିଛ, ପିଏମ୍ କିଷାନ ପାଇଁ କାହିଁ ଦେଉନ : ରାଜ୍ୟ ସରକାରଙ୍କୁ ଘେରି ୫ ପ୍ରଶ୍ନ ପଚାରିଲା ବିଜେପି

ପଞ୍ଚାୟତଵାରି କାନ୍ଥରେ ଚାଷୀ ତାଲିକା ମାରିବାକୁ ଦାବି
କେଉଁଠି ଚାଷୀ ବଢ଼ିଲେ ତାର ତାଲିକା ମାଗିଲା ଦଳ

ଭୁବନେଶ୍ବର : କାଳିଆ ଟଙ୍କା ବାଣ୍ଟନ୍ତୁ। କିନ୍ତୁ ତା’ ପୂର୍ବରୁ ରାଜ୍ୟବାସୀଙ୍କ ସାମ୍ନାରେ ୫ଟି ପ୍ରଶ୍ନର ଉତ୍ତର ରଖନ୍ତୁ। ଏମିତି କହି ଆଜି ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି।

ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ। ସେବେ ମୁଖ୍ୟମନ୍ତ୍ରୀ କହିଥିଲେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ବନ୍ଦ ହେବ ନାହିଁ। କିନ୍ତୁ ନିର୍ବାଚନ ଜିତିବା ପରେ ପାଖପାଖି ଦୁଇ ବର୍ଷ ହେବ କାଳିଆ ଯୋଜନାରେ ଟଙ୍କାଟିଏ ମଧ୍ୟ କାହାପାଖରେ ପହଁଚିଲା ନାହିଁ। ଏହା ଚାଷୀଙ୍କ ପ୍ରତି ଛଳନା, ଅପମାନ ଓ ପ୍ରତାରଣା ସଦୃଶ। ଏବେ ଚାଷୀ ସମସ୍ୟା ରାଜ୍ୟରେ ଉଗ୍ରରୂପ ନେଲାଣି। ମଣ୍ଡିରୁ ଧାନ ଉଠୁନି, ଚାଷୀ ହନ୍ତସନ୍ତ ହେଉଛନ୍ତି, ରାଜ୍ୟରେ ପ୍ରତିଦିନ ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ମନ୍ତ୍ରୀମାନଙ୍କୁ ଘେରୁଛନ୍ତି। ଠିକ୍ ସେତିକିବେଳେ ସରକାର ପୁଣି କାଳିଆ ଟଙ୍କା ବାଣ୍ଟିବେ ବୋଲି ଖବରକାଗଜରେ ବିଜ୍ଞାପନ ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ କିଷାନ ଟଙ୍କା ଓଡିଶାର ଚାଷୀଙ୍କ ପାଖରେ ପହଁଚିବାରେ ରାଜ୍ୟ ସରକାର କଣ୍ଟା ନ ହୁଅନ୍ତୁ। ଯଦି ସରକାରଙ୍କ ପାଖରେ ୫୩ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ତାଲିକା ଅଛି ତେବେ ପିଏମ କିଷାନ ପାଇଁ କାହିଁକି କେନ୍ଦ୍ରକୁ ସଠିକ୍ ତାଲିକା ପଠାଉନାହାଁନ୍ତି? ଓଡିଶାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟଙ୍କା ପାଇବାରୁ ରାଜ୍ୟ ସରକାର କାହିଁକି ବଞ୍ଚିତ କରୁଛନ୍ତି? ମୋଦୀଙ୍କ ପଇସା ଓଡିଆ ଚାଷୀଙ୍କ ପାଖରେ ପହଞ୍ଚିବାରେ ରାଜ୍ୟ ସରକାରଙ୍କର କ’ଣ ଅସୁବିଧା ହେଉଛି? ମୋଦୀ ତ ଟଙ୍କା ପଠାଇବେ, ମାତ୍ର ମାଲକାନଗିରି, ମୟୂରଭଂଜ, ସମ୍ବଲପୁର, କେନ୍ଦ୍ରାପଡା, ଗଞ୍ଜାମ ସମେତ ଓଡିଶାର ସବୁ ଚାଷୀଙ୍କୁ କାହିଁକି ଏହି ଟଙ୍କାରୁ ବଞ୍ଚିତ କରାଯାଉଛି? ରାଜ୍ୟ ସରକାର ଚାଷୀଙ୍କ ତାଲିକା ସବୁ ପଞ୍ଚାୟତ ଅଫିସ କାନ୍ଥରେ ଲଗାନ୍ତୁ ବୋଲି ବିଜେପି ଦାବି କରିଛି।

ବିଜେପି ଏହି ଅବସରରେ ଅଯୋଗ୍ୟ ହିତାଧିକାରୀ ତାଲିକା କଥା ଉଠାଇ କିଭଳି ପୁଲିସ ଲଗାଇ ଟଙ୍କା ଫେରାଇବାକୁ ବଳପୂର୍ବକ ଧମକ ଦିଆଯାଉଥିଲା, ତାହା ସ୍ମରଣ କରାଇଛି। ପୁଲିସକୁ ଡରି ନିଜ ବାସନକୁସନ ବିକି ଚାଷୀ କାଳିଆ ଟଙ୍କା ଫେରାଇବାକୁ ପ୍ରସ୍ତୁତ ହେଉଥିଲେ। ବିଜେପି ପକ୍ଷରୁ କଡା ବିରୋଧ କରାଯିବା ପରେ ଏହି ମାମଲା ଆଜି ପର୍ଯ୍ୟନ୍ତ ସ୍ଥଗିତ ହୋଇ ରହିଛି। କିନ୍ତୁ ସରକାର ଏପର୍ଯ୍ୟନ୍ତ ଅଯୋଗ୍ୟ ହିତାଧିକାରୀଙ୍କ ଟଙ୍କା ଫେରସ୍ତ କରିବାରେ କିଛି ସ୍ପଷ୍ଟ କରିନାହାଁନ୍ତି କାହିଁକି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ବିଜେପି କହିଛି, ପୂର୍ବରୁ କାଳିଆ ଯୋଜନାରେ ୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା କୁହାଯାଇଥିଲା। ଏହି ଅଯୋଗ୍ୟ ହିତାଧିକାରୀଙ୍କୁ ୧୭୦ କୋଟି ଟଙ୍କା ଦିଆଯାଇଥିଲା। ହେଲେ ଭୁଲ ହିତାଧିକାରୀ ଚୟନରେ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ? ପୂର୍ବରୁ କାଳିଆ ଯୋଜନାରେ ୫୦ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦେବେ ବୋଲି ରାଜ୍ୟ ସରକାର କହିଥିଲେ। ସେଥିମଧ୍ୟରୁ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ବାଦ ପଡିବା ପରେ ପୁଣି କାଳିଆ ଯୋଜନାରେ ୫୩ ଲକ୍ଷ ଚାଷୀଙ୍କ ଚିଠା ଆସିଲା କେଉଁଠୁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧିତ ଖବର