ରାଉରକେଲା, (ମଳୟ ରଞ୍ଜନ ସାହୁ ): ଚାଷ ଓ ଚାଷୀର ବିକାଶକୁ ଗୁରୁତ୍ବ ଦିଆଯାଉଥିବା ସରକାର ଡିଣ୍ଡିମ ପିଟୁଛନ୍ତି। ବାବୁମାନେ ଏସି ରୁମ୍ରେ ବସି ଅନେକ ଯୋଜନା କରୁଛନ୍ତି। ହେଲେ ଚାଷୀଙ୍କ ଅର୍ଥନୈତିକ ବିକାଶକୁ ସରକାର କେତେ ଗୁରୁତ୍ବ ଦେଉଛନ୍ତି, ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବ୍ଲକରେ କୃଷକ ବଜାରର ଅଧପନ୍ତରିଆ ପ୍ରକଳ୍ପ ଏହାର ବାସ୍ତବ ଚିତ୍ର ବୟାନ କରୁଛି। ସେମିତି ଚାଷୀଙ୍କ ବିକାଶ ପାଇଁ ଗଠିତ ପାନପୋଷ ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି) କେବଳ ନାଁକୁ ମାତ୍ର ଚାଲିଛି। କିପରି ପ୍ରକଳ୍ପଗୁଡ଼ିକ ଯଥାଶୀଘ୍ର କାର୍ଯ୍ୟକ୍ଷମ ହେବ ବିଭାଗୀୟ ଅଧିକାରୀଙ୍କ ଖାତିର ନାହିଁ। ଫଳରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟିତ ମେଗା କୃଷକ ବଜାର ପ୍ରକଳ୍ପସବୁ ଯୋଜନାରେ ଅଟକି ରହିଛି। କେଉଁଠି କେବଳ ପାଚେରୀ ଛିଡା ହୋଇଛି ତ ପୁଣି କେଉଁଠି ଅଧପନ୍ତରିଆ। ଗୋଦାମ ଘର ଥିଲେ ମଧ୍ୟ ଚାଷୀଙ୍କ କାମରେ ଆସୁନି। ଶୀତଳଭଣ୍ଡାର ପାଇଁ ଆସିଥିବା ଆସିଥିବା ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରପାତି ଖତ ଖାଉଛି। ଅନେକ ପ୍ରକଳ୍ପର ସେହି ସମାନ ସ୍ଥିତି।
କୃଷି ବହୁଳ ଅଞ୍ଚଳ ନୂଆଗାଁ ବ୍ଲକର ଉଦାହରଣ ଦେଖାଯାଉ। ଏ ବ୍ଲକର ପ୍ରାୟ ୮୦% ଲୋକ ଚାଷ ଉପରେ ନିର୍ଭରଶୀଳ। ବର୍ଷସାରା ଏଠାରୁ ହଜାର ହଜାର କ୍ବିଣ୍ଟାଲ ପନିପରିବା ଉତ୍ପାଦନ ହୋଇ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଯାଏ। ଗୋଦାମଗୃହ, ଶୀତଳ ଭଣ୍ଡାର ନଥିବାରୁ ଶହ ଶହ କ୍ବିଣ୍ଟାଲ ପନିପରିବା ପଚିସଢ଼ି ଯାଏ। ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୁଅନ୍ତି। ଏହାକୁ ଦୃଷ୍ଟିରେ ରଖି ଗତ ୨୦୨୦ ଫେବ୍ରୁୟାରି ୪ରେ ରାଜ୍ୟପାଳ ପ୍ରଫେସର ଗଣେଶଜୀ ଲାଲ୍ଙ୍କ ହାତରେ ନୂଆଗାଁ ବ୍ଲକର ୪.୫୯ ଏକର ଜାଗାରେ ନେସ୍ନାଲ ଏଗ୍ରିକଲ୍ଚରାଲ ମାର୍କେଟିଂ (ଇନାମ) ଅର୍ଥାତ୍ ହୋଲ୍ ସେଲ୍ କୃଷକ ବଜାରର ଶିଳାନ୍ୟାସ କରା ଯାଇଥିଲା। ଚାଷୀଙ୍କୁ ସ୍ବପ୍ନ ଦେଖାଯାଇଥିଲା ଏଠାରେ ୫ ହଜାର ମେଟ୍ରିକ୍ ଟନ୍ ଗୋଦାମଘର ସହ ୧ ହଜାର ଟନ୍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ନିର୍ମାଣ ହେବ। ପାଖାପାଖି ୪ କୋଟି ଟଙ୍କା ଖର୍ଚ୍ଚ ହେବ। ଶିଳାନ୍ୟାସକୁ ୧୧ ମାସ ବିତିଯାଇଛି। ହୋଲ୍ସେଲ୍ କୃଷକ ବଜାର ସ୍ବପ୍ନ କେବଳ ପାଚେରୀରେ ସୀମିତ ରହିଛି। କେବେ ହେବ କାହାରି ପାଖରେ ଉତ୍ତର ନାହିଁ। ଦ୍ବିତୀୟ ମେଗା କୃଷକ ବଜାର ପ୍ରକଳ୍ପ ହେଉଛି ପାନପୋଷ ବାଲୁଘାଟ। ପ୍ରାୟ ୧୩ ଏକର ପରିମିତ ଜାଗାରେ ହେବାକୁ ଥିବା ହୋଲ୍ସେଲ୍ କୃଷକ ବଜାରର ସ୍ଥିତି ଆହୁରି ଖରାପ। ରାଉରକେଲା ସ୍ମାର୍ଟ ସିଟି ହେବାପରେ ଏ କୃଷକ ବଜାରର ଗୁରୁତ୍ବ ରହିଛି। କିନ୍ତୁ ୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶିଳାନ୍ୟାସ ହୋଇଥିବା ଏହି ହୋଲ୍ସେଲ୍ କୃଷକ ବଜାର ଅଧା ତିଆରି ପାଚେରୀରେ ଅଟକିଛି। ପ୍ରଥମ ପର୍ଯ୍ୟାୟରେ ଆସିଥିବା ପ୍ରାୟ ୯୮କୋଟି ଟଙ୍କା ବି ପଡି ରହିଛି।
ଅନୁରୂପ ଭାବେ କୁଆରମୁଣ୍ଡା ବ୍ଲକରରେ ୫ ଏକର, ବେଦବ୍ୟାସରେ ୧.୯୨ ଏକର, ବିଶ୍ରା ବ୍ଲକ ଭାଲୁଲତାରେ ୨.୨୬ ଏକର, ଲାଠିକଟା ବ୍ଲକ ଅନ୍ତର୍ଗତ ସୁଇଡିହିରେ ୨.୮୧ ଏକର, ରାଉରକେଲା ସିଭିଲଟାଉନସିପ୍ ସଞ୍ଜୟ ମାର୍କେଟ ନିକଟରେ ୦.୮୨ ଏକର ଜମି ଆର୍ଏମ୍ସିକୁ ଦିଆଯାଇଥିଲା। ବେଦବ୍ୟାସର ୧.୯୨ ଏକର ଜାଗାରେ ୩୦ଟି ଗୋଦାମ ଗୃହ ରହିଛି। କିନ୍ତୁ ଚାଷୀଙ୍କର କୌଣସି କାମରେ ଆସୁନି। ଏଥିରୁ ୧୬ଟି ଗୋଦାମ ଗୃହକୁ ଯୋଗାଣ ବିଭାଗକୁ ଭଡାରେ ଦେଇ ଦିଆଯାଇଛି। ଅନ୍ୟ କିଛି ଗୋଦାମରେ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ରହିବା ପରିବର୍ତ୍ତେ ରହିଛି ଲୁହା ରଡ୍, ସିମେଣ୍ଟ ଆଦି। ତାହା ପୁଣି ଭିତିରି ସଲାସୁତୁରାରେ କିଛି କରିତ୍କର୍ମା ବ୍ୟବସାୟୀଙ୍କୁ ସ୍ବଳ୍ପ ଭଡ଼ାରେ ଟେକି ଦିଆଯାଇଛି। ଲାଠିକଟା ସୁଇଡିହିରେ ଥିବା ୧୦୦ ମେଟ୍ରିକ୍ କ୍ଷମତା ବିଶିଷ୍ଟ ଗୋଦାମ ବ୍ୟବହାର ଉପଯୋଗୀ ନ ହୋଇ ସେମିତି ପଡିଛି। ସିଭିଲଟାଉନସିପ୍ କୃଷକ ବଜାର ଶୀତଳଭଣ୍ଡାର ପାଇଁ ଆସିଥିବା ଶୀତଳୀକରଣ ମେସିନ୍ ପଡି ଖତ ଖାଉଛି। ସବୁଠୁ ଆଶ୍ଚର୍ଯ୍ୟର କଥା, ଆର୍ଏମ୍ସିକୁ ଯୋଗାଇ ଦିଆ ଯାଇଥିବା ଏସବୁ ଜାଗାରୁ ୪୦%ରୁ ଅଧିକ ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଇଛି। ଏସବୁ ମୂଲ୍ୟବାନ ଜମିକୁ ନିଜ ଅଧିନକୁ ଆଣିବାକୁ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।