ବଲାଙ୍ଗୀର : ଦିଲ୍ଲୀରେ ଟ୍ରାକ୍ଟର ରାଲିକୁ ନେଇ ଏବେ ମୁହାଁମୁହିଁ କେନ୍ଦ୍ର ସରକାର ଓ ଚାଷୀ ସଂଗଠନ। ଏପରିକି ଦୁଇ ମାସର ଆନ୍ଦୋଳନରେ ଦେଖାଦେଲାଣି ଫାଟ। କିନ୍ତୁ ବଲାଙ୍ଗୀରରେ ଡହଡହ ବାରି ହେଉଛି ଦିଲ୍ଲୀର ତାତି। ବିଗତ ଦିନରେ ଏଠିକାର ଅନେକ ଚାଷୀ ଆନ୍ଦୋଳନ ରାଜ୍ୟରେ ଚର୍ଚ୍ଚାକୁ ଆସିଥାଏ। କେତେବେଳେ ଟ୍ରାକ୍ଟରରେ ଧାନ ଧରି ଜିଲ୍ଲାପାଳ କାର୍ଯ୍ୟାଳୟରେ ଚାଷୀ ଆନ୍ଦୋଳନ କରିବା ତ ଆଉ କେତେବେଳେ ସହରର ପ୍ରବେଶ ପଥକୁ ଘଣ୍ଟାଘଣ୍ଟା ଧରି ବନ୍ଦ କରି ରଖିଥିଲେ ଚାଷୀ। ଏଥର କିନ୍ତୁ ୨୬ ଜାନୁଆରିରେ ବଲାଙ୍ଗୀର ଆଖପାଖ ଜିଲ୍ଲାରେ କୌଣସି ସ୍ଥାନରେ ଟ୍ରାକ୍ଟର ରାଲି ହୋଇନଥିବା ବେଳେ ବଲାଙ୍ଗୀରରେ ଟ୍ରାକ୍ଟର ଓ ମଟର ସାଇକଲରେ ଶୋଭାଯାତ୍ରାରେ ବାହାରିଥିଲେ ଚାଷୀ। ଆଉ ଗତ କିଛି ଦିନ ହେଲା ପ୍ରମୁଖ ଦଳର ନେତାମାନେ ବି ଚାଷୀଙ୍କୁ ନେଇ ଚଳାଇଛନ୍ତି ବୟାନବାଜି।

Advertisment

ବଲାଙ୍ଗୀର ଜିଲ୍ଲାରେ ତିନି ପ୍ରମୁଖ ଦଳର ରାଜନେତାଙ୍କ ଦବଦବା। ଏଠି ଶାସକ ଦଳ ଓ ବିରୋଧୀ ଦଳର ହେବିୱେଟ ଜନପ୍ରତିନିଧି। ଏଣୁ ଚାଷୀଙ୍କୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧାନ କିଣା ପ୍ରସଙ୍ଗରେ ସମାଲୋଚନା କରିଥିଲେ। ରାଜ୍ୟ ସରକାର ଧାନ କିଣାରେ ସଂପୂର୍ଣ୍ଣ ବିଫଳ। ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ସେ ଦାବି କରିଥିଲେ। ସେହିପରି କେନ୍ଦ୍ର ସରକାର ଓ ଭାରତୀୟ ଖାଦ୍ୟ ନିଗମ ଚାଷୀଙ୍କ ଧାନ କିଣିବା କଥା। ହେଲେ ସେମାନଙ୍କ ଆନ୍ଦୋଳନ ଅତି ହାସ୍ୟାସ୍ପଦ ବୋଲି ସେ କହିଥିଲେ। ଅନ୍ୟପଟେ ସାଂସଦ ସଂଗୀତା କୁମାରୀ ସିଂହଦେଓ ଜିଲ୍ଲା ପରିଷଦ ବୈଠକରେ ପ୍ରଶାସନ ଉପରେ ଗର୍ଜିଥିଲେ। ଧାନକିଣା ଅବ୍ୟବସ୍ଥାକୁ ନେଇ ସେ ବୈଠକରୁ ଉଠି ଚାଲିଯାଇଥିଲେ। ମନମାନୀ ସବୁ ମଣ୍ଡିରେ ଚାଲିଛି ବୋଲି ସେ ଅଭିଯୋଗ ଉଠାଇଥିଲେ।

ସେହିପରି ପାଟଣାଗଡ଼ ବିଧାୟକ ଶାସକ ଦଳରୁ ନିର୍ବାଚିତ ହୋଇଥିଲେ ବି ମଣ୍ଡିମାନଙ୍କର ଦୁର୍ନୀତି ଓ ସମସ୍ୟା ନେଇ ସେ ମୁହଁ ଖୋଲିଲେଣି। ଅନ୍ୟ ବିଧାୟକମାନେ ବି ମଣ୍ଡିମାନ ପରିଦର୍ଶନ କରି ଚାଷୀଙ୍କ ନିକଟତର ହେଉଛନ୍ତି। ଆଉ ଏପଟେ ଦିଲ୍ଲୀରେ ଟ୍ରାକ୍ଟର ରାଲିର ଆହ୍ୱାନର ତାତି ବଲାଙ୍ଗୀରରେ ୨୬ ଜାନୁଆରିରେ ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ଚାଷୀମାନେ ଜାରି ରଖିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଜୟ କିଷାନ ଆନ୍ଦୋଳନ ବଲାଙ୍ଗୀର ପକ୍ଷରୁ ଟ୍ରାକ୍ଟର ଓ ମଟର ସାଇକଲ ଶୋଭାଯାତ୍ରା କରାଯାଇଥିଲା। କୃଷି ଆଇନ ପ୍ରତ୍ୟାହାର ଦାବି ସହ ଜିଲ୍ଲାର କୃଷକ ପ୍ରତି ରହିଥିବା ଧାନର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଦେବା, କଟନି ଛଟନି ବନ୍ଦ କରିବା, ପଂଚାୟତ ସ୍ତରରେ ଧାନ ମଣ୍ଡି ଖୋଲିବା, ବ୍ଲକ ତଥା ପଂଚାୟତ ସ୍ତରରେ କପାମଣ୍ଡି ଖୋଲିବା, ଚାଷୀଙ୍କୁ ବୀମା ରାଶି ପ୍ରଦାନ କରିବା, ଜିଲ୍ଲାର ସମସ୍ତ ଛୋଟ ବଡ଼ ନଦୀରେ ଆନିକଟ ବା ଛୋଟ ଛୋଟ ବ୍ୟାରେଜ କରି ଚାଷୀଙ୍କୁ ପାଣି ଯୋଗାଇବା  ଓ  କିଷାନ ସମ୍ମାନ ନିଧି ଯୋଜନାରେ ସମସ୍ତ ଚାଷୀମାନଙ୍କୁ ସାମିଲ କରିବା ଦାବି କରାଯାଇ ରାଲି କରାଯାଇଥିଲା।

ବଲାଙ୍ଗୀର ପଥରଚେପାଠାରୁ ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ ଚାଷୀ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ଦେଇ ସହର ପରିକ୍ରମା କରିଥିଲେ। ରାଲି ପୂର୍ବରୁ ଅନୁଷ୍ଠିତ ସଭାରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଲିଙ୍ଗରାଜ, ରମେଶ ପାତ୍ର, ଶିବ ସାହୁ ପ୍ରମୁଖ ଯୋଗଦେଇ କୃଷି ଆଇନ ବିରୋଧରେ ଗର୍ଜିଥିଲେ। ଜୟ କିଷାନ ଆନ୍ଦୋଳନର ଜିଲ୍ଲା ଆବାହକ ମଣ୍ଡଳୀ ସଦସ୍ୟ ସତ୍ୟ ବନଛୋର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ସିପୁନ ଖମାରୀ, ତ୍ରିଲୋଚନ ପୁଞ୍ଜି, ବାଳକୃଷ୍ଣ ଷାଣ୍ଢ, ଜଗା ମାହାଣା, ସୌରୀ ସାହୁ, ବ୍ୟାସଦେବ ଥନାପତି, ଗିରିଧାରୀ ଭୋଇ ପ୍ରମୁଖ ନେତୃତ୍ୱ ନେଇଥିଲେ। ମୋଟାମୋଟି ବଲାଙ୍ଗୀର ଜିଲ୍ଲାରେ ଦିଲ୍ଲୀ ଚାଷୀ ଆନ୍ଦୋଳନର ତାତି ଦେଖିବାକୁ ମିଳିଛି। ବର୍ତ୍ତମାନ ଧାନକିଣା ସମୟରେ ଚାଷୀ ହଟହଟା ହେଉଥିବା ବେଳେ ଆଗକୁ ଏକ ବିଶାଳ ଚାଷୀ ଆନ୍ଦୋଳନର ଆଭାସ ମିଳିଲାଣି।