ନୂଆପଡ଼ା ମଣ୍ଡିରେ ପଡ଼ିଛି ଧାନ, ଯୋଗାଣ ଅଫିସ୍‌ କର୍ମଚାରୀଙ୍କୁ ତାଲା ପକାଇଲେ ଚାଷୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ରବି ଧାନକିଣା ଆରମ୍ଭରୁ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଜିଲ୍ଲାରେ ୧୪ ହଜାର ବସ୍ତା ଧାନ ଏବେ ବି ମଣ୍ଡିରେ ପଡ଼ିରହିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଜି ଧରମବନ୍ଧା ଓ ସାରାବଙ୍ଗର ଶତାଧିକ ଚାଷୀ ନୂଆପଡ଼ା ପହଞ୍ଚି ଯୋଗାଣ ଅଫିସ୍‌ ଘେରାଉ କରିଥିଲେ। ଯୋଗାଣ ଅଧିକାରୀ ଅନ୍ୟତ୍ର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ଚାଷୀମାନେ ଯୋଗାଣ ଅଧିକାରୀ ନଆସିବା ପର୍ଯ୍ୟନ୍ତ ଯୋଗାଣ ଅଫିସ୍‌ ଭିତରେ ଧାରଣା ଦେଇଥିଲେ।

ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ଚାଷୀଙ୍କ ପାଖକୁ କୌଣସି ଅଧିକ‌ାରୀ ଆସିନଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଚାଷୀମାନେ ଉତ୍ତ୍ୟକ୍ତ ହୋଇ ଅଫିସ୍‌ କର୍ମଚାରୀଙ୍କୁ ଭିତରେ ରଖି ତାଲା ଦେଇ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ଘଟଣା ସମ୍ପର୍କରେ ଖବରପାଇ ରାତି ୭ଟାରେ ନୂଆପଡ଼ା ଯୋଗାଣ ଅଧିକାରୀ ପି. ପ୍ରଭାକର ପାତ୍ରୋ, ନୂଆପଡ଼ା ତହସିଲଦାର ଅଫିସ୍‌କୁ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ଆଉ କିଛି ଦିନ ପରେ ନୂଆପଡ଼ା ଜିଲ୍ଲାରେ ରବି ଧାନ କିଣା ବନ୍ଦ ହୋଇଯିବାକୁ ଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୧୦୧ ଜଣ ଚାଷୀଙ୍କ ୧୪ ହଜାର ୪୬୫ ବସ୍ତା ଧାନ ମଣ୍ଡିରେ ପଡ଼ିରହିଥିବା କହିଥିଲେ। ବର୍ଷାରେ ଧାନ ଭିଜି ଗଜା ହେବା ସହ ନଷ୍ଟ ହେଉଥିବା ବେଳେ ବାରମ୍ବାର ଯୋଗାଣ ଅଧିକାରୀଙ୍କୁ ଜଣାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ କରିଥିଲେ।

ଏହା ପରେ ଯୋଗାଣ ଅଧିକାରୀ ମଣ୍ଡିରେ ଥିବା ଚାଷୀଙ୍କ ଧାନ ବହୁ ଶୀଘ୍ର ଉଠାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଧାରଣା ପ୍ରତ୍ୟାହାର କରିଥିଲେ। ଏଥିସହ ଅଫିସ୍‌ର ତାଲା ଖୋଲିବା ପରେ କର୍ମଚାରୀମାନେ ଦୀର୍ଘ ୨ ଘଣ୍ଟା ପରେ ବାହାରକୁ ଆସିଥିଲେ। ଏହି ବିକ୍ଷୋଭ ସମାବେଶରେ ଚାଷୀ ତଥା ନୂଆପଡ଼ା ବ୍ଲକ୍‌ ଉପାଧ୍ୟକ୍ଷ ଦିଲୀପ ନିର୍ମଲକାର, ଚାଷୀ ନେତା ପ୍ରସନ୍ନ ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭସ୍ୟ ଭରତଲାଲ ରାଉତ, ରବି ମଙ୍ଗରାଜ, ଚିତରଞ୍ଜନ ନିର୍ମଲକର, ରେବାଲାଲ ସାହୁ, ବୁଧୁନନାଥ ପଟେଲ, ମହିଳା ଚାଷୀ ନନ୍ଦନୀ ଉଜୀର, ପ୍ରମିଳା ମିନିବାଇ ପଟେଲ, ଭାନୁମତୀ ମାଝୀ, ମୀନାବାଇ ଉଜୀର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ପ୍ରାୟ ୧୦ ଘଣ୍ଟା ପର୍ଯ୍ୟନ୍ତ ଚାଷୀଙ୍କ ଧାରଣା ଚାଲିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର