ଚାଷୀଙ୍କ ନାଁରେ ଋଣ ଚଳୁ : ଘର ଘର ବୁଲି ଫେରାଉଛନ୍ତି ଟଙ୍କା

ଅମାନିଆଙ୍କୁ ଦୁଇ ଗୁଣା ଲୋଭ

ଅନୁଗୁଳ/ଛେଣ୍ଡିପଦା : ଋଣ ଟଙ୍କା ଖାଇ ବସି ଯାଇଥିଲେ। ଚାଷୀଙ୍କୁ ପାସ୍‌ବୁକ୍‌ କିମ୍ବା ଚେକ୍‌ ବହି ଦେଉନଥିଲେ। କିନ୍ତୁ ଏ ଜାଲିଆତି ଧରାପଡ଼ିଯିବା ପରେ ଏବେ ଡଙ୍ଗାପାଳ ସମବାୟ ସମିତି କର୍ତ୍ତୃପକ୍ଷଙ୍କ ଅକଲଗୁଡୁମ୍‌ ହୋଇଯାଇଛି। ଘଟଣାକୁ ସଂପୂର୍ଣ୍ଣ ଭାବେ ଚାପି ଦେବା ପାଇଁ ଏବେ ଚାଷୀମାନଙ୍କୁ ମନେଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। କାହାକୁ ଋଣର ଦୁଇ ଗୁଣା ଟଙ୍କା ଲୋଭ ଦେଖାଉଛନ୍ତି ତ, କାହାକୁ ଟଙ୍କା ଫେରସ୍ତ କରି କିଛି ନ କହିବା ପାଇଁ ଧମକ ଦେଉଛନ୍ତି। ଗଲା ତିନି ଦିନ ଭିତରେ ପ୍ରାୟ ୩୦ରୁ ଅଧିକ ଚାଷୀଙ୍କୁ ଟଙ୍କା ଫେରାଇ ଦିଆଗଲାଣି। କେବଳ ସେତିକି ନୁହେଁ, ଖାତା ଖୋଲିବା ପରେ କେବେ ଦେଖିନଥିବା ପାସବୁକ୍‌ ଓ ଚେକ୍‌ ବହି ବି ଚାଷୀଙ୍କୁ ହସ୍ତାନ୍ତର କରାଯାଉଛି। ଅତି ଗୋପନରେ ଏ ଟଙ୍କା ଚାଷୀଙ୍କୁ ଡକାଯାଇ ଅଥବା ତାଙ୍କ ଘରେ ଫେରାଇ ଦିଆଯିବା ସହ ଏ ବିଷୟରେ କାହାକୁ ନ କହିବା ପାଇଁ ଧମକ ଦେଉଛନ୍ତି। ଟଙ୍କା ଫେରସ୍ତ ପାଇଥିବା ଚାଷୀ ଏ କଥା ସ୍ୱୀକାର କରୁଥିଲେ ବି ଫେରସ୍ତକାରୀ ପ୍ରଭାବଶାଳୀ ଲୋକ ହୋଇଥିବାରୁ ଭୟରେ ସେମାନଙ୍କ ବିରୋଧରେ ପଦୁଟିଏ କହିବାକୁ ସାହସ କରୁନାହାନ୍ତି। ‘ସମ୍ବାଦ’ ପ୍ରତିନିଧିଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ବେଳେ ଡଙ୍ଗାପାଳର ଜଣେ ଚାଷୀ ୧୦ହଜାର ଟଙ୍କା ଓ ପାସବୁକ୍‌ ଫେରି ପାଇଥିବା କଥା ସ୍ୱୀକାର କରିଥିବା ବେଳେ ନାଁ ଛାପିବାକୁ କିନ୍ତୁ ଭୟରେ ମନା କରିଛନ୍ତି। ନାଁ ବାହାରିଲେ ସେମାନେ ମୋତେ ବିଭିନ୍ନ ପ୍ରକାର ହଇରାଣ କରିବେ ବୋଲି ଚାଷୀ ଜଣକ ଅସହାୟ ହୋଇ କହିଛନ୍ତି।

କେବଳ ଜଣେ ନୁହନ୍ତି, ଏଭଳି ୩୦ରୁ ଅଧିକ ଚାଷୀଙ୍କୁ ଋଣ ଅର୍ଥ ଓ ପାସବୁକ୍‌ ଫେରାଇ ଦିଆଯାଇଥିବା ବେଳେ ଆଉ କେତେ ଜଣ ଟଙ୍କା ନେବାକୁ ରୋକ୍‌ଠୋକ୍‌ ମନା କରିଦେଇଛନ୍ତି। ଡଙ୍ଗାପାଳ ଗାଁର ପୁହୁଳା ଦେହୁରୀ(୪୯)ଙ୍କୁ ଆଜି ୫ହଜାର ଟଙ୍କା ଯଚାଯାଇଥିଲେ ବି ସେ ଏହାକୁ ଗ୍ରହଣ କରିନଥିବା କହିଛନ୍ତି। ଓଲଟା ଋଣ କଥା ଜାଣି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉପରେ ସେ ଭୀଷଣ ବର୍ଷିଛନ୍ତି। ଅନୁରୂପ ଭାବେ ରୋହିତ କୁମାର ପ୍ରଧାନଙ୍କୁ ଋଣ ପରିମାଣର ଦୁଇ ଗୁଣ ଅର୍ଥ ଦିଆଯିବାର ଲୋଭ ଦେଖାଯାଇଥିଲେ ବି ସେ ଗ୍ରହଣ କରିବାକୁ ମନା କରିଛନ୍ତି। ରୋହିତ କହିଛନ୍ତି ଯେ, ଅଜାଣତରେ ମୋ’ ନାଁରେ ଋଣ କରାଯାଇଛି। କେତେ ଟଙ୍କା ହୋଇଛି, ବାରମ୍ବାର ପଚାରିବା ସତ୍ତ୍ୱେ କହିଲେ ନାହିଁ। କିନ୍ତୁ ଏବେ ଘଟଣା ସାମ୍ନାକୁ ଆସିବା ପରେ ଧରା ପଡ଼ିଯିବା ଭୟରେ ମୋତେ ୨୦ହଜାର ଟଙ୍କା ଯଚାଯାଉଛି। ମାତ୍ର ଏହାକୁ କଦାପି ଗ୍ରହଣ କରିବି ନାହିଁ। ଯିଏ ଏଭଳି ଜାଲିଆତି କାର୍ଯ୍ୟ କରିଛି, ତା’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି।

ପଦାକୁ ଆସିଲା ଋଣ ତାଲିକା

ଅନୁଗୁଳ/ଛେଣ୍ଡିପଦା : ଛେଣ୍ଡିପଦା ବ୍ଲକ ଡଙ୍ଗାପାଳ ସମବାୟ ସମିିତିରେ ଋଣ ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କେବେ, କେମିତି ଏବଂ କେତେ ଟଙ୍କା ସେମାନଙ୍କ ଅଜାଣତରେ ଋଣ ହେଲା, ତାହା ଚାଷୀ ଜାଣିବାକୁ ଚାହିଁଲେ ବି କର୍ତ୍ତୃପକ୍ଷ କହୁନାହାନ୍ତି। ପାସବୁକ୍‌ କିମ୍ବା ଚେକ୍‌ ବହି ବି ଦେଉନାହାନ୍ତି। ସମବାୟ ସମିତି କର୍ତ୍ତୃପକ୍ଷଙ୍କ ଏଭଳି କାରନାମାକୁ ନେଇ ଶୁକ୍ରବାର ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଏହାର ଭିଜିଲାନ୍‌ସ ତଦନ୍ତ ଦାବି କରିଥିବା ବେଳେ ଅନ୍ୟପଟେ ଚଳିତ ଖରିଫ୍‌ ଫସଲ ପାଇଁ ଡଙ୍ଗାପାଳ ସମବାୟ ସମିିତିରେ କେତେ ଜଣ ଚାଷୀଙ୍କ ନାଁରେ କେତେ ଟଙ୍କା ଋଣ ହୋଇଛି, ତାହାର ତଥ୍ୟ ‘ସମ୍ବାଦ’ ହାତରେ ଲାଗିଛି।

କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ମୁତାବକ, ଡଙ୍ଗାପାଳ ସମବାୟ ସମିତିରେ ଡଙ୍ଗାପାଳ, ଭେଜିଡିହ, ଜରିପାଳ ଓ ଭାଲିଆସର ଗାଁର ମୋଟ୍‌ ୬୬୫ଜଣ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ଚଳିତ ଖରିଫ୍‌ ଫସଲ ପାଇଁ ମୋଟ୍‌ ୩୦୯ଚାଷୀଙ୍କ ନାଁରେ ଋଣ ମଂଜୁର ହୋଇଛି। କିନ୍ତୁ ଏହାମଧ୍ୟରୁ ୫୦ରୁ ଅଧିକ ଚାଷୀଙ୍କ ନାଁରେ ସେମାନଙ୍କ ଅଜାଣତରେ ଋଣ ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ ଅନେକ ଚାଷୀ ଗତ ବୁଧବାର ସମିତିର ସଂପାଦକ ପାର୍ଥସାରଥୀ ପ୍ରଧାନଙ୍କୁ ଘେରିଥିଲେ। ଆମ ଅଜାଣତରେ କିଭଳି ଋଣ ହେଲା, ତାହାର ସ୍ପଷ୍ଟିକରଣ ମାଗିବା ସହ ପାସବୁକ୍‌, ଚେକ୍‌ ବହି ଦେବାକୁ ଦାବି କରିଥିଲେ। ହେଲେ କୌଣସି ସୁଫଳ ନମିଳିବାରୁ ଶୁକ୍ରବାର ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଋଣ ହଡ଼ପର ଭିଜିଲାନ୍‌ସ ତଦନ୍ତ ଦାବି କରିଥିଲେ। ଏଭଳିସ୍ଥିତିରେ ଏବେ ସଂପୃକ୍ତ ଅଭିଯୋଗକାରୀ ଚାଷୀଙ୍କ ନାଁରେ କେତେ ଟଙ୍କା ଋଣ ହୋଇଛି, ତାହାର ତଥ୍ୟ ହସ୍ତଗତ ହୋଇଛି। ଏ ପ୍ରକାର ପରିସ୍ଥିତିରେ ଯଦି ଅଭିଯୋଗ ସତ ହୁଏ, ତେବେ କିଏ, କିଭଳି ଚାଷୀଙ୍କ ଅଜାଣତରେ ଋଣ କଲା ଏବଂ କାହା ଦସ୍ତଖତରେ ଟଙ୍କା ଉଠିଲା, ତାହା ଏବେ ତଦନ୍ତର ବିଷୟ ହୋଇଛି।

ସମ୍ବନ୍ଧିତ ଖବର