ମଣ୍ଡିରେ ଧାନ ବିକ୍ରି ପରେ ଆଖି ସ୍କାନ ହେଉନି, ଚିନ୍ତାରେ ଚାଷୀ

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ, ସମସ୍ୟା ସମାଧାନ ନ ହେଲେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିବାକୁ ଚେତାବନୀ

କେନ୍ଦୁଝର : ଚାଷୀଙ୍କ ପିଛା ଛାଡୁ ନାହିଁ ସରକାରୀ ସମସ୍ୟା। ଚାଷ ଆରମ୍ଭ ବିହନ, ସାର, କୀଟନାଶନ ଠିକ ସମୟରେ ପାଉ ନଥିବା ବେଳେ ବହୁ କଷ୍ଟରେ ଚାଷ କରି ଅମଳ କଲେ। ଏବେ ଧାନ ମଣ୍ଡିରେ ଦେବା ପରେ ଟଙ୍କା ପାଇବେ କି ନାହିଁ ତାଙ୍କ ମଧ୍ୟ ସନ୍ଦେହ ଘେରରେ। ଚାଷୀଙ୍କ ଆଖି ସ୍କାନ ହୋଇପାରୁ ନଥିବାରୁ ବହୁ ଚାଷୀ ଚିନ୍ତାରେ ପଡିଛନ୍ତି । ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ତାଙ୍କର ସମସ୍ୟା ସଂପର୍କରେ କହିଛନ୍ତି ।

ଭଣ୍ଡା ଲ୍ୟାମ୍ପସ ଅଧୀନରେ ଥିବା ଫୁଲକଁଳେଇ ମଣ୍ଡିରେ ସୁରେଶ ଚନ୍ଦ୍ର ମହାନ୍ତ ୪୩.୧୬ କୁଇଣ୍ଟାଲ, ଶକୁନ୍ତଳା ମହାନ୍ତ ୨୩.୪୦ କୁଇଣ୍ଟାଲ, କୁହ୍ଲିଆ ମହାନ୍ତ ୨୦.୫୪ କୁଇଣ୍ଟାଲ, ଚତୁର୍ଭୁଜ ମହାନ୍ତ ୫୯.୯୩ କୁଇଣ୍ଟାଲ, ଲୋକନାଥ ମହାନ୍ତ ୩୦.୧୬ କୁଇଣ୍ଟାଲ, ହୃଷୀକେଷ ମହାନ୍ତ ୪୫ କୁଇଣ୍ଟାଲ, ଗଣେଶ୍ବର ମହାନ୍ତ ୨୨.୯୦ କୁଇଣ୍ଟାଲ, ସବିତା ମହାନ୍ତ ୩୦.୨୯ କୁଇଣ୍ଟାଲ, କନକଲତା ମହାନ୍ତ ୧୫.୦୫ କୁଇଣ୍ଟାଲ, ସୁନାରାଣୀ ମହାନ୍ତ ୧୦ କୁଇଣ୍ଟାଲ, କୃଷ୍ଣଚନ୍ଦ୍ର ମହାନ୍ତ ୨୫.୬୧ କୁଇଣ୍ଟାଲ, ଗିରିଧାରି ମହାନ୍ତ ୧୪.୪୦ କୁଇଣ୍ଟାଲ, କୀର୍ତ୍ତନ ମହାନ୍ତ ୧୫.୦୬ କୁଇଣ୍ଟାଲ, ରାମଚନ୍ଦ୍ର ମହାନ୍ତ ୧୧.୯୫ କୁଇଣ୍ଟାଲ ଏବଂ ଅନ୍ୟ ଚାଷୀମାନେ ମଧ୍ୟ ଚାଷୀ ଗତ ୨୨ରୁ ୨୫ ତାରିଖ ମଧ୍ୟରେ ଧାନ ବିକ୍ରି କରିଛନ୍ତି। ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବା ପାଇଁ ଆଖି ସ୍କାନର ଆବଶ୍ୟକତା ପଡ଼ିଥାଏ। ହେଲେ ସେମାନଙ୍କର ଆଖି ସ୍କାନ ହେଉ ନାହିଁ । ଆଉ ଆଜିଥିଲା ସେମାନଙ୍କ ଆଖି ସ୍କାନ କରିବାର ଶେଷ ତାରିଖ । ଆଜି ରାତି ୧୨ଟା ସୁଦ୍ଧା ଆଖି ସ୍କାନ ନହେଲେ ସେମାନେ କିପରି ତାଙ୍କ ଧାନର ଟଙ୍କା ପାଇବେ ସେହି ଚିନ୍ତାରେ ପଡ଼ିଛନ୍ତି । ‌

କେବଳ ଯେ ଫୁଲକଁଳେଇ ଅଞ୍ଚଳର ଚାଷୀ ଏହି ସମସ୍ୟାରେ ସମ୍ମୁଖୀନ ହେଇଛନ୍ତି ତାହା ନୁହେଁ ଜ୍ୟୋତିପୁର ମଣ୍ଡିରେ ମଧ୍ୟ ପାଖାପଖି ୩୦ ଜଣ ଚାଷୀଙ୍କର ଆଖି ସ୍କାନ ହୋଇପାରି ନାହିଁ । ଗତକାଲି ସେମାନଙ୍କ ଶେଷ ତାରିଖ ଥିଲା । ତେବେ ସେମାନେ ବର୍ତ୍ତମାନ କ’ଣ କରିବେ କିଛି ବୁଝି ପାରୁ ନଥିବା ବେଳେ ବିଭାଗୀୟ ଅଧିକାରୀମାନେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନର ବାଟ କିଛି ବାହାର କରୁନାହାନ୍ତି । ତେବେ ଆଜି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ଚାଷୀମାନେ ଚେତାବନୀ ଦେଇଛନ୍ତି ଯଦି ସେମାନଙ୍କ ଆଖି ସ୍କାନ ନହୁଏ ଏବଂ ଠିକ ସମୟରେ ସେମାନେ ଅର୍ଥ ନପାଆନ୍ତି ତେବେ ତୁରୁମୁଙ୍ଗା ନିକଟରେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବେ।

ସମ୍ବନ୍ଧିତ ଖବର