ଚାଷୀଙ୍କ ଋଣ ଟଙ୍କା ହଡ଼ପ ଉଦ୍ୟମ

ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ, ପୁଣି ଅଭିଯୋଗ କଲେ ଚାଷୀ ପରିବାର

ଟିଟିଲାଗଡ଼/ଭାଲୁମୁଣ୍ଡା : ବଙ୍ଗୋମୁଣ୍ଡା ବ୍ଲକ୍‌ ଭାଲୁମୁଣ୍ଡା ନିକଟସ୍ଥ ବେଲପଡ଼ା ପେକ୍ସରେ ସଂପାଦକ ଚାଷୀଙ୍କ ଋଣ ପରିଶୋଧ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏନେଇ ଚାଷୀମାନେ ଜିଲ୍ଲାପାଳ, ଜିଲ୍ଲା ସମବାୟ ସମିତି ସମୂହ ନିବନ୍ଧକ, ଟିଟିଲାଗଡ଼ ଉପଜିଲ୍ଲାପାଳ, ସମବାୟ ସମିତି ସମୂହ ସହନିବନ୍ଧକ, ବଙ୍ଗୋମୁଣ୍ଡା ଥାନା ଅଧିକାରୀଙ୍କଠାରେ ଅଭିଯୋଗ କରିଛନ୍ତି। ତଥାପି କୌଣସି ସୁଫଳ ମିଳୁନଥିବା ସେମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏନେଇ ଶୁକ୍ରବାର ପୁଣିଥରେ ଚାଷୀ ପରିବାର ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ବେଲପଡ଼ା ପେକ୍ସରେ ପଞ୍ଜୀକୃତ ଚାଷୀ ଚକ୍ରଧର ମେହେର, ବିଦ୍ୟାଧର ମେହେର ଏବଂ ଗୋବର୍ଦ୍ଧନ ମେହେର ଗତ ଖରିଫ ଚାଷ ସମୟରେ ସମିତିରୁ ଋଣ କରିଥିଲେ। କିନ୍ତୁ, ସମିତି ସମ୍ପାଦକ ଶ୍ରଦ୍ଧାକର ପୁଟେଲଙ୍କ ନିର୍ଦେଶ ଅନୁସାରେ ସମିତିର ପୂର୍ବ ସଭାପତି ନୀଳାମ୍ବର ମେହେରଙ୍କୁ ଚକ୍ରଧର ୮୮,୫୦୦ ଟଙ୍କା, ବିଦ୍ୟାଧର ୩୨,୫୦୦ ଟଙ୍କା ଏବଂ ଗୋବର୍ଦ୍ଧନ ୧ ଲକ୍ଷ ୧୯ ହଜାର ୬୩୭ ଟଙ୍କା ପରିଶୋଧ କରିଥିଲେ। ତେବେ ପୂର୍ବ ସଭାପତି ନୀଳାମ୍ବରଙ୍କ କୌଣସି କାରଣରୁ ହଠାତ୍ ମୃତ୍ୟୁ ହେବାରୁ ସମ୍ପାଦକ ଶ୍ରଦ୍ଧାକର କାହାରି ଟଙ୍କା ପାଇନାହିଁ ବୋଲି କହୁଛନ୍ତି। ଏନେଇ ଋଣ ପରିଶୋଧ କରିଥିବା ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏମିତିକି ୮ରୁ ଦଶ ବର୍ଷ ହେବ ଋଣଟଙ୍କା ପରିଶୋଧ କଲେ ମଧ୍ୟ କୌଣସି ପ୍ରକାର ରସିଦ ଚାଷୀମାନଙ୍କୁ ଦେଉ ନଥିବା ଅଭିଯୋଗ କରିଛନ୍ତି। ଖରିଫ ଋଣ ପରିଶୋଧ ପରେ ରବିରେ ଋଣ କରିବେ ବୋଲି ଚାଷୀ ଆଶା ବାନ୍ଧିଥିଲେ। ତେବେ ସମିତି ସମ୍ପାଦକଙ୍କ ଟଙ୍କା ହଡ଼ପ ପରେ ଚାଷୀ ନିରାଶ ହୋଇଯାଇଛନ୍ତି। ଏନେଇ ବଲାଙ୍ଗୀର ଜିଲ୍ଲାପାଳ, ଡିଆର୍‌ସିଏସ୍‌, ଟିଟିଲାଗଡ଼ ଉପଜିଲ୍ଲାପାଳ, ଏଆର୍‌ସିଏସ୍‌, ବଙ୍ଗୋମୁଣ୍ଡା ଥାନା ଆଦି ଘୂରି ବୁଲିବା ପରେ ମଧ୍ୟ ଚାଷୀଙ୍କ ଦୁଃଖ କେହି ଶୁଣିବାକୁ ନାହାନ୍ତି। ଆଜି ବୃଦ୍ଧ ଚାଷୀଙ୍କ ପୁଅମାନେ ପୁଣିଥରେ ନ୍ୟାୟ ପାଇବାକୁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ହେଲେ ଉପଜିଲ୍ଲାପାଳ ସୋମେଶ ଉପାଧାୟ ଅନୁପସ୍ଥିତ ଥିବାରୁ ସହାୟକ ଜିଲ୍ଲାପାଳ ଲଳିତ ବାଗଙ୍କୁ ଅଭିଯୋଗ ପତ୍ର ଦେଇ ଫେରିଛନ୍ତି। ଏନେଇ ଟିଟିଲାଗଡ଼ ଏଆର୍‌ସିଏସ୍‌ ପ୍ରଭାକର ନାୟକଙ୍କୁ ପଚାରଯିବାରୁ ତଦନ୍ତ ନିର୍ଦେଶ ଦେଇଛନ୍ତି, ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଥିଲେ। ବଙ୍ଗୋମୁଣ୍ଡା ଥାନା ଆଇଆଇସି ପଞ୍ଚାନନ ନାୟକଙ୍କୁ ପଚରାଯିବାରୁ ସଭାପତିଙ୍କ ମୃତ୍ୟୁ ହୋଇଥିବାରୁ ସମ୍ପାଦକ ୧ଲକ୍ଷ ଟଙ୍କା ଭରି ଦେବେ ବୋଲି କହୁଥିବା ସେ ସୂଚନା ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରିବା ସହ ଚାଷୀ ପରିବାରଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର