ଫସଲ ବୀମା ଟଙ୍କା ପାଇଁ ଖାସବାହାଲର ଚାଷୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖାସବାହାଲ ଅଞ୍ଚଳର ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିଲେ। ପରବର୍ତୀ ସମୟରେ ସେମାନଙ୍କ ଚାଷ ନଷ୍ଟ ହୋଇଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀମାନଙ୍କୁ ୨୦୨୦ ଖରିଫର ଫସଲ ବୀମା ମିଳିପାରିନାହିଁ। ଏନେଇ ଖାସବାହାଲ ପଞ୍ଚାୟତର ଚାଷୀମାନେ ବୀମା ଟଙ୍କା ପାଇଁ ଗୁରୁବାର ନୂଆପଡ଼ା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି।

ସେମାନଙ୍କ ଅଭିଯୋଗ ଯେ ନୂଆପଡ଼ା ଏକ ଚିରମରୁଡ଼ି ପ୍ରପୀଡ଼ିତ ଜିଲ୍ଲା ଭାବେ ପରିଚିତ। ପ୍ରତିବର୍ଷ ମରୁଡ଼ି ପାଇଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥାଏ। ଏହି ପଞ୍ଚାୟତରେ ଜଳସେଚନର ସୁବିଧା ନାହିଁ। ଗତ ଅକ୍ଟୋବର ମାସରେ ପ୍ରବଳ ବର୍ଷା ହେତୁ ପାଚିଲା ଧାନ ଗଜା ହେବାରୁ ଅମଳରେ ବହୁତ କ୍ଷତି ହୋଇଥିଲା। ଗତ ବର୍ଷ ୨୦୨୦ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନେ ବୀମା ଟଙ୍କା ପୈଠ କରିଥିଲେ। ଫସଲ କ୍ଷତି ହୋଇଥିବାରୁ ନିୟମ ମୁତାବକ ବୀମା ରାଶି ପାଇବା କଥା, କିନ୍ତୁ ଏଥିରେ ବ୍ୟତିକ୍ରମ ହୋଇଛି। ଏକ ନିର୍ଦିଷ୍ଟ କମ୍ପାନି ଓ ଜିଲ୍ଲା ସଂଯୋଜକ ମନା କରିବାରୁ ନୂଆପଡ଼ା ଜିଲ୍ଲାପାଳ ଏହି ବୀମାକୁ ସ୍ଥଗିତ ରଖିଛନ୍ତି।

ଖାସବାହାଲ ପଞ୍ଚାୟତକୁ ଲାଗି ରହିଥିବା ବଲାଙ୍ଗୀର ଜିଲ୍ଲା ଅଧୀନ ଜାମଖୁଣ୍ଟା ପଞ୍ଚାୟତର ଚାଷୀମାନେ ୨୦୨୦ ଖରିଫର ଫସଲ ବୀମାଭୁକ୍ତ ହୋଇଥିଲେ। ସେମାନେ ହେକ୍ଟର ପିଛା ୨୬୮୦୦ ଟଙ୍କା ପାଇଛନ୍ତି। କିନ୍ତୁ ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ କମ୍ପାନିର ଅବହେଳାରୁ ଏହି ପଞ୍ଚାୟତର ଚାଷୀମାନେ ବୀମା ରାଶି ପାଇପାରୁନାହାନ୍ତି। ବୀମା ଟଙ୍କା ୧୫ଦିନ ମଧ୍ୟରେ ନ ମିଳିଲେ ସେପ୍ଟେମ୍ବର ୬ ତାରିଖରେ ଖଡ଼ିଆଳ ଓ ଭାବାନୀପାଟଣା ବଙ୍କାପୁର ଛକରେ ରାସ୍ତା ଅବରୋଧ କରିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି। ଅଭିଯୋଗ ସମୟରେ ସୁଶାନ୍ତ ବରିହା, ମନୋଜ ବରିହା, ଧରଣିଧର ବେହେରା, କୌଳାସ ବେହେର, ପିଙ୍କୁ ବେହେରାଙ୍କ ସହ ପଞ୍ଚାୟତର ଚାଷୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର