ସୋହେଲା: ଧାନମଣ୍ଡି ଖୋଲିବାରେ ଜିଲ୍ଲା ପ୍ରଶାସନ ବିଳମ୍ବ କରୁଥିବା ପ୍ରତିବାଦରେ ବରଗଡ଼ ଜିଲ୍ଲା ସୋହେଲା କୃଷକ ବିକାଶ ମଂଚର ଆହ୍ୱାନ କ୍ରମେ ବ୍ଲକ୍ର ବିଭିନ୍ନ ଗ୍ରାମରୁ ଚାଷୀମାନେ ପିକ୍ଅପ୍, ମିନିଟ୍ରକ୍, ଟ୍ରାକ୍ଟର, ଟ୍ରକ୍ଗୁଡ଼ିକରେ ଅମଳ କରି ବିକ୍ରୟ ପାଇଁ ରଖିଥିବା ଶହଶହ ଧାନବସ୍ତା ଆଣି ମୁଖ୍ୟଛକଠାରେ ଜାତୀୟ ରାଜପଥ ସମେତ ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେ ଉପରେ ରଖି ରାସ୍ତା ଅବରୋଧ କରିଥିଲେ। ନଭେମ୍ବର ୧୫ ତାରିଖରେ ଧାନମଣ୍ଡି ଖୋଲିବା, ଧାନ କ୍ବିଣ୍ଟାଲ ପ୍ରତି ୪ ହଜାର ଟଙ୍କା କରାଯିବା, ଚାଷୀମାନଙ୍କୁ ମାସିକ ୨ହଜାର ଟଙ୍କା ପେନ୍ସନ୍ ପ୍ରଦାନ, ଜଳକର ସହିତ ବିଦ୍ୟୁତ ବିଲ୍ ସମାନ କରିବା, କୃଷି ସମବାୟ ସମିତିରେ ପଂଜିକୃତ ସମସ୍ତ ସଭ୍ୟଙ୍କୁ କାଳିଆ ଯୋଜନାରେ ସାମିଲ କରାଯିବା, ୨୦୨୧ ମସିହା ଖରିଫ ଫସଲବୀମା କ୍ଷତିପୂରଣ ତୁରନ୍ତ ପ୍ରଦାନ, ୨୦୨୧ ମସିହ ମରୁଡି ଇନପୁଟ ସବସିଡି ପ୍ରଦାନ, ଧାନ ବିକ୍ରି ପାଇଁ ରହିଥିବା ଏକର ପ୍ରତି ୧୩ କ୍ୱିଂଟାଲ ବଦଳରେ ୩୦ କ୍ୱିଣ୍ଟାଲକୁ ବୃଦ୍ଧି କରିବା ଏବଂ୧୯୭୭ ମସିହାରୁ ରହିଥିବା ଜମିର କିସମକୁ ଭୂ-ବନ୍ଦୋବସ୍ତ ବ୍ୟବସ୍ଥା କରି ଜମିର କିସମ ବଦଳ କରିବା ଆଦି ୯ଦଫା ଦାବି କରି ରାସ୍ତା ଅବରୋଧ କରିଥିଲେ।
ଫଳରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦୀର୍ଘ ୩ ଘଣ୍ଟା ଧରି ଉଭୟ ଜାତୀୟ ରାଜପଥ ଏବଂ ସୋହେଲା ପଦ୍ମପୁର ବିଜୁ ଏକ୍ସପ୍ରେସ୍ ୱେରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ପରେ ସୋହେଲା ତହସିଲଦାର ହରିଓମ ଭୋଇ, ସୋହେଲା ଥାନା ଆଇଆଇସି ହରିବନ୍ଧୁ ଗଡତିଆ, ଯୋଗାଣ ନିରୀକ୍ଷକ କବିରାଜ ଧରୁଆ, ଆର୍ଏମ୍ସି ପକ୍ଷରୁ ମାର୍କେଟ୍ ସର୍ଦ୍ଦାର ଖୁଦୁ ଦୀପ ପ୍ରମୁଖ ପ୍ରଶାସନିକ ଅଧିକାରୀ ଆସି ଆନ୍ଦୋଳନରତ ଚାଷୀମାନଙ୍କ ସହିତ ଆଲୋଚନା କରି ଆସନ୍ତା ୨୧ ତାରିଖରୁ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରିବା, ରାସ୍ତା ଉପରେ ଥିବା ଧାନ ଯୋଗାଣ ନିରୀକ୍ଷକଙ୍କ ସହିତ ଯୋଗାଯୋଗ କରି ବିକ୍ରୟ ବ୍ୟବସ୍ଥା କରିବା, ବିଭିନ୍ନ ମଣ୍ଡିଗୁଡ଼ିକରେ ସ୍ଥାୟୀ ପିଣ୍ଡି ନଥିବା କାରଣରୁ ଆର୍ଏମ୍ସି ତରଫରୁ ପଲିଥିନ ସେଡ୍ କରାଯାଇ ଧାନ ରଖିବା, ମଣ୍ଡିଗୁଡ଼ିକରେ ଥିବା ଧାନ ଚୋରି କିମ୍ବା ବର୍ଷାରେ ଓଦା ହୋଇ ଗଜା ହେଲେ ସେଥିପାଇଁ ଆର୍ଏମ୍ସି କର୍ତୃପକ୍ଷ ଦାୟୀ ରହିବା, ଚାଷୀମାନଙ୍କ ଧାନକୁ ଓଜନ କରି ମଣ୍ଡିରେ ରଖିବା ସହିତ ଯଥାଶୀଘ୍ର ଧାନ ରଖିବା ସୁବ୍ୟବସ୍ଥା କରିବା, ଧାନ ପାଇଁ ଚାଷୀମାନଙ୍କୁ ବସ୍ତା ଯୋଗାଇ ଦେବା, ଧାନ ବିକ୍ରୟ ସମୟରେ ପ୍ଲାଷ୍ଟିକ ପ୍ୟାକେଟ୍ ପ୍ରତି ୩ଶହ ଗ୍ରାମ ଓଜନ କାଟିବା, ଧାନ ବିକ୍ରି ହୋଇ ନପାରି ଚାଷୀଙ୍କ ଟୋକନ ଲେପ୍ସ ହେଲେ ସେଥିପାଇଁ ପ୍ରଶାସନ ଦାୟୀ ରହିବା ସହିତ ଚାଷୀଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବା ଏବଂ ଅନ୍ୟ ଦାବି ସଂପର୍କରେ ସରକାରଙ୍କ ବିଚାର ନିମନ୍ତେ ଜଣାଇ ଦେବାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ। ଆଜିର ଏହି ଆନ୍ଦୋଳନରେ କୃଷକ ବିକାଶ ମଂଚର ସଭାପତି ମନୋହର ମାଝୀ, ପୂର୍ବତନ ସଭାପତି ଜୟକୃଷ୍ଣ ସାହୁ, ଗୁଣସାଗର ପଧାନ, ସୁଦାମ ପଧାନ, ହାଡୁ ପାତ୍ର, ଦୈତାରୀ ଭୋଇ, ସଂକୀର୍ତନ ପରୁଆ, କପିଳ ଥପା, ଯୁଧିଷ୍ଠିର ନାୟକଙ୍କ ସମେତ ଶତାଧିକ ଚାଷୀ ଏଥିରେ ସାମିଲ ଥିଲେ।