ରୁପ୍ରା/ଭବାନୀପାଟଣା: ଜଙ୍ଗଲୀ ହାତୀପଲ ଚାଷଜମି ମୁହାଁ ହୋଇଛନ୍ତି। ଜଙ୍ଗଲରେ ଖାଦ୍ୟର ଅଭାବ ଯୋଗୁଁ ପଦାକୁ ବାହାରି ଆସୁଛନ୍ତି। ବର୍ଷ ତମାମ ଝାଲ ବୁହାଇ ଉପୁଜାଇଥିବା ଫସଲକୁ ହାତୀପଲ ଅଳ୍ପ ସମୟ ମଧ୍ୟରେ ଖାଇ ଯାଉଛନ୍ତି। ହାତୀ ପଲ କ୍ଷେତ ଭିତରେ ଥରଟିଏ ଚାଲିଗଲେ ଫସଲ ନଷ୍ଟ ହୋଇଯାଉଛି। କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳରେ କିଛିଦିନ ହେଲା ହାତୀ ଉପଦ୍ରବ ଦେଖିବାକୁ ମିଳୁଛି। କମେଗାଁ ପାହାଡ଼ରେ ରହୁଥିବା ହାତୀପଲ ନିକଟସ୍ଥ ଗ୍ରାମ କମେଗାଁ, ବାଲିପଡା, ଭାନପୁର, ତୁଲାପଡା, କୁର୍ମେଲ୍, ଗୁଡାଙ୍ଗଗୋଛା, ତିତକେଲା, ପଲସାପଡା, ବୁର୍ଡିପଡା ଆଦି ଅଞ୍ଚଳର ଚାଷଜମିକୁ ଆସି ଫସଲ ନଷ୍ଟ କରୁଛନ୍ତି। ରବିବାର ରାତିରେ ପ୍ରାୟ ୨୯ ଟି ହାତୀ (୨୫ଟି ବଡହାତୀ ଓ ୪ଟି ହାତୀଛୁଆ) ଭୀମକେଲା ଗ୍ରାମ ପଞ୍ଚାୟତ ଅଧିନ ବୁର୍ଡିପଡା ଓ ପଲସାପଡା ଦେଇ ରୁପ୍ରା ପଞ୍ଚାୟତ ଅଧିନ ତିତକେଲା ଅଞ୍ଚଳକୁ ଆସିଛନ୍ତି। ହାତୀପଲ ୪ ଦିନ ହେଲା ଫସଲ ନଷ୍ଟ କରୁଛନ୍ତି, ଯେଉଁଥି ପାଇଁ ଚାଷୀର ଆଖିରୁ ଲୁହ ଗଡୁଛି।

Advertisment

ସୋମବାର ରାତିରେ ଉକ୍ତ ହାତୀପଲ ତିତକେଲା ବୈଦ୍ୟନାଥ ସାଗର ହୁଡାଦେଇ ରୁପ୍ରା ଗ୍ରାମର ହୀରାଧର ସାହୁଙ୍କ ଚାଷଜମିକୁ ଆସିଥିଲେ। ଖଳାରେ ଶୋଇଥିବା ହୀରାଧରଙ୍କ ବାପା ରାଜୀନ୍ଦ୍ର ହାତୀପଲକୁ ଦେଖି ଭୟଭୀତ ହୋଇଥିଲେ। ସେ ଟିଣ ବଜାଇବାରୁ ହାତୀପଲ ଭବାନୀ ଶଙ୍କର ସେନାପତି ଓ ଧନଞ୍ଜୟ ସେନାପତିଙ୍କ କାଜୁ ବଗିଚା ଦେଇ ରୁପ୍ରା ସରସ୍ୱତୀ ଶିଶୁ ମନ୍ଦିର ଆଡ଼କୁ ଅଗ୍ରସର ହୋଇଥିଲେ। ଖମ୍ୱପଡା, ଧଅଁରାମାଲ, କଲାରପଦର ଦେଇ ସୀମାନ୍ତ କେସିଙ୍ଗା ବ୍ଲକ୍ ଅଧିନ ବାଲସି ଓ ରେଙ୍ଗାଲି ଦେଇ ନିକଟରେ ଥିବା କନ୍ଦା ଡଙ୍ଗରରେ ରାତିରେ ରହିଥିଲେ। ପରେ ମଙ୍ଗଳବାର ସକାଳେ ଉକ୍ତ ପାହାଡରୁ ଓହ୍ଲାଇ ପାଖରେ ଥିବା କପା ଓ ହରଡ ଚାଷକୁ ବ୍ୟାପକ ଭାବେ ନଷ୍ଟ କରିଥିଲେ।

ଅପରପକ୍ଷେ ପୂର୍ବରୁ ଉକ୍ତ ଅଞ୍ଚଳକୁ ଜଙ୍ଗଲୀ ହାତୀଙ୍କ ଆଗମନ ହୋଇନଥିବାରୁ ରୁପ୍ରା, ଶ୍ରୀପୁର, ଖମ୍ୱପଡା, କର୍ମେ, ଧଅଁରାମାଲ, ଗୋଡିପଟା, ସୁରପଦର, କଲାରପଦର, ରେଙ୍ଗାଲି ଓ ବାଲସି ଗ୍ରାମର ଶତାଧିକ ଲୋକଙ୍କ ସମେତ ଛୋଟଶିଶୁ ମାନେ ଉକ୍ତ ପାହାଡ଼ ଉପରକୁ ଚଢି ହାତୀ ଦେଖିବାର ମଜା ଉଠାଇବା ସହ ନିଜର ମୋବାଇଲରେ ଫଟୋ ଉଠାଉଛନ୍ତି । ତେବେ ହାତୀଙ୍କ ଆଗମନରେ ଚାଷୀ ଆତଙ୍କିତ ହେଉଥିବା ବେଳେ ନିଜ ଆଖି ସାମନାରେ ଚାଷକ୍ଷତି କରୁଥିବା ଦେଖି ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଖବର ପାଇ ରୁପ୍ରାରୋଡ୍ ସେକ୍ସନ୍ ଅଧିନ ବନରକ୍ଷୀ ତପନ ବେହେରା, ନିଗମ ସାହୁ, ଫକୀର ବିଶ୍ୱାଳ ଆସି ହାତୀର ଗତିବିଧି ଉପରେ ନଜର ରଖିଥିବା ବେଳେ କେସିଙ୍ଗା ରେଞ୍ଜର ଦୀନବନ୍ଧୁ ମେହେର, ଡେପୁଟୀ ରେଞ୍ଜର ଯୁଧିଷ୍ଠିର ଜାଲ, କେସିଙ୍ଗା ଫରେଷ୍ଟର ଶ୍ରୀମୁଖ ମେହେର ପ୍ରମୁଖ ହାତୀ ଥିବା ଅଞ୍ଚଳରେ ପହଞ୍ଚି ହାତୀର ଗତିବିଧିକୁ ନୀରିକ୍ଷଣ କରିବାପରେ ସନ୍ଧ୍ୟାରେ ଭବାନୀପାଟଣାରୁ ମୋବାଇଲ୍ ଟିମ୍ ଓ କେସିଙ୍ଗା ସେକ୍ସନ୍ କର୍ମଚାରୀ ମିଳିତ ଭାବରେ ହାତୀ ଘଉଡେଇବା ଆରମ୍ଭ କରିଛନ୍ତି। ବାଜା ବଜେଇ ଓ ବାଣ ଫୁଟାଇ ହାତୀ ମାନଙ୍କୁ ଘଉଡା ଯାଉଛି ବୋଲି ଡେପୁଟି ରେଞ୍ଜର ଯୁଧିଷ୍ଠିର ଜାଲ 'ସମ୍ୱାଦ'କୁ ସୂଚନା ଦେଇଛନ୍ତି । ତେବେ ହାତୀପଲକୁ ନେଇ ରୁପ୍ରା ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ଲୋକଙ୍କ ମନରେ ଭୟ ମଧ୍ୟ ଦେଖାଦେଇଛି। ସକାଳ ବୁଲା ପାଇଁ ଯାଉଥିବା ଲୋକଙ୍କ ପାଇଁ ସମସ୍ୟା ଉପୁଜିଛି । ଏଣୁ ଜନସାଧାରଣ ସତର୍କ ରହିବାକୁ ଡେପୁଟି ରେଞ୍ଜର୍ ଶ୍ରୀ ଜାଲ୍ କହିଛନ୍ତି। ଯେଉଁ ଚାଷୀ ମାନଙ୍କ ଫସଲ ନଷ୍ଟ ହୋଇଛି ସରକାରୀ ସହାୟତା ପାଇବା ନିମନ୍ତେ ଆବେଦନ କରିବାକୁ ଜଙ୍ଗଲ ବିଭାଗ ତରଫରୁ ଚାଷୀମାନଙ୍କୁ କୁହାଯାଇଛି।